ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କୋଲକତାରେ ଲୁଚିଛନ୍ତି ଡାକ୍ତର ମୋତିଲାଲ୍ ଗୌଡ। ସେଠାକାର୍ ରେଡ ଲାଇଟ୍ ଏରିଆ ସୋନାଗାଛି ନିକଟ ଏକ ନିକାଞ୍ଚନ ଜାଗା ତାଙ୍କ ପାଇଁ ସୁରକ୍ଷିତ ହୋଇଛି । ଶାସକ ଦଳର ସହଯୋଗୀ ଯୁବନେତାଙ୍କ ଇସାରା ଓ ସହଯୋଗରେ ସେଠାରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । କୋଲକତାର ଏହି ନିର୍ଦ୍ଦିଷ୍ଟ ଇଲାକା ମୋତିଲାଲ ଓ ତାଙ୍କ ଗଡ଼ଫାଦର ଗୋଷ୍ଠୀ ପାଇଁ ନୂଆ ନୁହେଁ । ନିୟମିତ ଭାବେ ଶାସକ ଦଳର ନିର୍ଦ୍ଦିଷ୍ଟ ଯୁବ ବିଧାୟକ ଓ ଛାତ୍ର ନେତାଙ୍କ ସହ ମୋତିଲାଲ ଅୟସ୍ ପାଇଁ ସେଠାକୁ ଚାଲିଯାଆନ୍ତି ।
ଆଶ୍ଚର୍ଯ୍ୟର କଥା, ନିଜକୁ ଦକ୍ଷ ବୋଲାଉଥିବା ରାଜ୍ୟ କ୍ରାଇମ୍ବ୍ରାଞ୍ଚ ଏ ଯାଏଁ ମୋତିଲାଲଙ୍କ ସନ୍ଧାନର ସୁରାକ୍ ପାଇନାହିଁ କି ସେ ସନ୍ଧାନ ପାଇବାକୁ ଉଦ୍ୟମ କରିନାହିଁ । ଆଗୁଆ ଜାମିନ୍ ଆବେଦନ ଶୁଣାଣୀ ସମୟରେ ହିଁ ଭୁବନେଶ୍ୱରରେ ମୋତିଲାଲ ନିଜର ଅନ୍ତରଙ୍ଗ ବିଜେଡ଼ି ବନ୍ଧୁଙ୍କ ଗହଣରେ ଥିଲେ ଏବଂ ସେଠାରୁ ସେ ଫେରାର ହୋଇଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କୌଣସି ଟେର୍ ନ ପାଇବା ସମସ୍ତଙ୍କୁ ବିସ୍ମିତ କରିଛି ।
ମୋତିଲାଲଙ୍କୁ ଫେରାର୍ କରାଇବା ପଛରେ ତାଙ୍କର ଗଡ଼ଫାଦର୍ ସାଜିଥିବା ମନ୍ତ୍ରୀ, ବିଧାୟକ ଓ ଯୁବନେତାଙ୍କ ହାତଥିବା ସନ୍ଦେହ କରାଯାଉଛି । ମାତ୍ର କ୍ରାଇମବ୍ରାଞ୍ଚ ଏହି ସୂତ୍ରର ସହଯୋଗ ଲୋଡିବାକୁ ସାହାସ ଜୁଟାଇ ପାରୁନାହିଁ । ମୋତିଲାଲ୍ ଗିରଫ ହେଲେ ଜାଲିଆତି ଚେର୍ ଓଗାଳି ହୋଇଯିବ ଏବଂ ମନ୍ତ୍ରୀ, ବିଧାୟକଙ୍କ ମୁଖା ଖୋଲିଯିବ । ଏହି ଆଶଙ୍କାରେ ଶାସକ ଦଳର ଏହି ଗୋଷ୍ଠୀ ନିଶ୍ଚିତ ଥିବାରୁ କ୍ରାଇମବ୍ରାଞ୍ଚ ଉପରେ ଚାପ ପକାଉଛନ୍ତି । ଉଲ୍ଲେଖଯୋଗ୍ୟ, ମୋତିଲାଲ୍ଙ୍କ କଳା କାରନାମା ପଦାକୁ ଆସି ଗଣମାଧ୍ୟମରେ ଜୋର ଚର୍ଚ୍ଚା ଚାଲିଥିବା ବେଳେ ବି ତାଙ୍କୁ ନିଜ କ୍ୱାର୍ଟରରେ ବସାଇ ମନ୍ତ୍ରଣାରେ ମାତିଥିଲେ ପ୍ରଭାବଶାଳୀ ଗୋଷ୍ଠୀ । ଏଥିପାଇଁ ନା ସେମାନେ ଭୟ କରିଥିଲେ ନା ଲଜ୍ଜା ଅନୁଭବ କରିଥିଲେ । ମୋତିଲାଲଙ୍କ ସବୁ କାରନାମା ପଛରେ ସିଂହ ଭାଗ ଥିବାରୁ ସେମାନେ ଏଭଳି ସାହାସ କରିଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଯେ ଏହା ଜାଣି ନ ଥିଲେ ତାହା ନୁହେଁ ମାତ୍ର ଉପର ଶକ୍ତି ଆଗରେ ଅଥର୍ବ ହୋଇଯାଇଥିଲେ । ସେବେଠୁଁ ଟ୍ରାକ୍ ରଖିଥିଲେ ମୋତିଲାଲ୍ ଫେରାର ହେବାକୁ ସାହାସ କି ସୁଯୋଗ ପାଇ ନ ଥାଆନ୍ତେ ବୋଲି କୁହାଯାଉଛି ।
ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ପଦରୁ ନିଲମ୍ବିତ ହେଲା ପରେ ପ୍ରଭାବଶାଳୀ ସହଯୋଗୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ମୋତିଲାଲ ନିଜ ଚାମ୍ବର ତାଲା ଭାଙ୍ଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ କରିଛନ୍ତି । ଅଫିସ୍ ସିସିଟିଭି କ୍ୟାମେରାରେ କଏଦ ଏହି ଦୃଶ୍ୟକୁ ଉଡାଇ ଦେବାକୁ ବି ଉଦ୍ୟମ ଚାଲିଛି । କ୍ରାଇମ୍ବ୍ରାଞ୍ଚ ପାଖରେ ଏହାର ସୁରାକ୍ ଥିଲେ ମଧ୍ୟ ଅଧିକାରୀମାନେ ହାତ ବାନ୍ଧି ବସିବା ଓ ସମୟ ଗଡ଼ାଇବା ତଦନ୍ତ ନିରପେକ୍ଷତା ଉପରେ ଅଙ୍ଗୁଳି ଉଠାଇଛି । ଘଟଣା ଘଟିବାର ୧୫ ଦିନ ଗଡ଼ିଗଲାଣି ଏବଂ ଆଗୁଆ ଜାମିନ୍ ଖାରଜ ପରେ ମୋତିଲାଲ୍ ଫେରାର ହୋଇଯାଇଥିଲେ ବି କ୍ରାଇମ୍ବ୍ରାଞ୍ଚ ସେ ଦିଗକୁ ନ ଛୁଇଁବା ସମସ୍ତଙ୍କୁ ବିସ୍ମିତ କରିଛି । ହୁଏତ କ୍ରାଇମବ୍ରାଞ୍ଚ ହାତରେ ମୋତିଲାଲଙ୍କ ସନ୍ଧାନ ବାଜିଥିଲେ ମଧ୍ୟ ତାଙ୍କୁ ଗିରଫ ନ କରି ସମୟ ଗଡ଼ାଇଦେଲେ ତଦନ୍ତର ଅନେକ ଦିଗକୁ ଛପାଇ ଦିଆଯାଇପାରିବ ବୋଲି ଯୋଜନା ହୋଇଛି ।