ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟସଭା ଯିବେ । କଂଗ୍ରେସରୁ ଇସ୍ତଫା ଦେଇ ସେ ବିଜେଡ଼ିରେ ମିଶିବେ ଏବଂ ବିଷ୍ଣୁ ଦାସଙ୍କ ଜାଗାରେ ନବୀନ ତାଙ୍କୁ ରାଜ୍ୟସଭା ପଠାଇବେ । ନବୀନ ନିବାସର ଖୋଦ୍ ନିକଟତମ ମହଲରୁ ଏହି ସୂଚନା ମିଳିଛି । ଆଜି ନରସିଂହ ମିଶ୍ର ନାଲିବତୀ ଫେରାଇଦେବା ପରେ ଏହା ଦୃଢ଼ୀଭୂତ ହୋଇଛି । ଏହି ମହଲର ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ବିରୋଧୀ ଦଳ ନେତା ପଦରୁ ନରସିଂହ ଇସ୍ତଫା ଦେବେ ।
ବିଜେଡ଼ିକୁ ନରସିଂହଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କିଛି ଦିନ ହେଲା ଯୋଗସୂତ୍ରରେ ରହିଛନ୍ତି । ବିଜେପିର ଶକ୍ତି ବୃଦ୍ଧି ପାଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ନରସିଂହଙ୍କୁ ଆଣି କାଉଣ୍ଟର କରିବାକୁ ଯୋଜନା ଚୂଡ଼ାନ୍ତ ହୋଇଛି । ଏଥିସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ଶକ୍ତିଶାଳୀ କରିବାକୁ ନରସିଂହଙ୍କୁ ଅସ୍ତ୍ର କରାଯିବ । ସେପଟେ କଂଗ୍ରେସର ଯେଉଁଭଳି ଅବସ୍ଥା ସେଠାରେ ଭବିଷ୍ୟତ ବିପନ୍ନ ଜାଣି ନରସିଂହ ମଧ୍ୟ ବିଜେଡ଼ିରେ ମିଶିବାକୁ ଆଗ୍ରହୀ ହୋଇଛନ୍ତି । ସର୍ତ୍ତ ହୋଇଛି, ନରସିଂହ ରାଜ୍ୟସଭା ଯିବେ ଏବଂ ତାଙ୍କ ଜାଗା ବଲାଙ୍ଗୀର ବିଧାନସଭା ଆସନରୁ ପୁଅ ସମରେନ୍ଦ୍ର ମିଶ୍ର ବିଜେଡ଼ି ଟିକେଟରେ ବିଧାନସଭା ଆସିବେ । ହାତରେ ସମୟ କମ ଥିବାରୁ ଏହାକୁ ତୁରନ୍ତ ବାସ୍ତବ ରୂପ ଦେବା ପାଇଁ ନବୀନ ମନସ୍ଥ ଚରିଥିବା ଏହି ସୂତ୍ରରୁ ଖବର ମିଳିଛି । ଯେଉଁଥିପାଇଁ ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ହଟାଇ ଦିଆଯାଇଛି । ତାଙ୍କ ଜାଗାରେ ନରସିଂହ ୫ ବର୍ଷ ୩ ମାସ ରାଜ୍ୟସଭାରେ କାର୍ଯ୍ୟକାଳ କାଟିବେ ।