ଭୁୁବନେଶ୍ୱର: କମିଶନରେଟ୍ ପୁଲିସ ହେପାଜତକୁ ଆସିଛନ୍ତି ବୈଜୟନ୍ତ ପଣ୍ଡାଙ୍କ ଦିଲ୍ଲୀ ବନ୍ଧୁ ଅଭିଜିତ୍ ଆୟାର ମିତ୍ର । ଆଜି ଗୃହ କମିଟିରେ ହାଜର ହେବା ପାଇଁ ସେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରଠୁଁ ପୁଲିସ ନିଜ ହେପାଜତକୁ ନେଇଯାଇଛି । ପୁଲିସ ତାଙ୍କୁ ସୁରକ୍ଷା ଦେଇ ଗୃହ କମିଟି ବୈଠକରେ ହାଜର କରାଇଥିଲା ଏବଂ ବୈଠକ ସରିବା ପରେ ନେଇ ଆସିଥିଲା । ଅପରାହ୍ନରେ ତାଙ୍କୁ ସହିଦନଗର ଥାନାରେ ହାଜର କରାଯିବା ପରେ ପୁଲିସ ଏକ ଅଜ୍ଞାନ ସ୍ଥାନକୁ ନେଇ ଜେରା ଆରମ୍ଭ କରିଛି । ଭିନ୍ନ ଭିନ୍ନ ତିନିଟି ମାମଲାରେ ପୁଲିସ ତାଙ୍କୁ ଜେରା କରିବ । ଏହାପରେ ଗିରଫ ଘୋଷଣା ହୋଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
ଓଡ଼ିଶାର ସଂସ୍କୃତି, ଐତିହ୍ୟ ପ୍ରତି କଟୁ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ୍ । ଗତ ସେପ୍ଟେମ୍ବର ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ନିଜ ହେଲିକପ୍ଟରରେ ବସାଇ ପୁରୀ,କୋଣାର୍କ ଓ ଚିଲିକା ବୁଲାଇବା ବେଳେ ଅଭିଜିତ୍ ଏଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ପୁରୀ କୋଣାର୍କ ଥାନାରେ ଗୋଟିଏ ମାମଲା, ଅରଖକୁଦା ସାମୁଦ୍ରିକ ଥାନାରେ ଗୋଟିଏ ମାମଲା ଏବଂ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଜିତ୍ ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାମଲାରେ ବୈଜୟନ୍ତ ପଣ୍ଡାଙ୍କୁ ସହ ଅଭିଯୁକ୍ତ ଦର୍ଶାଯାଇଛି । ତେବେ କୋଣାର୍କ ଥାନା ମାମଲା ଆଧାରରେ ସେଠିକା ପୁଲିସ ଗତ ୨୦ ତାରିଖରେ ଦିଲ୍ଲୀ ଯାଇ ଅଭିଜିତ୍ ଙ୍କୁ ଗିରଫ କରିବା ପରେ ସ୍ଥାନୀୟ ସାକେତ କୋର୍ଟ ତାଙ୍କୁ ୨୮ ତାରିଖ ଯାଏଁ ଅନ୍ତରୀଣ ଜାମିନ୍ ଦେଇଥିଲେ । ୨୮ ତାରିଖ ଦିନ କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଇତିମଧ୍ୟରେ ଅଭିଜିତ୍ ସୁପ୍ରିମକୋର୍ଟ ଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ଜାମିନ୍ କୁ ଅକ୍ଟୋବର ୫ ତାରିଖ ଯାଏଁ ନେଇଆସିଥିଲେ । ୪ ତାରିଖ ଦିନ ପୁଣି ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଥିଲେ । ନିଜର ସୁରକ୍ଷା ଦୃଷ୍ଟିରୁ ସେ ଜାମିନ୍ ପ୍ରାର୍ଥନା କରିଥିଲେ । ମାତ୍ର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ନାକଚ କରି ଜେଲ୍ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ମନ୍ତବ୍ୟ ଦେଇଥିଲେ । ଆଇନ ଦୃଷ୍ଟିରୁ ୫ ତାରିଖରେ ଅଭିଜିତ୍ କୋଣାର୍କ ଥାନାରେ ହାଜର ହେବା କଥା । ମାତ୍ର ହାଜର ହେଲେ ନାହିଁ । ୧୧ ତାରିଖରେ ହାଜର ପାଇଁ ଗୃହ କମିଟି ସମନ୍ କୁ ବି ଖାତିର କଲେନି । ସୁତରାଂ ଆଇନ ଆଖିରେ ଫେରାର ହୋଇଥିଲେ ଅଭିଜିତ୍ । ଅଭିଜିତ୍ ଙ୍କୁ ଗିରଫ କରିବାକୁ ଓଡ଼ିଶା ପୁଲିସ ଚାହୁଁନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା ।
ଆଜି ଗୃହ କମିଟି ବୈଠକରେ ଯୋଗଦେବା ପାଇଁ ଅଭିଜିତ୍ ଭୁବନେଶ୍ୱର ଆସିବା ପରେ ପୁଲିସ ତାଙ୍କୁ ହେପାଜତକୁ ନେଇଥିବାରୁ ତାଙ୍କ ଗିରଫଦାରି ସ୍ପଷ୍ଟ ହୋଇଛି । ତିନି ଜଣ ଆଇଓ ତାଙ୍କୁ ଜେରା ଆରମ୍ଭ କରିଥିବା ସୂଚନା ମିଳିଛି । କୋଣାର୍କ ଥାନା, ଅରଖକୁଦା ଥାନା ଓ ସହିଦନଗର ଥାନାରେ ହୋଇଥିବା ମାମଲାର ଆଇଓ ବା ତଦନ୍ତକାରୀ ଅଫିସର ତାଙ୍କୁ ଜେରା କରୁଥିବା ଜଣାପଡ଼ିଛି ।