ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ନିଜ ଅଞ୍ଚଳର ମହିଳା ତହସିଲଦାରଙ୍କ ଉପରକୁ ଲଣ୍ଠନ ଫୋପାଡ଼ି ଆକ୍ରମଣ କରିଛନ୍ତି ବାହୁବଳୀ ବିଧାୟକ ଗଣେଶ ଜଗଦେବ । ଲଗାତର ଭାବେ ବାହୁବଳୀ ପ୍ରଦର୍ଶନ କରୁଥିବା ଗଣେଶଙ୍କର ଏଥରର ଉତ୍ପାତ ସୀମା ଟପିଯାଇଛି । ସମ୍ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ରାତିରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ମଦ ପିଇ ଗଣେଶ ଯେଭଳି ଉତ୍ପାତ କରିଥିଲେ ସେହି ଛବି ଲୋକଙ୍କ ମନରୁ ଲିଭି ନ ଥିଲା ବେଳେ ବିଧାୟକଙ୍କ ଏହି କାଣ୍ଡ ସମଗ୍ର ପ୍ରଶାସନ ମହଲକୁ ହଲଚଲ୍ କରିଛି । ବାହୁବଳୀ ଗଣେଶଙ୍କୁ ଗିରଫ କରିବାକୁ ସବୁ ଆଡୁ ଦାବି ଉଠିଛି ।
ବୋଲଗଡରେ ଜଣେ ବ୍ୟକ୍ତିଙ୍କ ଘର ଉଚ୍ଛେଦକୁ କେନ୍ଦ୍ର କରି ଏହି ଅଭାବନୀୟ କାଣ୍ଡ ଘଟିଛି । ଗତକାଲି ରାତିରେ ଏହି ଘରକୁ ଉଚ୍ଛେଦ କରିବା ପାଇଁ ବିଧାୟକ ମହୋଦୟ ତହସିଲଦାର ନିହାରିକା ନାୟକଙ୍କୁ ବାଧ୍ୟ କରିଥିଲେ । ମାତ୍ର ଏବେ ନୁହେଁ, କାଲି ସକାଳେ ଜାଗାଟିକୁ ମାପଚୁପ କଲା ପରେ ଯାଇ ଯାହା କରାଯିବ ବୋଲି ତହସିଲଦାର କହିବାରୁ ବିଧାୟକ ଉତକ୍ଷିପ୍ତ ହୋଇପଡ଼ିଥିଲେ । ପାଖରେ ଥିବା ଏକ ଲଣ୍ଠନକୁ ଫୋପାଡ଼ି ଦେବାରୁ ତାହା ତହସିଲଦାରଙ୍କ ଦେହରେ ବାଜିଥିଲା ଏବଂ ପଛରେ ଥିବା ଏକ ଗାଡିରେ ପିଟି ହୋଇଯାଇଥିଲେ ତହସିଲଦାର । ନିଜେ ତହସିଲଦାର ଏହି ଅଭିଯୋଗ କରିଛନ୍ତି । ଘଟଣାବେଳର ଅଡିଓ ବି ତାହାର ସ୍ପଷ୍ଟ ପ୍ରମାଣ ଦେଉଛି ।
ତେବେ ବିଧାୟକ ଗଣେଶ ଜଗଦେବ ଏହି ଘଟଣାକୁ ମିଛ କହି ଗାଲୁ ପେଲିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ସେ ଲଢୁଛନ୍ତି ବୋଲି ନିର୍ଲ୍ଲଜ ବୟାନ ଦେଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ୍ ରେ ନିଜ ମଦୁଆ ସହଯୋଗୀମାନଙ୍କ ସହ ମାତାଲ ଗଣେଶ ଜଗଦେବ ବି ସେଦିନ ଏସିପି ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ହାତ ଉଠାଇବା ପରେ ଏଭଳି ପ୍ରତିକ୍ରୟା ଦେଇଥିଲେ । ଲଗାତର ବର୍ଷେ ହେଲାଣି ବିଧାୟକ ନିଜର ବାହୁବଳ ଦେଖାଇ ଉତ୍ପାତ କରିଚାଲିଥିଲେ ମଧ୍ୟ ଦଳର ମୁଖିଆ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ବିଧାୟକଙ୍କ ବାହୁବଳ ଓ ବିଶୃଙ୍ଖଳିତ ଆଚରଣର ଗଦା ଗଦା ଅଭିଯୋଗ ପଡ଼ିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଥର ପାଲଟିଛନ୍ତି ।
ବୋଲଗଡ଼ ଘଟଣାରେ ତହସିଲ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଥିବା ବେଳେ ଓଏଏସ୍ ସଂଘ ତୀବ୍ର ପ୍ରତିକ୍ରୟା ଦେଖାଇଛି । ଆଜି ସଂଧ୍ୟାରେ ସଂଘର ବୈଠକ ବସି ପଦକ୍ଷେପ ସ୍ଥିର ହେବ ବୋଲି ସୂଚନା ମିଳିଛି । ସେପଟେ ଦଳୀୟ ବିଧାୟକଙ୍କ ଉତ୍ପାତିଆ କାର୍ଯ୍ୟ ଉପରେ ଚିରାଚରିତ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ସମୀର ଦାଶ । ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ଠିକଣା ପଦକ୍ଷେପ ନେବେ ବୋଲି ସେ ବି ନିର୍ଲ୍ଲଜ ଉତ୍ତର ଦେଇଛନ୍ତି ।