ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ ମହଙ୍ଗା ପଡ଼ିଲା
ଭୁବନେଶ୍ୱର: ପ୍ରଦୀପ ମହାରଥୀଙ୍କ ଗୁଣ୍ଡାମୀ ଏଥର ତାଙ୍କ ପାଇଁ ବହୁତ ମହଙ୍ଗା ପଡ଼ିଛି । ପିପିଲି ନିଜ ଫାର୍ମ ହାଉସ୍ ରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ କରି ଗିରଫ ହୋଇଛନ୍ତି ମହାରଥୀ । ପୁଲିସ ତାଙ୍କ ନାଁରେ ସଙ୍ଗୀନ ଦଫା ୩୦୭,୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଦଫା ଏବଂ ଲୋକ ପ୍ରତିନିଧି ଆଇନ ୧୨୩ ଧାରାରେ ମକଦ୍ଦମା ରୁଜୁ କରିଛି ।
ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା । ୨୩ ତାରିଖ ଭୋଟ ପାଇଁ ମହାରଥୀଙ୍କ ହୁଙ୍କେଇପୁରସ୍ଥିତ ଫାର୍ମ ହାଉସ୍ ରେ ଆସର ଜମିଥିଲା । ସେଠାରେ ମଦ ଓ ଟଙ୍କା କାରବାର ହେଉଥିବା ପୁଲିସକୁ ଖବର ଆସିଥିଲା । ପିପିଲି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ସେଠାରେ ଯାଇ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ ଓ ଭିଡ଼ିଓ ସର୍ଭେଲାନ୍ସ ଟିମ୍ । ଫାର୍ମହାଉସ୍ ଚଢ଼ଉ ପାଇଁ ସେମାନେ ଗେଟ୍ ଖୋଲି ଭିତରକୁ ଯାଉଥିବା ବେଳେ ମହାରଥୀଙ୍କ ସହଯୋଗୀମାନେ ସେମାନଙ୍କୁ ବାଧା ଦେଇ ଠେଲାପେଲା କରିଥିଲେ । ମାଜିଷ୍ଟ୍ରେଟ୍ ଓ ଅନ୍ୟ କର୍ମଚାରୀଙ୍କୁ ସେମାନେ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି । ନିଜେ ଶ୍ରୀ ମହାରଥୀ ସେଠାରେ ପହଞ୍ଚି ବାଡାବାଡ଼ି
କରିଥିବା ମାଜିଷ୍ଟ୍ରେଟ୍ ଅଭିଯୋଗ କରିଛନ୍ତି । ଆକ୍ରମଣରେ ମାଜିଷ୍ଟ୍ରେଟ୍ ଙ୍କ ସମେତ ସ୍କ୍ୱାଡ୍ ଏଏସଆଇ ବିନୟ କୁମାର ଦାସ ଏବଂ ଡ୍ରାଇଭର ଆହତ ହୋଇଥିଲେ । ଆକ୍ରମଣକାରୀମାନେ ଟିମ୍ ର କ୍ୟାମେରା ଭାଙ୍ଗି ଦେଇଥିବା ବି ଅଭିଯୋଗ ହୋଇଛି ।
ଆହତ ମାଜିଷ୍ଟ୍ରେଟ୍ ଏ ନେଇ ପିପିଲି ଥାନାରେ ଅଭିଯୋଗ କଲା ପରେ ପୁରୀ ଏସପି ଉମାଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ଜିଲ୍ଲାପାଳ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଥିଲେ । ମହାରଥୀଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚୁରା କଲା ପରେ ଗିରଫ କରିଥିଲା । ସେ ଯେତେବଡ଼ ନେତା ହୁଅନ୍ତୁ ନା କାହିଁକି, ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ଏକଥା ଜଣାଇଦେଇଛି ପୁଲିସ ।
ସେପଟେ ମହାରଥୀ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ବର୍ଷା ପବନ ଯୋଗୁଁ ଲାଇନ୍ କଟିଯାଇଥିବାରୁ ଫାର୍ମହାଉସ୍ ଅନ୍ଧକାରରେ ଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍ ଗେଟ୍ ତାଲା ଭାଙ୍ଗି ଭିତରକୁ ପ୍ରବେଶ ଉଦ୍ୟମ କରୁଥିଲେ । ତାଙ୍କ ଲୋକମାନେ ଅନ୍ଧାରରେ ସେମାନଙ୍କୁ ଚିହ୍ନି ନ ପାରି ବଚସା ଓ ଠେଲାପେଲା କରିଥିଲେ । ଏହି ଘଟଣାରେ ସେ ନିଜେ ସଂପୃକ୍ତ ନା ନାହିଁ ସେ ସମ୍ପର୍କରେ କିଛି କହି ନ ଥିଲା ବେଳେ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
ମହାରଥୀଙ୍କ ଗିରଫ ପରେ ଆଇନଶୃଙ୍ଖଳା ଭଙ୍ଗ ଆଶଙ୍କାରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।