ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିସନ ସୁପାରିଶ ଲାଗୁ ହେବ । ହେଲେ ଏବେ ନୁହେଁ, ଲାଗୁ କେବେ, କେମିତି ଆଉ କିଭଳି ହେବ ତାହା ଫିଟମେଣ୍ଟ କମିଟି ସ୍ଥିର କରିବ । ଦୀପାବଳି ପୂର୍ବରୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ସପ୍ତମ ବେତନ କମିସନ ଲାଗୁ ଭଳି ମନଲୋଭା ଘୋଷଣା କରି ଏକ ଫିଟମେଣ୍ଟ କେଁ ରଖି ଦେଇଛନ୍ତି । କାନକୁ ନୂଆ ଲାଗୁଥିବା ସେଭଳିଆ ଫିଟମେଣ୍ଟ କମିଟି ଗଠନ କରିନାହାନ୍ତି । ଖାଲି ଘୋଷଣାରେ ରଖିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ କମିଟି ଗଠନ ହେବ । ତର୍ଜମା କରିବ । ସବୁ ଆନୁସଙ୍ଗିକ କାମ ସାରି ସରକାରଙ୍କୁ ଯାଇ ରିପୋର୍ଟ ଦେବ । ଆଉ ସରକାର ପୁଣି ତାକୁ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବେ । ଏତେ ସପନକୁ ରାତି ନ ଥିବା ଭଳିଆ କଥା କିଏ । ଲାଗୁଛି ଠିକ୍ ୨୦୧୯ ସାଧାରଣ ନିର୍ବାଚନ ଯାଏଁ ସମୟ ଗଡ଼ିଯିବ । ଅବଶ୍ୟ ଏହା ଗ୍ୟାରେଣ୍ଟିଂ ଯେ ନିର୍ବାଚନ ବେଳକୁ ସରକାରୀ କର୍ମଚାରୀମାନେ ସପ୍ତମ ବେତନ କମିସନ ଦରମାରେ ପକେଟ୍ ଗରମ କରିଥିବେ ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିସନ ଦରମା ଲାଗୁହେଲାଣି ଜାନୁଆରୀ ମାସରୁ । ଅଗଷ୍ଟ ମାସରେ ପିଛିଲା ମାସର ଦରମା ମିଶାଇ ନୂଆ ଦରମା ପାଇଥିଲେ । ସାଧାରଣତଃ କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀଙ୍କ ପାଇଁ ନୂଆ ବେତନ କମିସନ ଲାଗୁ କରିବା ବେଳକୁ ରାଜ୍ୟ ସରକାରମାନେ ତାହାକୁ ପାଳନ କରିଥାଆନ୍ତି । ବେତନ କମିସନଙ୍କ ସୁପାରିଶ ହାରରେ କେନ୍ଦ୍ର ସହ ରାଜ୍ୟର ଆନୁପାତିକ ହାର ସମାନ ନ ହେଲେ ମଧ୍ୟ ପାଖାପାଖି ରହିଥାଏ । ସପ୍ତମ ବେତନ କମିସନଙ୍କ ସୁପାରିଶକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କଲା ପରେ ନିୟମ ଅନୁଯାୟୀ ରାଜ୍ୟ ସରକାରମାନଙ୍କୁ ଏହା ଅବଗତ କରାଇଥିଲେ । ରାଜ୍ୟ ସରକାରମାନେ ଏହା କାର୍ଯ୍ୟକାରୀ କଲେ କେତେ ଆର୍ଥିକ ବୋଝ ପଡ଼ିବ ବୋଲି ଜାଣିବାକୁ ଚାହିଁଥିଲେ । ଏହି ମର୍ମରେ ଗତ ଜୁଲାଇ ୨୭ ତାରିଖରେ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ଏହି ଚିଠି ଲେଖିଥିଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଚିଠି ନମ୍ବର ୧୬୯୮୧ ଦ୍ୱାରା ଅଗଷ୍ଟ ୩ ତାରିଖରେ ଏହାର ଜବାବ ଦେଇଥିଲେ । ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଆକଳନ କରିନାହାନ୍ତି ବୋଲି ନିର୍ଲ୍ଲଜ ଉତ୍ତର ଦେଇଥିଲେ । ରାଜ୍ୟ ସରକାରଙ୍କ ଏଭଳି ଉତ୍ତର କେନ୍ଦ୍ର ସରକାରଙ୍କୁ ଆଚମ୍ବିତ କରିଥିଲା । ଅନ୍ୟ ରାଜ୍ୟମାନେ କେନ୍ଦ୍ରକୁ ସେମାନଙ୍କ ଆକଳନ ରିପୋର୍ଟ ଦେଇସାରିଥିଲା ବେଳେ ଓଡ଼ିଶା ସରକାରଙ୍କର ଏଭଳି ବିଚିତ୍ର ଓ ବେଖାତିର ହାବଭାବ କେନ୍ଦ୍ର ସରକାରଙ୍କୁ ବିଚଳିତ କରିଥିଲା । ସେଥିପାଇଁ କେନ୍ଦ୍ର ସରକାରଙ୍କର କିଛି କ୍ଷତି ହେଉ ନ ଥିଲା ବରଂ ନିଜ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର କେତେ ଦରଦ ଓ ବ୍ୟାକୁଳ ତାହା ବାରି ହୋଇଯାଉଥିଲା ।
ତେବେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଆକଳନ କରି ନ ଥିବା ଜଣାପଡ଼ିଛି । ଆକଳନ କରିଥିଲେ ହୁଏତ ଫିଟମେଣ୍ଟ କମଟି ଗଠନର ଆବଶ୍ୟକତା ପଡି ନ ଥାଆନ୍ତା । ବରଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସିଧାସଳଖ ଦୀପାବଳୀ ଭେଟି ଭାବେ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଧାରୀଙ୍କ ପାଇଁ ଘୋଷଣା କରିଥାଆନ୍ତେ ସପ୍ତମ ବେତନ କମିସନ ଦରମା । ମାତ୍ର ତାହା ନ କରି ଦୀପାବଳି ନାଁରେ ନିର୍ବାଚନ ଗୋଲି ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଦେଖିବାର କଥା, ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫିଟମେଣ୍ଟ କମିଟି ଗଠନ କରିପାରୁଛନ୍ତି ନା ନାହିଁ ।