ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ହ୍ୟାଲୋ.. ଅମୁକରୁ ଅମୁକ ବାବୁ କହୁଛନ୍ତି ତ ? ଆଜ୍ଞା, ମୁଁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ୍ରୁ କହୁଛି । ପ୍ଲିଜ୍, ଆପଣଙ୍କ ଘରର ଆଡ୍ରେସ୍ଟା ଟିକେ ଦେବେ କି ? ନାଇଁ ସେମିତି କିଛି ନାହିଁ, ସାର୍ ଚାହୁଁଛନ୍ତି ଆପଣଙ୍କୁ ଟିକେ ଗ୍ରୀଟ୍ କରିବାକୁ । ଗ୍ରୀଟ୍ ?? ହଁ ସେମିତି ଛୋଟକାଟିଆ ଗିଫ୍ଟ.. ଡୋଣ୍ଟ ମାଇଣ୍ଡ୍.. ନମସ୍କାର ।
ମୋବାଇଲରେ ଆକର୍ଷଣୀୟ ଓ ମନଲୋଭା ନାରୀ କଣ୍ଠର ଏହି ଦୁଇ ଚାରିପଦ କଥା ଭାସି ଆସିଛି ରାଜଧାନୀର ଅଧିକାଂଶ ସାମ୍ବାଦିକଙ୍କ ପାଖକୁ । ଗୁରୁବାର ଦିନ ୫୦ ରୁ ଅଧିକ ଟିଭି ଓ ଖବରକାଗଜ ସାମ୍ବାଦିକଙ୍କଠାରୁ ଘର ଆଡ୍ରେସ୍ ସଂଗ୍ରହ କରିଛନ୍ତି ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ୍ । ସାମ୍ବାଦିକଙ୍କ ମନ ପ୍ରେମ୍ କରିବାକୁ ମନଲୋଭା ନାରୀକଣ୍ଠ ଯୋଗେ ଏହି ଗିଫ୍ଟ୍ ଅଫର୍ର ସୂଚନା ଦିଆଯାଇଛି । ନୂଆବର୍ଷ ନାହିଁ, ରଜ ଚାଲିଗଲା । ଆଗକୁ ଦଶହରା ଫସହରା ନାହିଁ । ଏମିତିକା ଅବେଳରେ ଧର୍ମେନ୍ଦ୍ର ଓରଫ୍ ମୁକୁ ପ୍ରଧାନ ସାମ୍ବାଦିକମାନଙ୍କ ମନୋରଞ୍ଜନ ପାଇଁ କାହିଁକି ମନ ବଳେଇଲେ ତାହା ବୁଝିହେଉନି । ଅବଶ୍ୟ, ଏକଥା ଅଛପା ନାହିଁ କି ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ବିଭୋର ହୋଇଯାଇଛନ୍ତି ମୁକୁ । ସେହି ସ୍ୱପ୍ନ ତାଙ୍କୁ ଏମିତି ବାୟା କରିଛି ଯେ ଦଳର ପାରିବାରଲୋକଙ୍କୁ ସାଇଡ୍ କରି ନିକମା ଲୋକଙ୍କୁ ଚେଲା କରିଛନ୍ତି । ନିଜ ଜନ୍ମମାଟିରେ କୁଣିଆଁ ପୁଅ(ବିହାର ଏମପି) ହେବାର ସୌଭାଗ୍ୟପ୍ରାପ୍ତ ମୁକୁ ହୋଇ ଓଡ଼ିଶା ବିଜେପିର ଡାଇରେକ୍ଟ ଘରଜୋଇଁ । ପ୍ରତିଦିନ ଟିଭି ଓ ପେପରରେ ମୁହଁ ଦେଖାଇଲେ ଲୋକ କୁଆଡେ ତାଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରାଇଦେବାର ନିଶାରେ ଚୁର୍ । ଏଭଳି ସ୍ୱପ୍ନ ବିଭୋର ମୁକୁ ବଳକୌଶଳ ଖଟାଇ ସବୁ ମିଡ଼ିଆକୁ ବୋଲକରା କରାଇବା ଚେଷ୍ଟାରେ ଅଛନ୍ତି ।
ପକେଟରେ ତେଲ ପଇସା ଅଭାବ ନାହିଁ । ପାୱାର୍ ବି କମ ନାହିଁ । ପାୱାର, ମନି ଧରି ନବୀନ ପଟ୍ଟନାୟକଙ୍କ ସହ ଲଢ଼ିବେ ଏବଂ ୨୦୧୯ରେ ନବୀନଙ୍କ ବିକଳ୍ପ ହେବେ । ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବା ପାଇଁ ଧର୍ମେନ୍ଦ୍ର ଦଳଫଳ କଥା ନ ଭାବି ଅଦଳିଆ ରଣକୌଶଳ ଧରିଛନ୍ତି । ସେଥିରେ ପ୍ରମୁଖ ରହିଛି ଗଣମାଧ୍ୟମ । ସାମ୍ବାଦିକମାନଙ୍କ ମନ କିଣି ରଖିବା ପାଇଁ ତାଙ୍କ ବଡ଼ ପକେଟରୁ ଛୋଟ ପ୍ରୟାସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୁକୁଙ୍କ ସେହି ଛୋଟ୍ ଗିଫ୍ଟରେ କ’ଣ ରହିଛି ତାହା ଉପରେ ସମସ୍ତଙ୍କ ନଜର । ଏଥିସହ ସାମ୍ବାଦିକମାନଙ୍କ ସହ ଉତ୍ତମ ସମ୍ପର୍କ ବାନ୍ଧିବା ଉଦ୍ୟମ ତାଙ୍କର କେତେଦୂର ସଫଳ ହେଉଛି ତାହା ଦେଖିବାର କଥା ।