ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର୍ଙ୍କ ଗାଡ଼ି ଉପରେ ଆକ୍ରମଣ ବିଜେଡ଼ିକୁ ଜବରଦସ୍ତ ମହଙ୍ଗା ହୋଇଛି । ଆକ୍ରମଣର ପ୍ରତିକ୍ରିୟାରେ ଛାନିଆଁ ହୋଇଯାଇଛନ୍ତି ବିଜେଡ଼ି ନେତା । ଦଳର ମୁହଁ ବଞ୍ଚାଇବା ପାଇଁ ବେପରୁଆ ଭାବେ କିଏ କେଉଁ ବକ୍ତବ୍ୟ ରଖୁଛନ୍ତି ତାହାର ଥଳକୂଳ ରହୁନି । ଘଟଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଗମ୍ଭୀରତାର ସହ ନେଇ ନବୀନଙ୍କୁ ସତର୍କ କରାଇଥିବା ବେଳେ କଟକରେ ଗର୍ଜିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ଅତ୍ୟନ୍ତ ରୁକ୍ଷ ଭାଷାରେ ନବୀନ ସରକାରଙ୍କୁ ସେ ନିନ୍ଦିଛନ୍ତି । ସାହାସ ଅଛି ତ ତାଙ୍କ ଉପରେ ଆକ୍ରମଣ କରନ୍ତୁ ବୋଲି ବିଜେଡ଼ିବାଲାଙ୍କୁ ଆହ୍ୱାନ ଦେଇଛନ୍ତି । ଖାଲି ସେତିକି ନୁହେଁ, ନବୀନ ସରକାର ଉପରେ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି ପାରିକର । ଚିଟ୍ଫଣ୍ଡ କେଳେଙ୍କାରୀର ସିବିଆଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ଏବଂ ଦିଲ୍ଲୀ ଯାଇ ଆଗ ସେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିବେ ବୋଲି ଚେତାଇ ଦେଇଛନ୍ତି ।
ପାରିକର୍, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ଆସିଥିବା ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ନବୀନ ସରକାରଙ୍କ ବିରୋଧରେ କମ୍ପିଛନ୍ତି । ସବୁଠାରୁ ବଡ଼କଥା, ବରଗଡ଼ ଆକ୍ରମଣ ଘଟଣା ବିଜେପିକୁ ପ୍ରବଳ ଶକ୍ତି ଯୋଗାଇଛନ୍ତି । ଦୁର୍ବଳ ସାଂଗଠନିକ ସ୍ଥିତିରେ ଥିବା ବିଜେପିକୁ ସବଳ କରିଦେଇଛି । ବିଜେପି କର୍ମୀମାନେ ଅତ୍ୟଧିକ ଉତ୍ସାହିତ ହୋଇ ନବୀନ ସରକାରଙ୍କ ବିରୋଧରେ ଲଢ଼େଇକୁ ଓହ୍ଲାଇଛନ୍ତି । ସାଧାରଣ ଜନତାଙ୍କ ଅନୁକମ୍ପା ହାସଲ କରି ଶକ୍ତିଶାଳୀ ହୋଇଛନ୍ତି । ବିଜେପି ନେତୃତ୍ୱ ଉପରେ ମନଉଣା କରି ବସିଥିବା ବିଜୟ ମହାପାତ୍ର, କନକ ବର୍ଦ୍ଧନ ସିଂହଦେଓ ଓ ଦିଲ୍ଲୀପ ରାୟଙ୍କ ଭଳି ନେତା ମାନ ଅଭିମାନ ଛାଡ଼ି ବିଜେଡ଼ି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି । ଭୁବନେଶ୍ୱରରେ ଦଳର ଜରୁରୀ କାର୍ଯ୍ୟକାରିଣୀ ବୈଠକରେ ତଥାକଥିତ ଏହି ବରିଷ୍ଠ ଅସନ୍ତୁଷ୍ଟମାନେ ରାଜ୍ୟ ବିଜେପି ନେତୃତ୍ୱ ଓ ଦିଗହରା କର୍ମୀଙ୍କଠାରେ ସବାର ହୋଇ ଶକ୍ତି ଯୋଗାଇଛନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼େଇ ପାଇଁ ଏଭଳି ଜମାଣିଆ ମୌକାକୁ ସେମାନେ ହାତଛଡ଼ା କରିନାହାନ୍ତି ଏବଂ ଧର୍ମେନ୍ଦ୍ରଙ୍କ ଶକ୍ତି ଆଗରେ ନିଜର ହୀନମନ୍ୟତା ଛାଡ଼ିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ମନପ୍ରାଣ ଦେଇ ନବୀନ ସରକାରଙ୍କ ବିରୋଧରେ ଲମ୍ଫ ଦେଇଛନ୍ତି ସେମାନେ ।
