ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଆଜି ଅଚ୍ୟୁତ ସାମନ୍ତଙ୍କ “କିମ୍ସ ’ ର କୋଠାବାଡ଼ି ମାପଚୁପ୍ କରିବ ବିଡ଼ିଏ । ଯେତେ ଜଲଦି ସମ୍ଭବ ତାହାକୁ ନିୟମିତ କରାଇ ସବୁତକ ଘଳିଆ ଚାଂଛିଦେବ । ସମ୍ ହସ୍ପିଟାଲ୍ ନିଆଁ ପରେ ସରକାରୀ ଧରପଗଡ଼ରୁ ମୁକୁଳିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । କାରଣ ଖାଲି ସମ୍ ନୁହେଁ କିମ୍ସ ନିର୍ମାଣରେ ବି ହଜାରେ ଘଳିଆ । ବିଡିଏର ଅକୁପାନ୍ସୀ ସାର୍ଟିଫିକେଟ୍ ଠାରୁ ଆରମ୍ଭ କରି ଅଗ୍ନି ନିର୍ବାପକ ବ୍ୟବସ୍ଥା ପର୍ଯ୍ୟନ୍ତ କିଛି ବି ଠିକ୍ ନାହିଁ । ତେଣୁ କାଗଜପତ୍ର ରେଡ୍ଡି କରି ତାକୁ ରାତାରାତି ସଜାଡ଼ି ଦେବାର ଉଦ୍ୟମ ଆରମ୍ଭ ହୋଇଛି । ଅଚ୍ୟୁତ ସାମନ୍ତଙ୍କୁ ମନଭରି ସହଯୋଗ କରିବାକୁ ବିଡ଼ିଏ ବି ତତ୍ପର ହୋଇପଡ଼ିଛି । ବିଡିଏ ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ପ୍ଲାନିଂ ବିଭାଗର ଅଫିସର ଓ କର୍ମଚାରୀମାନେ ଅନ୍ୟ କାମକୁ ପଛରେ ପକାଇ ଅଚ୍ୟୁତ ସାମନ୍ତଙ୍କ କାମ ଉପରେ ଫୋକସ୍ କରିଛନ୍ତି । ଦିୱାଲୀ ଭୋଜି ଖାଇଥିବା ବିଡିଏ ପ୍ଲାନିଂ ବିଭାଗ କର୍ମଚାରୀମାନେ ଅନ୍ତତଃପକ୍ଷେ ତାଙ୍କରି ପାଖରେ ଋଣୀ ହେବାକୁ ଚାହିଁନାହାନ୍ତି ।
ଅଚ୍ୟୁତ ସାମନ୍ତଙ୍କ ବିଶାଳ ସାମ୍ରାଜ୍ୟ ଗଢ଼ିବାରେ ବିଡ଼ିଏ ମୂଳରୁ ସହଯୋଗ କରିଆସିଛି । ଆଇନର ପ୍ରତିବନ୍ଧକକୁ ସାମନା କରି ଖସିବାର ବାଟ କରିଛି ବିଡ଼ିଏ । ବିଡିଏ ପ୍ଲାନିଂ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ କିଟ୍ ଓ କିମ୍ସ ବିଲଡିଂ ନିର୍ମାଣରେ ଆଇନର ବାଟ ବଙ୍କା ହୋଇଛି । ଖାସ୍ କରି କିମ୍ସ ବିଲଡିଂ ନିର୍ମାଣରେ ଯାବତୀୟ ଡିଫେକ୍ଟ ରହିଛି । ତେବେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ପରେ କିମ୍ସ ପାଇଁ ସଜାଗ ହୋଇଯାଇଛନ୍ତି ମାଲିକ ଅଚ୍ୟୁତ ସାମନ୍ତ । ସବୁ ବେଆଇନ କାମକୁ ଯେନତେନ ପ୍ରକାରେ ଆଇନସିଦ୍ଧ କରିବା ଉଦ୍ୟମ କରିଛନ୍ତି । ସେଥିପାଇଁ ଦିୱାଲୀ ଅବସରକୁ ଉପଯୋଗ କରିଛନ୍ତି । ଗତ ୨୭ ତାରିଖରେ କିଟ୍ ଜଗନ୍ନାଥ ମନ୍ଦିରରେ ବିଡ଼ିଏ ପ୍ଲାନିଂ ବିଭାଗର କର୍ମଚାରୀମାନଙ୍କୁ ନିରୋଳା ଭୁରି ଭୋଜନରେ ଆପ୍ୟାୟିତ କରିଥିଲେ ଅଚ୍ୟୁତ ସାମନ୍ତ । ଭୋଜନ ବାଦ୍ କର୍ମଚାରୀମାନଙ୍କୁ ଭିତିରିଆ ବି ମନଖୁସି କରାଯାଇଥିବା ଜଣାପଡ଼ିଛି । ତେବେ ଅଚ୍ୟୁତ ସାମନ୍ତ ବଦାନ୍ୟ ହୋଇ ବିଡ଼ିଏ କର୍ମଚାରୀଙ୍କ ମନଖୁସି କରିନାହାନ୍ତି । ବାକିଆ ପଡ଼ିଥିବା ବେଆଇନ କାମ ଆଦାୟ କରିବାକୁ ଏଭଳି ଗେଟ୍ ଟୁଗେଦର କରାଯାଇଥିବା ସ୍ପଷ୍ଟ ହୋଇଛି ।
