ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ପୁଲିସ ଶେଷରେ ଗିରଫ କରିଛି । ଆଜି ଅପରାହ୍ନରେ ଦୁଇଘଣ୍ଟାର ଜେରା ପରେ ସହିଦନଗର ପୁଲିସ ଦ୍ୱାରା ସେ ଗିରଫ ଘୋଷିତ ହୋଇଛନ୍ତି । ସହିଦନଗର ଥାନାରେ ହୋଇଥିବା ଏତଲା ଭିତ୍ତିରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ରାତିରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ବିଧାନସଭା ଗୃହ କମିଟି ଦ୍ୱାରା ଆଜି ଅଭିଜତ୍ ଜେରା ହେଲା ପରେ ପୁଲିସ ପ୍ରଥମେ ତାଙ୍କୁ ସହିଦନଗର ଥାନାକୁ ନେଇଥିଲା । ଓଡ଼ିଶାର ସଂସ୍କୃତି ଓ ଧାର୍ମିକ ଭାବନାକୁ ଅଭିଜିତ୍ ଆଘାତ ଦେଇଥିବା ନେଇ ଗତମାସରେ ସହିଦନଗର ଥାନାରେ ଏତଲା ହୋଇଥିଲା । ପୁରୀ ଜିଲ୍ଲା କୋଣାର୍କ ଥାନା ଓ ଅରଖକୁଦା ସାମୁଦ୍ରିକ ଥାନାରେ ବି ତାଙ୍କ ବିରୋଧରେ ଅନୁରୂପ ଏତଲା ହୋଇଥିଲା । ପୁଲିସ ସମୁଦାୟ ଏତଲାକୁ ଏକାଠି କରି ସଂପୃକ୍ତ ମାମଲାର ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ଜେରା କରିବାକୁ ଯୋଜନା କରିଥିଲା । ଅଭିଜିତ୍ ଙ୍କୁ ଏକ ଅଜ୍ଞାତ ଜାଗାକୁ ନେଇ ଜେରା କରିଥିଲା । ତେବେ ଦୁଇ ଘଣ୍ଟାର ଜେରା ପରେ ପୁଲିସ ତାଙ୍କୁ ଗିରଫ ଦର୍ଶାଇଛି । କେବଳ ସହିଦ ନଗର ଥାନାରେ ହୋଇଥିବା ଏତଲା ଭିତ୍ତିରେ ଗିରଫ କରାଯାଇଥିବା କୁହାଯାଇଛି । ଏବେ କୋଣାର୍କ ଓ ଅରଖକୁଦା ପୁଲିସ ତାଙ୍କୁ ଜେରା କରିବ କି ନାଇଁ ତାହା ସ୍ପଷ୍ଟ ହୋଇନାହିଁ ।
ତେବେ ଶେଷ ଖବର ଅନୁଯାୟୀ, ଗିରଫ ପରେ ଅଭିଜିତ୍ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସହିଦନଗର ଥାନାରେ ତାଙ୍କୁ ହାଜର କରାଯାଇ କୋର୍ଟ ଚାଲାଣ କରାଯିବ ।