ଭୁବନେଶ୍ୱର() ସାଂସଦ ବୈଜୟନ୍ତ “ଜୟ” ପଣ୍ଡାଙ୍କ ଲେଖାରେ କିଛି ନୂତନତ୍ୱ ନାହିଁ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଦୁର୍ବଳ ହୋଇଯାଇଛି ବୋଲି ନିଜ ପ୍ରତ୍ୟକ୍ଷ ଅନୁଭବର କଥା ସେ ଲେଖିଛନ୍ତି । ତାଙ୍କର ଅନୁଭବ ଏମିତି… । ନବୀନଙ୍କ ନେତୃତ୍ୱ ଓ ଦଳ ବିରୋଧରେ ନିଜେ ବିଭିନ୍ନ ଅନ୍ତର୍ଘାତୀ କାର୍ଯ୍ୟରେ ଲିପ୍ତ ଥିଲେ ମଧ୍ୟ ତାଙ୍କୁ ଫରକ୍ ପକାଇନି । ସରକାରଙ୍କଠାରୁ ନିଜର ଶିଳ୍ପ ପାଇଁ ସବୁ ସୁବିଧା ସୁଯୋଗ ରାମ୍ପି ନେଇଥିଲେ ମଧ୍ୟ ତାଙ୍କ ବିରୋଧରେ ପଦୁଟିଏ କହିବାର କାହାର ଶକ୍ତି ନାହିଁ । ପ୍ରତିଟି କ୍ଷେତ୍ରରେ ସରକାରୀ ବାବୁମାନେ ବରଂ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ନରେନ୍ଦ୍ର ମୋଦିଙ୍କ ସ୍ତାବକ ଭାବେ ଦିଲ୍ଲୀରେ ହୁରି ପକାଇଥିଲେ ମଧ୍ୟ ତାଙ୍କୁ ଆଡ ଆଖି ମିଳିନି । ଏମିତି କେତୋଟି ଉଦାହରଣର ନିଜେ ମୁକସାକ୍ଷୀ ହୋଇଥିବାରୁ ନବୀନ ଯେ ଦୁର୍ବଳ ତାହା ଅଙ୍ଗେ ନିଭାଇଛନ୍ତି ସାଂସଦ ବୈଜୟନ୍ତ ବାବୁ । ଆଉ ନିଜର ଅଙ୍ଗେ ନିଭା ଲେଖି ସେ ଯେ ଗର୍ହିତ ଅପରାଧ କରିଦେଇଛନ୍ତି ତାହା ଜମାରୁ ଗ୍ରହଣୀୟ ହେଉନାହିଁ ।
ଯେଉଁ ବିଜେଡ଼ି ନେତାମାନେ ଆଜି ଗଣମାଧ୍ୟମରେ ବିବୃତି ଦେଉଛନ୍ତି ସେମାନେ ଆଜି ଯାଏଁ ଶୋଇଥିଲେ କେଉଁଠି? ଗରିବଙ୍କ ପେଟକଟା ଧନରେ ସାଂସଦଙ୍କ ଶିଳ୍ପ ସାମ୍ରାଜ୍ୟର ପରିପୃଷ୍ଟ ବିରୋଧରେ ସେମାନେ କେବେ ବିଧାନସଭାରେ ମୁହଁ ଖୋଲିଛନ୍ତି? ଇମ୍ଫାକୁ ୨୩୦୦ କୋଟିର ଋଣଛାଡ଼, ବିଜୁଳି ଦେୟ ଛାଡ଼, ଜଳକର ଛାଡ଼ର ଜବାବ ଦେଇଛନ୍ତି? ଦଳରେ ସାଂସଦଙ୍କ କ୍ରମାଗତ ଅନ୍ତର୍ଘାତୀ କାର୍ଯ୍ୟ ବିରୋଧରେ ନବୀନଙ୍କୁ ଜଣାଇଛନ୍ତି? ଆଜି ସୁଯୋଗ ଦେଖି ସାଂସଦ ବାଣ ଛାଡ଼ିଲା ବେଳକୁ ସେମାନେ ଅତିଷ୍ଠ କାହିଁକି? ସୁତରାଂ ନବୀନ ଯେ ଦୁର୍ବଳ ଏବୁରୁ ତାହାର ପ୍ରମାଣ ପାଇବା ପାଇଁ ସାଂସଦଙ୍କୁ ଅଧିକ କସରତ୍ କରିବାକୁ ପଡ଼ିନି ।
ବିଜେଡ଼ିରେ ନବୀନଙ୍କ ବିକଳ୍ପ ନେତୃତ୍ୱ ଭାବେ ବୈଜୟନ୍ତ ବହୁ ପୂର୍ବରୁ ନିଜକୁ ଜାହିର କରିବାକୁ ଉଦ୍ୟମ କରିଥିଲେ । ଅର୍ଥବଳ, ମିଡ଼ିଆ ବଳର ହାରକିନ୍ ଧରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ବେଙ୍ଗା ଧରିଲା ପରଠୁଁ ସେ ବ୍ୟତିବ୍ୟସ୍ତ ହେବା ସ୍ୱାଭାବିକ । ଦିଲ୍ଲୀରେ ନିଜର ଯଥେଷ୍ଟ ପ୍ରତିପତ୍ତି ରଖିଥିବାରୁ ନବୀନଙ୍କୁ ପାନେ ଦେବାର ଚିନ୍ତାଧାରା ଯେ ଅକସ୍ମାତ୍ ତାହା ଆଦୌ ନୁହେଁ । ବିଜେଡ଼ିକୁ ହଲଚଲ କରିବାର ଯୋଜନାରେ “ବିଜେଡ଼ି: ଆତ୍ମସମୀକ୍ଷାର ସମୟ” ନାଁରେ ଛୋଟବାଣ ଛାଡ଼ିଛନ୍ତି । ବିଜେଡ଼ି ଯେ ଏଥିରେ ହଲଚଲ୍ ହୋଇଛି ତାହା କେହି ଅସ୍ୱୀକାର କରିପାରିବେ ନାହିଁ । ଏଣିକି ଦେଖିବାର କଥା, ନବୀନ ପଟ୍ଟନାୟକ ସତରେ ଦୁର୍ବଳ ହୋଇଯାଇଛନ୍ତି ନା ପୂର୍ବପରି ସବଳ ରହିଛନ୍ତି ।