ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜାଲିଆତି ଘୋଡାଇବାକୁ କଞ୍ଚା ମିଛ କହିଛନ୍ତି ନବକିଶୋର ସାହୁ । ଏ ବାବୁ ହେଉଛନ୍ତି ନୟାଗଡ଼ କ୍ରିଷ୍ଣା କ୍ଲିନିକ୍ର ମାଲିକ ସବିତା ସାହୁଙ୍କ ସ୍ୱାମୀ । ଡାକ୍ତର ମୋତିଲାଲଗୌଡ଼ଙ୍କ ଜାଲିଆତି ଘୋଡାଇ ଗଣମାଧ୍ୟମରେ ଡିହ ଗାଲୁ ମାରିଛନ୍ତି ସେ । ପତ୍ନୀଙ୍କ ମାଲିକାନାରେ ଥିବା କ୍ରିଷ୍ଣା କ୍ଲିନିକ୍ରେ ମୋତିଲାଲ କୁଆଡେ ୨୦୧୦ ମସିହାରୁ ୨୦୧୨ ପର୍ଯ୍ୟନ୍ତ ଡାକ୍ତର ଥିଲେ । ପରେ ଆଉ ନାହାନ୍ତି । କ୍ଲିନିକ୍ରେ ଡାକ୍ତର ଥିବାବେଳେ ଗୌଡ଼ ଚାକିରିରେ ନ ଥିଲେ ବୋଲି ନବବାବୁ ସଫେଇ ଦେଇଛନ୍ତି । ତେବେ ନବବାବୁଙ୍କ ସଫେଇ ଡିଏମ୍ଇଟି ରେଜିଷ୍ଟ୍ରି ତାଲିକାରୁ ଡାହା ମିଛ ବୋଲି ଧରା ପଡ଼ିଯାଇଛି ।
ଡିଏମ୍ଇଟିର କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଇନ୍ ନୟାଗଡ ତାଲିକାର ଦୁଇ ନମ୍ବରରେ ରହିଛି କ୍ରିଷ୍ଣା କ୍ଲିନିକ୍ । ସେଥିରେ ମୋତିଲାଲ ଗୌଡ଼ ଇନ୍ଚାର୍ଜ ଡାକ୍ତର ବୋଲି ଉଲ୍ଲେଖ ଅଛି । ଯାହାର ଭାଲିଡିଟି ପିରିୟର୍ଡ ବା ଅବଧି ସମୟ ରହିଛି ୯.୧.୨୦୧୪ ରୁ ୮.୧.୨୦୧୬ । ନିକଟରେ ଏହି ଅବଧି ସମୟ ଆଉ ଦୁଇବର୍ଷ ବଢ଼ିଥିବା ଜଣାପଡ଼ିଛି । ଶେଷ ହୋଇଥିବା ଅବଧି ସମୟରେ ଡାକ୍ତର ମୋତିଲାଲ୍ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଜଣା । ଅର୍ଥାତ୍ ସରକାରୀ ଚାକିରିରେ ଥାଇ ଡାକ୍ତର ମୋତିଲାଲ ଘରୋଇ କ୍ଲିନିକ୍ ରେ ଇନଚାର୍ଜ ଡାକ୍ତର ଭାବେ ରେଜିଷ୍ଟ୍ରି ହୋଇଛନ୍ତି । କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ରେଜିଷ୍ଟ୍ରେସନ୍ ନମ୍ବର ଏମବିବିଏସ୍ ୬୧୩/୨୦୦୭ରେ ଡାକ୍ତର ମୋତିଲାଲଙ୍କ ନାଁରେ କ୍ଲିନିକ୍ ପଞ୍ଜୀକୃତ ହୋଇଛି ।
ନିୟମ କହୁଛି, ସରକାରୀ ଚାକିରୀ କରୁ ନ ଥିବା ଡାକ୍ତର ହିଁ ପ୍ରାଇଭେଟ୍ ପ୍ରାକ୍ଟିସ୍ କରିପାରିବେ ଏବଂ ତାଙ୍କ ନାଁ ରେ କ୍ଲିନିକ୍ ରେଜିଷ୍ଟ୍ରେସନ୍ ଅନୁମତି ମିଳିବ । ମାତ୍ର ଡାକ୍ତର ମୋତିଲାଲ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସରେ ସହକାରୀ ନିର୍ଦ୍ଦେଶକ ପଦରେ ଥାଇ ଏକ ଘରୋଇ କ୍ଲିନିକ୍ରେ ନିଜକୁ ରେଜିଷ୍ଟ୍ରି କରାଇବାର ସମର୍ଥ ହେବା ପଛର ରହସ୍ୟ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ସତ୍ୟକୁ କ୍ଲିନିକ୍ ମାଲିକାଣୀ ସବିତା ସାହୁଙ୍କ ସ୍ୱାମୀ ନବକିଶୋର ଫାଙ୍କି ଡାକ୍ତର ମୋତିଲାଲଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରିବା ପଛର ରହସ୍ୟ ବି ଜଳ ଜଳ ଦିଶୁଛି । ସାହୁ ଦମ୍ପତ୍ତି ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍ ଲୋକ ହୋଇଥିବା ବେଳେ ମୋତିଲାଲ ବି ଅରୁଣଙ୍କର ଖାସ୍ ଲୋକ । ସୁତରାଂ ଏହି ଖାସ୍ ଚକ୍ରରେ ମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ରବିନ୍ଦୁ ହୋଇଥିବା ଯେ କେହି କହିବ । କ୍ରାଇମ୍ବ୍ରାଞ୍ଚର ନିରପେକ୍ଷ ତଦନ୍ତ ଏହି ଖାସ୍ ଚକ୍ରକୁ ଭେଦ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ମାତ୍ର ଏହି ନିରାଟ ସତକୁ ଡାହା ମିଛ କରିଛନ୍ତି ନବକିଶୋର । ମୋତିଲାଲଙ୍କ ଗୋଟିଏ ଜାଲିଆତିକୁ ଲୁଚାଇବାକୁ ଯାଇ ସେ ଆଉ ଏକ ସାଂଘାତିକ ଜାଲିଆତି ଭୂମିଷ୍ଠ କରିଛନ୍ତି । ଏହି ଡବଲ ଅପରାଧ ଉପରେ କିଭଳି ଶାସ୍ତି ହେଉଛି ତାହା ଏବେ ଦେଖିବାର କଥା ।