ନୂଆଦିଲ୍ଲୀ: ଗାନ୍ଧୀ ପରିବାରକୁ ଛାଡ଼ି ପାରିଲାନି କଂଗ୍ରେସ । ଗାନ୍ଧୀ ପରିବାର ବାହାରେ ଦଳର ନେତୃତ୍ୱ ନେବାକୁ ସମ୍ଭବତଃ ଯୋଗ୍ୟ ଲୋକ ବାହାରିଲେନି । ଅଥବା ଅନ୍ୟ କାହାରି ଉପରେ ଦଳ ଭରସା ଜୁଟାଇ ପାରିନାହିଁ । ରାହୁଲ ଗାନ୍ଧୀଙ୍କୁ ମନାଇବାରେ ବିଫଳ କଂଗ୍ରେସ ଶେଷରେ ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ନେତୃତ୍ୱ ଭାର ସମର୍ପି ଦେଇଛି । ସିଡବ୍ଲୁସି(କଂଗ୍ରେସ କାର୍ଯ୍ୟକାରୀ କମିଟି) ବୈଠକରେ ସର୍ବସମ୍ମତିକ୍ରମେ ସୋନିଆଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ଗାନ୍ଧୀ ପରିବାର ବାହାରୁ ଜଣଙ୍କ ହାତରେ ନେତୃତ୍ୱ ଦେବାକୁ କିଛି ଦିନ ହେଲା କସରତ ଚାଲିଥିଲା । ଏହିକ୍ରମରେ ମୁକୁଲ୍ ୱାସନିକ୍ ଙ୍କ ନାଁ ଅଧିକ ଚର୍ଚ୍ଚା ହୋଇଥିଲା ।
କଂଗ୍ରେସ ଅଧ୍ୟକ୍ଷ ବାଛିବା ପାଇଁ ଶନିବାର ଦିନ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଘମାଘୋଟ ଆଲୋଚନା । ରାହୁଲ ଗାନ୍ଧୀଙ୍କ ପରାମର୍ଶକ୍ରମେ ରାଜ୍ୟ ନେତାମାନଙ୍କ ସହ ସହମତି ଭିତରେ ସଭାପତି ବାଛିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିପାଇଁ ୫ ଟି ଜୋନାଲ୍ ଗ୍ରୁପ ଗଠନ କରାଯାଇଥିଲା । ଏହି ଗ୍ରୁପ୍ ରେ ରାହୁଲଙ୍କୁ ପଶ୍ଚିମାଳଞ୍ଚଳ ଏବଂ ସୋନିଆଙ୍କୁ ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖ୍ୟାନ କରି ଚୟନ ପ୍ରକ୍ରିୟାରୁ ସେମାନେ ଦୂରେଇ ରହିଥିଲେ । ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରାଞ୍ଚଳ, ଡ. ମନମୋହନ ସିଂହଙ୍କୁ ଦକ୍ଷିଣାଞ୍ଚଳ ଏବଂ ଅମ୍ବାକା ସୋନିଙ୍କୁ ଉତ୍ତର ପୂର୍ବାଞ୍ଚଳ ଦାୟିତ୍ୱରେ ରଖାଯାଇଥିଲା ।
ଦିନ ତମାମ ରାଜ୍ୟ ନେତାମାନଙ୍କ ସହ ବିଚାର ବିମର୍ଷ କରିଥିଲେ ସିଡ଼ବ୍ଲୁସି ଜୋନାଲ୍ ଗ୍ରୁପ୍ ସଦସ୍ୟମାନେ । ତେବେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଅଧିକାଂଶଙ୍କର ମତ ଆସିଥିଲା । ରାହୁଲ ତାଙ୍କ ଇସ୍ତଫା ଫେରାଇ ନେତୃତ୍ୱଭାର ବଜାୟ ରଖନ୍ତୁ ବୋଲି ସେମାନେ ଚାହିଁଥିଲେ । ଏହି ମତାମତ ଆଧାରରେ ସିଡବ୍ଲୁସିର ବରିଷ୍ଠ ନେତାମାନେ ରାହୁଲ ତାଙ୍କ ବିଚାରର ପୁର୍ନବିଚାର କରିବାକୁ ଅନୁରୋଧ କରିଥିଲେ । ମାତ୍ର ରାହୁଲଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇ ନ ଥିଲା । ସେ ନିଜ ଜିଦ୍ ରେ ଅଟଳ ରହିଥିଲେ ।
ରାହୁଲଙ୍କୁ ଫେରାଇ ଆଣିବାରେ ବିଫଳ ୫୪ ଜଣିଆ ସିଡବ୍ଲୁସି ଶେଷରେ ସୋନିଆ ଗାନ୍ଧୀଙ୍କ ଉପରକୁ ଆଖି ଫେରାଇଥିଲେ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ତଳେ କଂଗ୍ରେସ ଏକାଠି ରହିବ ଏବଂ ମଜବୁତ ହେବ ବୋଲି ନେତାମାନଙ୍କର ହୃଦବୋଧ ହୋଇଥିଲା । ସିଡବ୍ଲୁସି ବୈଠକରେ ସୋନିଆଙ୍କ ନାଁ ପ୍ରସ୍ତାବିତ ହେଲା ମାତ୍ରେ ସମସ୍ତେ ତାହାକୁ ସମର୍ଥନ କରିଥିଲେ । ଦଳର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସାଂଗଠନିକ ନିର୍ବାଚନ ସରି ନୂଆ ନେତା ନିର୍ବାଚିତ ହେବା ଯାଏଁ ସୋନିଆଙ୍କ ହାତରେ ରହିବ ଦଳର ନେତୃତ୍ୱ । ତେବେ ଆଗକୁ ସିଏ ହିଁ ଅଧ୍ୟକ୍ଷ ନିର୍ବାଚିତ ହେବେ ବୋଲି କୁହାଯାଉଛି ।
ଡ. ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଡବ୍ଲୁସି ବୈଠକରେ ବିଦାୟୀ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଖୁବ୍ ତାରିଫ୍ କରାଯାଇଥିଲା । ସମସ୍ତଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବାରୁ ରାହୁଲଙ୍କ ଇସ୍ତଫାକୁ ବୈଠକରେ ଗୃହୀତ କରାଯାଇଥିଲା ।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ହେଉଛନ୍ତି କଂଗ୍ରେସର ଦୀର୍ଘକାଳୀନ ସଭାନେତ୍ରୀ । ୧୯୯୮ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଥିଲେ କଂଗ୍ରେସ ସଭାନେତ୍ରୀ । ୨୦୧୭ ରେ ପୁଅ ରାହୁଲଙ୍କ ହାତକୁ ଦାୟିତ୍ୱ ଛାଡ଼ିଥିଲେ ସୋନିଆ ।