ଗତକାଲି ବିଡ଼ିଏ ଉପାଧ୍ୟକ୍ଷ ପ୍ଲାନିଂ ବିଭାଗକୁ କିଟ୍ ଓ କିମ୍ସ ବିଲଡିଂର ମାପଚୁପ୍ ପାଇଁ ତାଗିଦ୍ କରିଛନ୍ତି । ସେଥିପାଇଁ ଫୁରସତ୍ ଦେଇନାହାନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଆଜି (ବୁଧବାର) ଏହି କାର୍ଯ୍ୟ କରିବାକୁ କୁହାଯାଇଛି । ଯୋଜନା ହୋଇଛି, ଜଲଦି ମାପଚୁପ୍ ସାରି ଫାଇଲ୍ ରେଡ୍ଡି କରାଯିବ । ସରକାରଙ୍କ ଛାନଭିନ୍ ବେଳକୁ ଅଚ୍ୟୁତ ସାମନ୍ତଙ୍କ ଦେହରେ ଯେଭଳି ଧୂଳିମଳି ନ ଥିବ । ଏହି ମେଗା ଯୋଜନା ଫାନ୍ଦରେ ବିଡ଼ିଏ ଉପାଧ୍ୟକ୍ଷ ସାମିଲ ହେବା ସମସ୍ତଙ୍କୁ ବିସ୍ମିତ କରିଛି । ପ୍ଲାନିଂ ବିଭାଗର କର୍ମଚାରୀଙ୍କୁ ଭୋଜି ସାଙ୍ଗକୁ ଆଉ କିଛି ଅଦୃଶ୍ୟ ବାଟରେ ଅଚ୍ୟୁତ ସାମନ୍ତ ସନ୍ତୁଷ୍ଟ କରିଥିବା ବେଳେ ଉପାଧ୍ୟକ୍ଷଙ୍କୁ କିଭଳି ମନାଇଛନ୍ତି ତାହା ସମଗ୍ର ବିଡ଼ଏ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାଯୋଗ୍ୟ, ସମ୍ ଓ କିମ୍ସ ହସ୍ପିଟାଲ୍ ଚାଲିବାରେ ବ୍ୟାପକ ତ୍ରୁଟି ବିଚ୍ୟୁତି ରହିଥିବା ରାଜ୍ୟ ସରକାର ବହୁ ପୂର୍ବରୁ ଅବଗତ ଥିଲେ । ୨୦୧୪ ମସିହାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ହସ୍ପିଟାଲ୍ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ହୋଇଥିଲା । ପ୍ରଚଣ୍ଡ ପ୍ରଭାବଶାଳୀ ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ହାଜିରା ପକାଇ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଉତ ଓ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସନ୍ତୁଷ୍ଟ କରିଥିଲା ବେଳେ ମନୋଜ ନାୟକ କିନ୍ତୁ ଖାତିର କରି ନ ଥିଲେ । ନିଜକୁ ଅଧିକ ଶକ୍ତିଶାଳୀ ମନେ କରି ଗର୍ବ ଓ ଅହଂକାରରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ହେୟଜ୍ଞାନ କରିଥିଲେ । ମନ୍ତ୍ରୀ ଓ ସଚିବଙ୍କୁ ଭେଟି କାମ ବଢ଼େଇ ଦେଇଥିଲେ ଆଜି ହୁଏତ ତାଙ୍କୁ ଜେଲ୍ ଯିବାକୁ ପଡ଼ି ନ ଥାଆନ୍ତା । ଆଜି ମନୋଜ ନାୟକ ଅନ୍ତତଃପକ୍ଷେ ଅଚ୍ୟୁତ ସାମନ୍ତଙ୍କୁ ଗୁରୁ କରି ସରକାରୀ କଳ ହାତେଇବାର ବୁଦ୍ଧି ଓ କୌଶଳ ଆହରଣ କରିବା ଉଚିତ୍ ।