ବିିମାନବନ୍ଦରରେ ଅନ୍ତିମ ଦର୍ଶନ ସାରିଦେଲେ ମୁଖ୍ୟମନ୍ତ୍ରୀ….
ଭୁବନେଶ୍ୱର: ପ୍ୟାରୀମୋହନ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ବିମାନବନ୍ଦରରେ ଅନ୍ତିମ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ୧.୩୦ମିନିଟ୍ରେ ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ଆସି ପହଞ୍ଚିଲା ପ୍ୟାରୀଙ୍କ ପାର୍ଥିବ ଶରୀର । ସାଙ୍ଗରେ ଥିଲେ ପତ୍ନୀ, ପୁଅ, ଝିଅ, ନାତି, ନାତୁଣୀ ଓ ସମ୍ପର୍କୀୟ । କଫିନ୍ ଭିତରେ ଥିବା ପାର୍ଥିବ ଶରୀରକୁ ବିମାନବନ୍ଦରରେ ଅନ୍ୟ ଗେଟ୍ ପଟେ ଅଣାଯାଇଥିଲା ବେଳେ ମୁଖ୍ୟ ପ୍ରସ୍ଥାନ ଦ୍ୱାର ବାଟେ ତାଙ୍କର ପରିବାର ଲୋକ ବାହାରି ଘରକୁ ଆଗୁଆ ଚାଲିଯାଇଥିଲେ । ପ୍ରାୟ ୧.୪୫ ମିନିଟ୍ରେ ମୁଖ୍ୟମନ୍ତ୍ରୀ ପ୍ୟାରୀଙ୍କ ପାର୍ଥିବ ଶରୀର ପାଖରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ପଛେ ପଛେ ମନ୍ତ୍ରୀ ପ୍ରଦୀପ ଅମାତ, ଦେବୀପ୍ରସାଦ ମିଶ୍ର, ଶ୍ରୀମତି ଉଷା ଦେବୀ, ପ୍ରଦିପ ପାଣିଗ୍ରାହୀ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ୍, ପୁର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଜେଡ଼ି ମୁଖପାତ୍ର ସୁର୍ଯ୍ୟନାରାୟଣ ପାତ୍ର ସ୍ୱର୍ଗତ ପ୍ୟାରୀମୋହନଙ୍କୁ ବିମାନବନ୍ଦରରେ ଅନ୍ତିମ ଦର୍ଶନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍ ପ୍ୟାରୀଙ୍କ ପରିବାରବର୍ଗଙ୍କ ପାଖକୁ ସମବେଦନା ଜଣେଇବାକୁ ସହିଦନଗର ବାସଭବନ ଯାଇ ନଥିଲେ ।
ବିଜେଡିକୁ ସହିଦନଗର ଅଛୁଅାଁ ଛାଡିଲାନି….
ପ୍ୟାରୀମୋହନଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ସହିଦନଗରର ପ୍ଲଟ ନଂ. ଏ/୧୧୧ ରେ ପ୍ରବଳ ଭିଡ଼ ହୋଇଥିଲା । ଭିଡ ଭିତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ନେତା ଓ ସାଧାରଣ ଜନତା ଥିଲେ । ତେବେ ଏକଦା ବିଜେଡ଼ିର ପ୍ରାଣକେନ୍ଦ୍ର ରୁପେ ପରିଚିତ ଏହି ବାସଭବନରେ ବିଜେଡ଼ି ନେତାଙ୍କର କିନ୍ତୁ ମରୁଡ଼ି ଦେଖାଯାଇଥିଲା । ଦିର୍ଘ ୧୦ବର୍ଷ ଧରି ଯେଉଁ ଘର ଆଗରେ ସକାଳୁ ରାତି ପର୍ଯ୍ୟନ୍ତ ପ୍ୟାରୀଙ୍କ ଭେଟ ପାଇବାକୁ ବଳୁଆ ବିଜେଡ଼ି ନେତା ବ୍ୟାକୁଳ ହେଉଥିଲେ ସେଠି ତାଙ୍କ ଶେଷ ଦର୍ଶନ ବେଳେ ସେମାନଙ୍କର ଦେଖା ନ ଥିଲା । ମାତ୍ର ଦୁଇଜଣ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ପ୍ରଫୁଲ୍ଲ ମଲ୍ଲିକ ସେଠାକୁ ଯାଇ ଅନ୍ତିମ ଦର୍ଶନ କରିଥିଲେ । ପ୍ୟାରୀଙ୍କ ଅନ୍ତିମ ଦର୍ଶନ ପାଇଁ ଯାଇଥିବା ବିଜେଡ଼ିର ହାତଗଣତି ନେତାଙ୍କ ମଧ୍ୟରେ ଥିଲେ, ସାଂସଦ ବୈଜୟନ୍ତ ପଣ୍ଡା, ପ୍ରସନ୍ନ ପାଟ୍ଟଶାଣୀ, ଅନୁଭବ ମହାନ୍ତି, ବିଧାୟକ ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରିୟଦର୍ଶୀ ମିଶ୍ର, ଉମାକାନ୍ତ ସାମନ୍ତରାୟ, ପ୍ରିତୀରଞ୍ଜନ ଘଡ଼ାଇ, ମେୟର ଅନନ୍ତ ନାରାୟଣ ଜେନା ଓ ପୁର୍ବତନ ବିଧାୟକ ରବିନାରାୟଣ ପାଣି । ବିଜେଡ଼ିରୁ ବହିଷ୍କୃତ ପ୍ରଫୁଲ୍ଲ ଘଡ଼ାଇ ପ୍ୟାରୀଙ୍କୁ ନ ଭୁଲି ଶେଷ ଦର୍ଶନ ପାଇର୍ ଆସିଥିଲେ ।
ମନେପକାଇଲେ ବିଜୟ ମହାପାତ୍ର….