ବିଜେପି ରଣହୂଙ୍କାର ଆଗରେ ବିଜେଡ଼ି ଉପରକୁ ଫୁଟାଣି ମାରୁଥିଲେ ବି ଲାଙ୍ଗୁଳ ଜାକିଦେଇଛି । ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରିବା ଅତ୍ୟନ୍ତ ମୁର୍ଖାମୀ ବୋଲି ଖୋଦ୍ ବିଜେଡ଼ି ସୁପ୍ରିମା ଅନୁଭବ କରିଛନ୍ତି । ବରଗଡ଼ରେ ବିଜେପି ବିକାଶ ଉତ୍ସବର ପ୍ରତିବାଦ କ୍ୟାମ୍ପନ୍ରେ ନେତୃତ୍ୱ ନେଇଥିବା ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ, ଏମ୍ପି ଓ ବିଧାୟକଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମୋ । ଦଳକୁ ଏହା ଯେଭଳି ଡ୍ୟାମେଜ୍ କରିଛି ତାହାକୁ ସହଜରେ ବରଦାସ୍ତ କରିପାରୁନାହାନ୍ତି ନବୀନ । ଢ଼େଙ୍କାନାଳରେ ନିଜ ଉପରେ ଏହାର ପ୍ରତିଫଳନ ମୁଖ୍ୟମନ୍ତ୍ରୀଙ୍କୁ ବିବ୍ରତ କରିଛି । ଘଇତା ମରୁ ପଛେ.. ନ୍ୟାୟ ଧରି ପରଷ୍ପର ଭିତରେ ବାଡ଼ିଆପିଟା ହେଉଥିବା ଦଳୀୟ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ତାଗିଦ୍ କରିଦେଇଛନ୍ତି । ବିଜେଡ଼ିର ଜଣଙ୍କ ପରେ ଜଣଙ୍କ କାରନାମା ଦଳର ଭାବମୂର୍ତ୍ତିକୁ ଖାଲି କଳଙ୍କିତ କରୁନାହିଁ ବରଂ ବିଜେପି ନେତାଙ୍କୁ ଏକାଠି କରିବାର ମଉକା ଯୋଗାଉଛି । ଚିଟ୍ଫଣ୍ଡ, ମୋତିଲାଲ ଓ ବରଗଡ଼ ଆକ୍ରମଣ ଏହାର ସତ୍ୟତମ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ହୋଇଛି ।
୧୬ ବର୍ଷର ଶାସନକାଳ ଭିତରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ବରଗଡ଼ ଘଟଣା ନବୀନଙ୍କୁ ଘାଇଲା କରିଛି । ଦିଲ୍ଲୀ ଦରବାରରେ ତାଙ୍କର ଖାଦି ଖିନ୍ଭିନ୍ କରି ଗଭୀର ନିନ୍ଦିତ କରିଛି । କେବଳ ବ୍ୟକ୍ତିଗତ ଭାବମୂର୍ତ୍ତି ନୁହେଁ, ଦଳ ପାଇଁ ମଧ୍ୟ ଏହା ମସ୍ତବଡ଼ ଚାଲେଞ୍ଜ ଭାବେ ଛିଡା ହୋଇଛି । ଯେଉଁ ସ୍ତରକୁ ଯାଇ ବିଜେଡ଼ି ନେତାମାନେ ବରଗଡ଼ରେ କାଣ୍ଡ ଭିଆଇଲେ ତାହା ସାରା ରାଜ୍ୟରେ ଦଳୀୟ କର୍ମୀଙ୍କୁ ବି ଅଡୁଆରେ ପକାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳର ଏଭଳି ଇମେଜ୍ ବିଜେପିକୁ ଯଥେଷ୍ଟ ପାଇଦା ହୋଇଛି । ବିଜେପି ନେତାମାନେ ଏକାଠି ହୋଇ ସଂଗ୍ରାମକୁ ଓହ୍ଲାଇଛନ୍ତି ।