ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶାସକ ଦଳର ପ୍ରଭାବଶାଳୀ ନେତାଙ୍କୁ ହାତରେ ରଖି ଡାକ୍ତର ମୋତିଲାଲ ଗୌଡ ଯାବତୀୟ ଜାଲିଆତି କରିଥିବାର ତଥ୍ୟ ସାମନାକୁ ଆସିବାରେ ଲାଗିଛି । ଖାଲି ସରକାରୀ ବିଜ୍ଞପ୍ତି କି ଚାକିରି ଜାଲିଆତି ନୁହେଁ, ନିଜ ପତ୍ନୀଙ୍କ ନାଁରେ ଏକ ଭୂତ ପାଥ ଲାବ୍ ବି ମୋତିଲାଲଙ୍କର ସୃଷ୍ଟି । ଜାଲ୍ ବିଜ୍ଞପ୍ତିରେ ନିର୍ଦ୍ଦିଷ୍ଟ ଭାବେ ୫ ଟି ପାଥ ଲାବ୍ର ତାଲିକା ଦେଇ ସେଠାରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଥିଲେ । ସେଥିରେ ଭୁବନେଶ୍ୱର କୋଳଥିଆର ମାଉଣ୍ଟ ଇଣ୍ଡିଆ ଅକୁପେସନାଲ୍ ହେଲଥ୍ କେୟାର ଆଣ୍ଡ ଡାଇଗୋନ୍ନିଷ୍ଟ ନାଁ ରହିଥିଲା ।
ଖୋଳତାଡ଼ରୁ ମିଳିଥିବା ସୂଚନା ଅନୁଯାୟୀ, କାଗଜପତ୍ରରେ ଏହି ସଂସ୍ଥାଟି ଯୁଗ୍ମ ମାଲିକାନାରେ ଅଛି । ସେଥିରୁ ଜଣେ ମାଲିକ ଡାକ୍ତର ମୋତିଲାଲଙ୍କ ପତ୍ନୀ ରେଶମା ମଞ୍ଜରୀ ଗୌଡ ଥିଲା ବେଳେ ଅନ୍ୟଜଣଙ୍କ ହେଉଛନ୍ତି ସନ୍ଦୀପ କୁମାର ପୃଷ୍ଟି । ସଂସ୍ଥାର ଠିକଣା ରହିଛି ପ୍ଲଟ୍ ନଂ ୧୦୧/୯୮୧ । କାଗଜପତ୍ରରେ ଉକ୍ତ ଠିକଣା ରହିଥିଲେ ମଧ୍ୟ ବାସ୍ତବରେ ସେଠାରେ କୌଣସି କ୍ଲିନିକାଲ୍ ପ୍ରାକ୍ଟିସ୍ ଚାଲୁ ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅର୍ଥାତ୍ ତଥାକଥିତ ସେହି କ୍ଲିନିକାଲ୍ ସଂସ୍ଥାଟି ଏକ ଭୂତ ସଂସ୍ଥା । କାଗଜପତ୍ରରେ ଏଭଳି ଜାଲ୍ ସଂସ୍ଥା ତିଆରି କରିବା ପଛରେ ମୋତିଲାଲଙ୍କ ମନ୍ଦ ଉଦ୍ଦେଶ୍ୟ ଏବେ ଧରାପଡ଼ିଛି । କ୍ରାଇମ୍ବ୍ରାଞ୍ଚ ଉକ୍ତ ଘର ଉପରେ ଚଢ଼ାଉ କରିବା ସହ ସିଲ୍ କରିଦେଇଛି ।