ପ୍ୟାରୀମୋହନ ମହାପାତ୍ର ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ ସମ୍ପର୍କ ଓଡ଼ିଶା ରାଜନୀତିରେ ଏକ ସ୍ୱତନ୍ତ୍ର ଅଧ୍ୟାୟ କହିଲେ ଭୁଲ ହେବନାହିଁ । ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା, ବିବାଦ ଆଜି ବି ଅଛିଣ୍ଡା ରହିଯାଇଛି । ବିଜୟଙ୍କ ରାଜନୈତିକ କ୍ୟାରିୟର ଖତମ ପଛରେ ପ୍ୟାରୀଙ୍କ ଭୁମିକା ରହିଥିବା ଚର୍ଚ୍ଚା ହୁଏ । ତେବେ ସେ ଯାହା ହେଉ, ସହିଦନଗର ଆସି ପ୍ୟାରୀଙ୍କ ମରଶଯ୍ୟାରେ ନିଜର ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲି ନ ଥିଲେ ବିଜୟ । ସେ କହିଛନ୍ତି ପ୍ୟାରୀଙ୍କ ବିୟୋଗରେ ସେ ବ୍ୟକ୍ତିଗତ ଭାବେ ମର୍ମାହତ । ଦୁହିଁଙ୍କ ଭିତରେ ରାଜନୈତିକ ବିବାଦ ଯାହା ବି ଥିଲା କେବେଠୁ ସେ ଭୁଲିଯାଇଛନ୍ତି । ମାନବିକତା ବଡ଼କଥା, ରାଜନୀତି କିମ୍ବା କ୍ଷମତା ନୁହେଁ ବୋଲି ବିଜୟ କହିଛନ୍ତି । ପ୍ୟାରୀଙ୍କୁ ଜଣେ ନିଷ୍ଠାପର ବ୍ୟକ୍ତିତ୍ୱ ଭାବେ ସେ ବର୍ଣ୍ଣନା କରି ତାଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ।
ମିଡ଼ିଆ ଉପରେ କ୍ଷୁବ୍ଧ….
ସହିଦନଗର ବାସଭବନ ବାହାର ଲେନ୍ରେ ପ୍ୟାରୀଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ପ୍ରିୟ ନେତାଙ୍କୁ ଶେଷଥର ପାଇଁ ଟିକେ ଦେଖିବାକୁ ଭିତରେ ଏବଂ ବାହାରେ ନେତା, ଅଫିସର ଓ କର୍ମୀଙ୍କ ପ୍ରବଳ ଭିଡ଼ ଜମିଥିଲା । ସଂଧ୍ୟା ଆଡ଼କୁ ଭିଡ଼ ପତଳା ହୋଇଗଲା ସତ, ହେଲେ ସାମ୍ବାଦିକ ଓ କ୍ୟାମେରା ଭିଡ଼ ହଟି ନ ଥିଲା । ସେଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ପ୍ୟାରୀଙ୍କ ଶୋକସନ୍ତପ୍ତ ପୁଅ ଓ ଝିଅ । ମଞ୍ଚ ଉପର ଶବାଧାର ନିକଟରେ ଛିଡ଼ାହୋଇ ଫଟୋ ଉଠାଉଥିବା ସାମ୍ବାଦିକଙ୍କୁ ବାରଣ କରି ସେଠାରୁ ଚାଲିଯିବାକୁ କହିଥିଲେ । ପରେ ପରେ ସବୁ କ୍ୟାମେରା ଓ ମିଡ଼ିଆ ଭାଇମାନେ ଗେଟ୍ ବାହାରକୁ ଚାଲିଯାଆନ୍ତୁ ବୋଲି ତାଗିଦ୍ କରିଥିଲେ । ବାବାଙ୍କ ପ୍ରଚାର ବହୁତ ହୋଇଗଲା । ଏଇ ଡ୍ରାମା ବନ୍ଦ କରବୋଲି ସେମାନେ କ୍ଷୋଭର ସହ କହୁଥିଲେ । ୨୦୧୨ ମେ ୨୯ ତାରିଖ ରାତିରେ ଗଣମାଧ୍ୟମର ଭୂମିକାକୁ ମନେ ପକାଇ ପୁଅ ଓ ଝିଅ କ୍ଷୁବ୍ଧ ହୋଇଥିବା ସେଠାରେ ଚର୍ଚ୍ଚା ହୋଇଥିଲା ।
ଞ୍ଚ