ନୂଆଦିଲ୍ଲୀ: ହରିୟାନାର ଗୁରୁଗାଓଁରେ ମହାସମାରୋହରେ ପାଳିତ ହେଉଛି ଦୁର୍ଗାପୂଜା । ଗୁରୁଗ୍ରାମର ସେକ୍ଟର-୪ ସ୍ଥିତ ଏଚୟୁଡିଏ କମ୍ୟୁନିଟି ସେଣ୍ଟରଠାରେ ଏହା ବେଶ୍ ଜାକଜମକରେ ପାଳିତ ହେଉଛି । ୨୬ ତାରିଖରୁ ଆରମ୍ଭ ହୋଇଥିବା ମହୋତ୍ସବ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । କଳିଙ୍ଗ କଲଚରାଲ୍ ଆଣ୍ଡ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ୫ ଦିନିଆ ମହୋତ୍ସବର ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଭିନ୍ନ ଦିନରେ ଦେଶର ନାମୀ ଦାମୀ ବ୍ୟକ୍ତିମାନଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ବିଶିଷ୍ଠ ଅଭିନେତା ବିଜୟ ମହାନ୍ତି, ଅଭିନେତ୍ରୀ ତନ୍ଦ୍ରା ରାୟ, ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ସଂଗଠନ କଳିଙ୍ଗ କଲଚରାଲ୍ ଆଣ୍ଡ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଗତ ୭ ବର୍ଷ ଧରି ଦୁର୍ଗାପୂଜା ମହୋତ୍ସବ ପାଳିତ ହୋଇଆସୁଛି ।