ଗଞ୍ଜାମ, ଗଜପତି, ରାୟଗଡ଼ାକୁ ମାରାଥାନ୍ ଗସ୍ତ
ଭୁୁବନେଶ୍ୱର: ଓଡ଼ିଶାର କରୋନା ହଟସ୍ପଟ୍ ଗଞ୍ଜାମ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଆଜି ମାରାଥନ୍ ଗସ୍ତ କରିଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ସେ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରଗୁଡ଼ିକୁ ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ । ଅଧିକାଂଶ ଜାଗାରେ ବ୍ୟବସ୍ଥିତ ଢ଼ଙ୍ଗରେ କାମ ଚାଲିଥିବାରୁ ଦାୟିତ୍ୱରେ ଥିବା ସରପଞ୍ଚ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ପାଣ୍ଡିଆନ୍ । ଏଥିସହ ଜିଲ୍ଲାଗୁଡ଼ିକରେ କୋଭିଡ୍ ହସ୍ପିଟାଲ୍ ର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ ।
କରୋନା ଆକ୍ରାନ୍ତ ତାଲିକାର ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାର ସବୁଠାରୁ ଅଧିକ ପ୍ରବାସୀ ଶ୍ରମିକ ଫେରନ୍ତା ଶେରଗଡ଼, ହିଞ୍ଜିଳି, ଆସ୍କା, କବିସୂର୍ଯ୍ୟନଗର ଏବଂ ପୋଲସରା ବ୍ଲକ୍ କୁ ମାରାଥାନ୍ ଗସ୍ତ କରିଥିଲେ ୫-ଟି ସଚିବ । ଟ୍ରେନ୍ ଓ ବସ୍ ଯୋଗେ ଫେରୁଥିବା ପ୍ରବାସୀମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ପଚାରି ବୁଝିଥିଲେ । କୋଭିଡ୍ ମୁକାବିଲା ପ୍ରସ୍ତୁତି ଉପରେ ବ୍ଲକ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପଞ୍ଚାୟତ ସରପଞ୍ଚମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଅଧିକାଂଶ ସରପଞ୍ଚ ଦିନରାତି ଏକକରି କୋଭିଡ୍ ମୁକାବିଲାରେ ଲାଗିଥିବା ଜାଣି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସରପଞ୍ଚ ଏବଂ ସେମାନଙ୍କ ଟିମ୍ କୁ ନିଜର ଯତ୍ନ ନେବାକୁ ପାଣ୍ଡିଆନ୍ ପରାମର୍ଶ ମଧ୍ୟ ଦେଇଥିଲେ ।






