ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କିଟ୍ ଓ କିସ୍ ର ମାଲିକ ଅଚ୍ୟୁତ ସାମନ୍ତ ଆଜି ଏକ ଜବରଦସ୍ତ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । କିଟ୍ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ଭୋଜି ଉଦ୍ଦିଷ୍ଟ ଥିଲା ବିଡ଼ିଏ ପ୍ଲାନିଂ ବିଭାଗର କର୍ମଚାରୀମାନଙ୍କ ପାଇଁ । ବିଡିଏ ପ୍ଲାନିଂ ବିଭାଗର ଉପରିସ୍ଥ ଅଫିସରଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଭୋଜି ଖାଇବାକୁ ବିଡ଼ିଏ ଅଫିସରୁ ପଟିଆ ଯିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରିଥିଲେ ଡ. ଅଚ୍ୟୁତ ସାମନ୍ତ । ଗାଡ଼ି ପଠାଇ ଦେଇଥିଲେ ବିଡ଼ିଏକୁ । ବିଡିଏ ଅଫିସର ଓ କର୍ମଚାରୀମାନେ ଆରାମ୍ ରେ ଅଚ୍ୟୁତ ସାମନ୍ତଙ୍କ ଗାଡ଼ିରେ କିଟ୍ ଜଗନ୍ନାଥ ମନ୍ଦିର ଯାଇ ଭୋଜି(ପ୍ରସାଦ) ଖାଇଲେ ଏବଂ ସେହି ଗାଡିରେ ସସମ୍ମାନରେ ଫେରିଆସିଲେ । ସବୁ କର୍ମଚାରୀ ସେଠାକୁ ଚାଲିଯିବାରୁ ପ୍ରାୟ ୩ ଘଣ୍ଟା ଧରି ବିଡ଼ିଏ ପ୍ଲାନିଂ ଅଫିସ୍ ରେ ତାଲା ପଡ଼ିଥିଲା । ଫଳରେ ସାଧାରଣ ଲୋକେ ନିରାଶ ହୋଇ ଫେରିଥିଲେ । ଅଫିସ୍ କାର୍ଯ୍ୟ ଦିବସରେ ଅଫିସ୍ କାମ ଛାଡ଼ି ବିଡିଏ ପ୍ଲାନିଂ ବିଭାଗ କର୍ମଚାରୀମାନେ ଅଚ୍ୟୁତ ସାମନ୍ତଙ୍କ ଭୋଜିରେ ଆପ୍ୟାୟିତା ହେବା ସମଗ୍ର ବିଡ଼ିଏ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କେଉଁ ଉଦ୍ଦେଶ୍ୟରେ ଭୋଜି ଆସର ହୋଇଥିଲା ତାହାକୁ ନେଇ ବିଭିନ୍ନ କଥା ଶୁଣାଯାଉଛି ।