ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱରରୁ ନୟାଗଡ଼ ଲମ୍ବିଛି ଡାକ୍ତର ମୋତିଲାଲ ଗୌଡଙ୍କ ଜାଲିଆତି ଚେର । ଏ ସମ୍ପର୍କିତ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ନୟାଗଡ଼ କଲେଜ ରୋଡସ୍ଥିତ କଳ୍ପନା କମ୍ପ୍ଲେକ୍ସରେ ଥିବା କ୍ରିଷ୍ଣା କ୍ଲିନିକ୍ ରେଜିଷ୍ଟ୍ରି ହୋଇଛି ମୋତିଲାଲଙ୍କ ନାଁରେ । କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ରେଜିଷ୍ଟ୍ରେସନ୍ ନମ୍ବର ଏମବିବିଏସ୍ ୬୧୩/୨୦୦୭ରେ ଡାକ୍ତର ମୋତିଲାଲଙ୍କ ନାଁରେ କ୍ଲିନିକ୍ ପଞ୍ଜୀକୃତ ହୋଇଛି । ନିୟମ ଅନୁଯାୟୀ ସରକାରୀ ଚାକିରୀ କରୁ ନ ଥିବା ଡାକ୍ତର ହିଁ ପ୍ରାଇଭେଟ୍ ପ୍ରାକ୍ଟିସ୍ କରିପାରିବେ ଏବଂ ତାଙ୍କ ନାଁ ରେ କ୍ଲିନିକ୍ ରେଜିଷ୍ଟ୍ରେସନ୍ ଅନୁମତି ମିଳିବ । ମାତ୍ର ଡାକ୍ତର ମୋତିଲାଲ ଗୌଡ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଅଧୀନସ୍ଥ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସରେ ସହକାରୀ ନିର୍ଦ୍ଦେଶକ ପଦରେ ଥାଇ ନିଜ ନାଁରେ କ୍ଲିନିକ୍ ରେଜିଷ୍ଟ୍ରି କରାଇବାରେ ସମର୍ଥ ହୋଇଛନ୍ତି । ଏଭଳି ସାଂଘାତିକ ବେଆଇନ କାର୍ଯ୍ୟ କରିବା ପାଇଁ ସେ ନିଜର ସରକାରୀ ଚାକିରି ତଥ୍ୟକୁ ଲୁଚାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଭୁଲ୍ ଏବଂ ଜାଲ୍ ତଥ୍ୟ ଦେଇ ନିଜ ନାଁରେ କ୍ଲିନିକ୍ ରେଜିଷ୍ଟ୍ରି କରିଛନ୍ତି ଡାକ୍ତର ମୋତିଲାଲ ।
ଡାକ୍ତର ମୋତିଲାଲଙ୍କ ନାଁରେ କ୍ରିଷ୍ଣା କ୍ଲିନିକ୍ର ଦୁଇବର୍ଷିଆ ରେଜିଷ୍ଟ୍ରେସନ୍ ଅବଧି ଗତ ଜାନୁଆରୀ ୮ ତାରିଖରେ ଶେଷ ହୋଇଥିଲା । ମାତ୍ର ଇତିମଧ୍ୟରେ ପୁଣି ଦୁଇବର୍ଷର ଅବଧି ହାତେଇଛନ୍ତି ସେ । ବ୍ରହ୍ମପୁର ବାସିନ୍ଦା ଓ ଭୁବନେଶ୍ୱରରେ ଚାକିରି କରୁଥିବା ଡାକ୍ତର ମୋତିଲାଲ ନୟାଗଡ଼ ଆଡେ କାହିଁକି ମନ ବଳାଇଲେ ସେହି ଗହନର ବି ସୁରାକ୍ ମିଳିଛି । ନୟାଗଡ଼ କ୍ରିଷ୍ଣା କ୍ଲିନିକ୍ର ମାଲିକ ହେଉଛନ୍ତି ସବିତା ସାହୁ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କର ଖାସ୍ । ଆଉ ସବିତା ସାହୁଙ୍କ କ୍ଲିନିକ୍ ରେଜିଷ୍ଟ୍ରେସନ୍ ପାଇଁ ଡାକ୍ତର ମୋତିଲାଲ ହୋଇଛନ୍ତି ମୋହରା । ଅତଏବ ମନ୍ତ୍ରୀଙ୍କ ସହ ମୋତିଲାଲଙ୍କର ଗଭୀର ସମ୍ପର୍କ ହିଁ ତାଙ୍କୁ ନୟାଗଡ଼ ଟାଣି ନେଇଛି । ତେବେ ନିଜେ ସରକାରୀ ଚାକିରିରେ ନ ଥିଲେ ଏଭଳି କାର୍ଯ୍ୟ ପଛରେ କାହାରି ଆପତ୍ତି ନ ଥିଲା । ମାତ୍ର ସରକାରୀ ଚାକିରି କରି ନିଜ ନାଁରେ ଡିଏମଇଟିର କ୍ଲିନିକ୍ ରେଜିଷ୍ଟ୍ରେସନ୍ ହାତେଇବା ପଛର ଜାଲିଆତିରେ ମନ୍ତ୍ରୀଙ୍କ ଭୂମିକା ଏବେ ସନ୍ଦେହଘେରକୁ ଟାଣି ହୋଇଛି ।
ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ଅରୁଣ ସାହୁଙ୍କ ଛାଇ ହେଉଛନ୍ତି ଡାକ୍ତର ମୋତିଲାଲ । ଗଣମାଧ୍ୟମରେ ପ୍ରକାଶିତ ସେଲଫି ହିଁ ତାହାର ଜ୍ୱଳନ୍ତ ପ୍ରମାଣ । ସେପଟେ ଅଫିସ୍ ନ ଯାଇ ମନ୍ତ୍ରୀଙ୍କ ଛାଇ ହୋଇ ବୁଲୁଥିବା ମୋତିଲାଲଙ୍କ ଅସଲ ଚେହେରା ତାଙ୍କ ସରକାରୀ ବିଜ୍ଞପ୍ତି ଜାଲିଆତିରୁ ଧରାପଡ଼ିଛି । ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଚାକିରିରୁ ଗାଏବ ହୋଇ ଶ୍ରମ ବିଭାଗରେ ଭର୍ତ୍ତି ହେବା ଏବଂ ଖୁବ୍ କମ୍ ଦିନରେ ସହକାରୀ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ପାଇବା ପଛର ଜାଲିଆତି ଉପରୁ ଏବେ ପରଦା ହଟୁଛି । ସାଙ୍ଗକୁ ଯୋଡି ହେଲାଣି ନୟାଗଡ଼ ଜାଲିଆତି । କ୍ରାଇମବ୍ରାଞ୍ଜ ମାମଲାର ଛାନଭିନ୍ କରୁଥିବା ବେଳେ ମନ୍ତ୍ରୀ ଓ ବିଜେଡ଼ିର ପ୍ରଭାବଶାଳୀ ଯୁବ ବିଧାୟକଙ୍କ ଅନ୍ତରଙ୍ଗ ସାଜିଥିବା ମୋତିଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କ ନଜର ।