ନୂଆଦିଲ୍ଲୀ: ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍(ଏଲଏସି) ଗାଲୱାନ ଭ୍ୟାଲିରେ ଘମାଘୋଟ ଲଢ଼େଇ । ଭାରତ-ଚୀନ୍ ସେନା ବାହିନୀ ମଧ୍ୟରେ ପ୍ରବଳ ଲଢ଼େଇ ଯୋଗୁଁ ଜଣେ ଅଫିସରଙ୍କ ସମେତ ଅତି କମ୍ ରେ ୨୦ ଜଣ ଭାରତୀୟ ଯବାନଙ୍କର ମୃତୁ୍ୟ ହୋଇଥିବା ସରକାରୀ ଭାବେ କୁହାଯାଇଛି । ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ସେପଟେ ଭାରତୀୟ ସେନାଙ୍କ ଗୁଳିରେ ଚୀନ୍ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା କୁହାଯାଉଥିଲେ ମଧ୍ୟ ଚୀନ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ଗତକାଲି ମଧ୍ୟରାତ୍ରରେ ଗାଲୱାନ୍ ଭ୍ୟାଲିରେ ଚୀନ୍ ସେନା ଦାଦାଗିରି ଦେଖାଇଥିଲେ । ଭାରତୀୟ ଯବାନମାନେ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ହାତାହାତି ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଷ୍ଟାଣ୍ଡ୍ ଅଫ୍ ଲୋକେସନ୍ ର ସବ୍ ଜିରୋ ତାପମାତ୍ରାରେ ଡ୍ୟୁଟି କରୁଥିବା ଜଣେ ଅଫିସରଙ୍କ ସମେତ ଦୁଇ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ଏବଂ ୧୭ ଜଣ ଗୁରୁତର ଆହତ ହୋଇଥିବା କୁହାଯାଇଥିଲା । ତେବେ ୨୦ ଜଣ ମୃତ୍ୟୁବରଣ କରିଥିବା ମଙ୍ଗଳବାର ବିଳମ୍ବିତ ରାତିରେ ସରକାରୀ ଭାବେ ସ୍ପଷ୍ଟ କରାଯାଇଛି । ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି ।
୪୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଏଭଳି ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ଆକ୍ରମଣରେ ଭାରତୀୟ ସେନାଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ତନାଘନା କରୁଛନ୍ତି । ପରିସ୍ଥିତି ସାଂଘାତିକ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଦେଶବାସୀ ଅପେକ୍ଷା କରିଛନ୍ତି ।