ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱର ଛାଡି ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ଡାକ୍ତର ମୋତିଲାଲ ଗୌଡ଼ । ତାଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ପୁଲିସ ତନାଘନା ଆରମ୍ଭ କରିବା ପୂର୍ବରୁ ସେ ଏକ କାର୍ରେ ନୟାଗଡ଼ ଭାୟା ହୋଇ ଓଡ଼ିଶା ପାର୍ ହୋଇଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ଆଜି ହାଇକୋର୍ଟରେ ମୋତିଲାଲଙ୍କ ଜାମିନ୍ ଆବେଦନର ଶୁଣାଣୀ ହୋଇଥିଲା । ମଧ୍ୟାହ୍ନରେ ବିଚାରପତି ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ମାତ୍ର ଅଚାନକ ସଂଧ୍ୟା ପ୍ରାୟ ୭ ଟା ବେଳକୁ ମାନ୍ୟବର ବିଚାରପତି ତାଙ୍କର ଜାମିନ୍ ଆବେଦନର ରାୟ ପ୍ରକାଶ କରିଥିଲେ । ସେଥିରେ ମୋତିଲାଲଙ୍କ ଜାମିନ୍ ଆବେଦନ ନାକଚ ହୋଇଯିବା ସହ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦିଆଯାଇଥିଲା । ସକାଳର ପାଣିପାଗରୁ ଆଜି ରାୟ ପ୍ରକାଶ ପାଇବନି ବୋଲି ନିଶ୍ଚିତ ହୋଇସାରିଥିବା ମୋତିଲାଲ ଭୁବନେଶ୍ୱରରେ ଅନ୍ତରଙ୍ଗ ବିଧାୟକ ସାଙ୍ଗଙ୍କ ମେଳରେ ଥିବା ବେଳେ ହିଁ ତାଙ୍କ ଜାମିନ୍ ଆବେଦନ ନାକଚ ଖବର ପାଇଥିଲେ । ଆଉ ପୂର୍ବ ଯୋଜନାମତେ ତୁରନ୍ତ ଏକ ଚାରିଚକିଆ ଗାଡ଼ିରେ ଭୁବନେଶ୍ୱର ପାର୍ ହୋଇ ନୟାଗଡ଼ ରାସ୍ତା ଧରିଥିଲେ । କ୍ରାଇମବ୍ରାଞ୍ଚ ପୁଲିସ ଭୁବନେଶ୍ୱରର ରେଳଷ୍ଟେସନ୍ ଓ ଏୟାରପୋର୍ଟ ଜଗିବା ବେଳକୁ ଭୁବନେଶ୍ୱର ପାର୍ ହୋଇଯାଇଥିଲେ ମୋତିଲାଲ । ଗରମ ପାଣିପାଗ ବେଳେ କ୍ରାଇମ୍ବ୍ରାଞ୍ଚ ଜେରାରୁ ବର୍ତ୍ତିବା ପାଇଁ ରାଜନୈତିକ ପୃଷ୍ଠପୋଷକମାନଙ୍କ ସୁଚିନ୍ତିତ ଯୋଜନାକ୍ରମେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଏହି ସୂତ୍ରରୁ ଖବର ମିଳିଛି ।
ମୋତିଲାଲଙ୍କ ଆଗୁଆ ଜାମିନ୍ ଆବେଦନର ବିଚାର କରି ପୂର୍ବରୁ ଜଷ୍ଟିସ୍ ଜେ.ପି.ଦାସଙ୍କ କୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ମାତ୍ର କ୍ରାଇମବ୍ରାଞ୍ଚ ପୁଲିସ ଜାମିନ୍ ଆବଦନ ନାକଚ କରିବାକୁ ଚାଲେଞ୍ଜ କରିଥିଲେ । ଆଜି ଏହାର ଶୁଣାଣୀ ବେଳେ ନାଟକୀୟ ଘଟଣାକ୍ରମେ ଆଡଭୋକେଟ ଜନ୍ମେଜୟ କଟକିଆ ସରକାରଙ୍କ ପକ୍ଷରୁ ସ୍ପେଶାଲ କାଉନସିଲ୍ ଭାବେ ଯୁକ୍ତି ଉପସ୍ଥାପନ କରିଥିଲେ । ମୋତିଲାଲଙ୍କ ପକ୍ଷରେ ରାୟ ଜିତିବା ପାଇଁ ପ୍ରଭାବଶାଳୀ ଗୋଷ୍ଠୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲେ ।
ସର୍ବଶେଷ ଖବର ଅନୁଯାୟୀ, ମନ୍ତ୍ରୀ/ବିଧାୟକ ସମ୍ପର୍କର ଗୁମର ପେଡ଼ି ଧରିଥିବା ଡାକ୍ତର ମୋତିଲାଲଙ୍କୁ କ୍ରାଇମବ୍ରାଞ୍ଚ ଜେରାରୁ ଦୂରେଇ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ହୋଇଛି । ବର୍ତ୍ତମାନର ଅବସ୍ଥାକୁ ସାମନା କରିବାର ଦମ୍ଭ ହରାଇ ଭବିଷ୍ୟତ ପରିଣାମକୁ ଆଖି ବୁଜି ଦେଇଛନ୍ତି ମୋତିଲାଲଙ୍କ ସୁରକ୍ଷା ଢ଼ାଲ ସାଜିଥିବା ପାୱାରଫୁଲ୍ ଗୋଷ୍ଠୀ । ଅନ୍ୟପକ୍ଷରେ ଖୋଦ୍ ତୃତୀୟ ମହଲା ନିର୍ଦ୍ଦେଶରେ କ୍ରାଇମ୍ବ୍ରାଞ୍ଚ ପୁଲିସ ମୋତିଲାଲଙ୍କୁ ତୁରନ୍ତ ଗିରଫ କରିବାକୁ ଜାଲ୍ ବିଛାଇଦେଇଛି । ମୋତିଲାଲ ଯେଉଁଠି ବି ଥାଆନ୍ତୁ, ଆଗାମୀ କେଇ ଘଣ୍ଟା ଭିତରେ କ୍ରାଇମବ୍ରାଞ୍ଚ ପୁଲିସ କବଳରୁ ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ ବୋଲି ଜନୈକ ଅଧିକାରୀ ସୂଚନା ଦେଇଛନ୍ତି ।