ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଆଜି ସଂଧ୍ୟାରେ ଡିପ୍ରେସନ୍ ର ରୂପ ନେବ । ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବ । ତାହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପରେ ଦିଗ ବଦଳାଇ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଗତି କରିବ । ୧୭ ତାରିଖ ସଂଧ୍ୟା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ । ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ପଶ୍ଚିମବଙ୍ଗ, ବାଲାଂଦେଶରେ ଲ୍ୟାଣ୍ଡଫଲ୍ କରିବାର ଅଧିକ ସମ୍ଭାବନା ରହିଥିବା ଆଇଏମଡି ଆକଳନ କରିଛି ।
ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହିଛି । ଉତ୍ତର ଉପକୂଳ ଓଡ଼ିଶା ଉପରେ ବାତ୍ୟା ବିପଦ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ବାତ୍ୟା ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଶେଷରେ ଶ୍ରୀ ମହାପାତ୍ର କହିଛନ୍ତି ଆମେ ସବୁ ପ୍ରକାର ପରିସ୍ଥିତିର ସାମନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଓଡ଼ିଶାର ୧୨ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ଆଶଙ୍କା କରାଯାଉଛି । ତେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଉପରେ ଅଧିକ ପ୍ରଭାବ ପଡ଼ିବାର ସମ୍ଭାବନା ଅଛି ।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନକଳକୁ ସମ୍ପୂର୍ଣ୍ଣ ସଜାଗ କରାଯାଇଥିବା ଏସଆସି କହିଛନ୍ତି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ମୁକାବିଲା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ବାତ୍ୟା ଆଶଙ୍କା ଜିଲ୍ଲାଗୁଡ଼ିକରେ ସ୍କୁଲ କଲେଜ ବିଲଡିଂକୁ ସେଲଟର୍ ହୋମ୍(ଆଶ୍ରୟସ୍ଥଳ) କରିବାକୁ କୁହାଯାଇଛି । ସେଲଟର୍ ହୋମ୍ ଦାୟିତ୍ୱରେ ସ୍ଥାନୀ ସରପଞ୍ଚଓ ଦୁଇଜଣ ଶିକ୍ଷକ ଦାୟିତ୍ୱରେ ରହିବେ । ରାପିଡ୍ ଆକ୍ସନ୍ ଟିମ୍ କୁ ସଜାଗ କରାଯାଇଛି । ପୁଲିସ, ଅଗ୍ନିଶମ ଓ ଏନଡିଆରଏଫ୍ କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶଙ୍କା ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।
୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଆଜିଠାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି । କୃଷି, ସମବାୟ, ପଞ୍ଚାୟତିରାଜ, ଶକ୍ତି, ଜଳସମ୍ପଦ ଆଦି ବିଭାଗ ଅଧିକ ସତର୍କ ରହିବାକୁ କୁହାଯାଇଛି । ସମୁଦ୍ର କୂଳରୁ ୩ କିଲୋମିଟର ମଧ୍ୟରେ ଥିବା ଅସ୍ଥାୟୀ କୋଭିଡ୍ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି ।
ଲ୍ୟାଣ୍ଡଫଲ୍ ଯେଉଁଠି ହେଉ ନା କାହିଁକି ଅତି ଖରାପ ପରିସ୍ଥିତିର ସାମନା କରିବା ପାଇଁ ପ୍ରଶାସନ କଳକୁ ସଜାଗ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ଏହାକୁ ହାଲୁକାରେ ନିଅନି, ପ୍ରସ୍ତୁତ ରୁହ ବୋଲି ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି । ପୂର୍ବ ଅଭିଜ୍ଞତା ଆଧାରରେ ପ୍ରଶାସନିକ କଳ କାର୍ଯ୍ୟରେ ଲାଗିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।