ଭୁବନେଶ୍ୱର: ଓଡ଼ିଶାରେ କରୋନା ଟେଷ୍ଟିଂ ସର୍ବଭାରତ ହାରଠାରୁ ଅଧିକ । ଓଡ଼ିଶାରେ କରୋନା ପଜିଟିଭିଟି ହାର ଦେଶରେ ସର୍ବନିମ୍ନ । ଓଡ଼ିଶାରେ ମୃତ୍ୟୁ ହାର ସର୍ବନମ୍ନ । ଓଡ଼ିଶାରେ ଆରୋଗ୍ୟ ହାର ଭାରତବର୍ଷଠାରୁ ଅଧିକ । ଅତଏବ କୋଭିଡ୍ ମୁକାବିଲାରେ ସମଗ୍ର ଦେଶ ପାଇଁ ଓଡ଼ିଶା ହୋଇଛି ମଡ଼େଲ୍ ରାଜ୍ୟ ।
ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ସହ ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି । କହିଛନ୍ତି, ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ସତର୍କତା ଓ ସଚେତନତା ଯୋଗୁଁ ଏହା ସମ୍ଭବ ହୋଇଛି । ସମସ୍ତେ କରୋନା ଯୋଦ୍ଧା ସାଜି ଦେଶବାସୀଙ୍କୁ ଶିଖାଇ ଦେଇଛନ୍ତି ।
ଶ୍ରୀମତୀ ପଣ୍ଡିତ କହିଛନ୍ତି, ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ଆମକୁ ୨ ମାସ ଲାଗିଥିଲା । ଏବେ ପ୍ରତି ଦୁଇ ସପ୍ତାହରେ ୫୦ ହଜାର ଟେଷ୍ଟିଂ ହେଉଛି । ଗତକାଲି ଆମେ ୨ ଲକ୍ଷ ଟେଷ୍ଟିଂ ପାର୍ କରିଛୁ । ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୪,୩୦୫ ଟେଷ୍ଟିଂ ହେଉଥିବା ବେଳେ ଓଡ଼ିଶାରେ ୪,୩୩୪ ଟେଷ୍ଟିଂ ହେଉଛି ।
ସେହିଭଳି ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଭାରତବର୍ଷରେ ୨୫ ପିଜିଟିଭ୍ କେସ୍ ଆସୁଥିଲା ବେଳେ ଦିଲ୍ଲୀରେ ୨୦୫, ମହାରାଷ୍ଟ୍ରରେ ୨୫ ପଜିଟିଭ୍ କେସ୍ ଆସୁଛି । ଆମ ଓଡ଼ିଶାରେ ୧ ଲକ୍ଷ ଜନସଂଖ୍ୟାରେ ଏହି ପଜିଟିଭିଟି ହାର ହେଉଛି ୯.୩ ।
ଦେଶରେ ମୃତ୍ୟୁହାର ୦.୭ ଥିବା ବେଳେ ଦିଲ୍ଲୀରେ ଏହା ୬.୬ । ଓଡ଼ିଶାରେ ହାର ୦.୦୩ । ସବୁ ରାଜ୍ୟଠାରୁ କମ୍ ।
ଆରୋଗ୍ୟ ହାରରେ ଓଡ଼ିଶାର ଦୁଇ ତୃତୀୟାଂଶ କୋଭିଡ୍ ରୋଗୀ ଆରୋଗ୍ୟ ହେଉଛନ୍ତି । ଭାରତବର୍ଷରେ ୫୧% ରୋଗୀ ଆରୋଗ୍ୟ ହେଉଥିବା ବେଳେ ଓଡ଼ିଶାରେ ୬୭% ରୋଗୀ ଆରୋଗ୍ୟ ହେଉଛନ୍ତି ।
ଏହି ଅବସରରେ ଶ୍ରୀମତୀ ପଣ୍ଡିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ଆଇସିଏମଆର ର ପରିବର୍ତ୍ତିତ ଗାଇଡଲାଇନ୍ ଅନୁଯାୟୀ, ଏବେ କରୋନା ଲକ୍ଷଣ ଥିବା ଲୋକ ଏବଂ ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । କାରଣ ଗବେଷଣାରୁ ଜଣାଗଲାଣି ଯେ ଲକ୍ଷଣ ନ ଥିବା କରୋନା ରୋଗୀଙ୍କଠାରୁ ସଂକ୍ରମଣ ସମ୍ଭାବନା କମ୍ । ସଂକ୍ରମଣର ସମୟସୀମା ମଧ୍ୟ କମ୍ । ସୁତରାଂ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ବିନା ଟେଷ୍ଟିଂରେ ଛଡ଼ାଯିବ ନାହିଁ ।
ଜୁନ୍ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଆଶା ଦିଦି ଏବଂ ଏନଏମ ଦିଦିମାନେ ଘର ଘର ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଠାବ କରିବେ ଏବଂ ସେମାନଙ୍କର ତୁରନ୍ତ ଟେଷ୍ଟିଂ କରାଯିବ । ଗ୍ରାମାଞ୍ଚଳରେ ପ୍ରତି ଘର ଏବଂ ସହରାଞ୍ଚଳରେ ବସ୍ତିଗୁଡ଼ିକରେ ଆଶା ଦିଦି ଏବଂ ଏନଏମ ଦିଦିମାନେ ଘର ଘର ବୁଲି ପର୍ଯ୍ୟବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ହୁତୁ ହୁତୁ ହୋଇ ବଢ଼ିଚାଲିଛି । ଆହୁରି ୪ରୁ ୬ ସପ୍ତାହ ଆମ ପାଇଁ କ୍ରିଟିକାଲ୍ । ତେଣୁ ଏତିକି ଦିନ ଆମକୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି । ଜୀବନ-ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତେ ଯତ୍ନବାନ ରହିବାକୁ ସେ ଅନୁରୋଧ କରିଛନ୍ତି ।