ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କୁ ରାଜ୍ୟର କୌଣସି ଜାଗାରେ ପୂରାଇ ଦିଆଯିବନି । ଯେସାକୁ ତେସା ନୀତିରେ ରାଜ୍ୟ ମନ୍ତ୍ରୀମାନଙ୍କ ଗାଡ଼ିକୁ ଆକ୍ରମଣ ଓ ଢ଼େଲାମାଡ଼ ହେବ । ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର୍ଙ୍କ ଗାଡ଼ି ଉପରେ ବିଜେଡ଼ି କର୍ମୀଙ୍କ ଆକ୍ରମଣ ପରେ ଆରଏସ୍ଏସ୍ ଏହି କଠୋର ନିଷ୍ପତି ହୋଇଛି । ଆଉ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ଆଜ୍ଞାମାଳ ନେଇ ବିଜେପି ରଣହୁଙ୍କାର ଦେଇଛି ।
ବରଗଡ଼ରେ ବିଜେପି ବିକାଶ ସମାବେଶରେ ଯୋଗଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଗଙ୍ଗୱାର୍ଙ୍କ ଗାଡ଼ି ଉପରେ ଆକ୍ରମଣର ଜବାବ ଦେବାକୁ ରାଜ୍ୟ ବିଜେପି ନେତୃତ୍ୱ ନିଜର କର୍ମୀମାନଙ୍କୁ ସଜାଗ କରିଛି । ରାଜ୍ୟର ମନ୍ତ୍ରୀମାନେ ଯେଉଁଠିକି ଗସ୍ତ କରିବେ ସେଠି ତାଙ୍କୁ ସମାନ ଦଶା ଭୋଗିବାକୁ ପଡ଼ିବ ବୋଲି କୁହାଯାଇଛି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ବିଜୁ ଯୁବ ଜନତା ଦଳ ସଫେଇ ଦେଇଛି । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଥିଲା ବେଳେ ବିକାଶ ସମାବେଶ ନାଁରେ ଲୋକଙ୍କୁ ଭୂଆଁ ବୁଲାଯାଉଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏହା ଆକ୍ରମଣ ନୁହେଁ ବରଂ ପ୍ରତିବାଦ । ଆଗାମୀ ଦିନରେ ଏଭଳି ପ୍ରତିବାଦ ବ୍ୟାପକ କରାଯିବ ବୋଲି ଯୁବ ବିଜେଡ଼ି ଚେତାବନୀ ଦେଇଛି । ଏଭଳି ଧମକ/ପ୍ରତିଧମକ ଭିତରେ ବିଜେପି ଓ ବିଜେଡ଼ି ସମ୍ପୂର୍ଣ୍ଣ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି ।