ଭୁବନେଶ୍ୱର: ଅଶୋକ ପାଣିଗ୍ରାହୀ ବଡ଼ ସାଂଘାତିକ କଥା କହୁଛନ୍ତି । ଗତ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢ଼ିବାକୁ ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକ କୁଆଡେ ଚାହିଁଥିଲେ । ନବୀନଙ୍କ ଇଚ୍ଛାକୁ କଳ୍ପତରୁ ଦାସ କାର୍ଯ୍ୟକାରୀ କରିଥିଲେ । ଦଳ ବିରୋଧରେ ଯିବାକୁ ନିଜର ଇଚ୍ଛା ନ ଥିଲେ ମଧ୍ୟ କଳ୍ପତରୁଙ୍କ ନିର୍ଦ୍ଦେଶରେ ସେ ନିର୍ବାଚନ ଲଢ଼ିଥିଲେ ବୋଲି ଅଶୋକ କହିଛନ୍ତି । ଗତକାଲି ନବୀନଙ୍କୁ ଲେଖିଥିବା ଚିଠିରେ ମଧ୍ୟ ଏ ମର୍ମରେ ଧାଡ଼ିଏ ଗୁଗୁଲି ଛାଡ଼ିଥିଲେ । ନବୀନଙ୍କୁ ମନେପକାଇଥିଲେ, ଆପଣଙ୍କ ପରୋକ୍ଷ ସମର୍ଥନରେ ମୁଁ ବିଜେପୁରରୁ ନିର୍ବାଚନ ଲଢ଼ିଥିଲି ।
ଅଶୋକଙ୍କ କଥାର ସାରମର୍ମ ହେଉଛି, ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନବୀନ ପ୍ରାର୍ଥୀ କରି ହରାଇବାକୁ ଚାହୁଁଥିଲେ । ତେଣୁ ଅଶୋକ ପାଣିଗ୍ରାହୀଙ୍କୁ ସ୍ୱାଧୀନ ଭାବେ ଲଢ଼ାଇଥିଲେ । ଫଳ ବି ସେୟା ହେଲା । ବିଜେଡ଼ିର ଭୋଟ ଭାଙ୍ଗି ଅଶୋକ ନିଜ ସପକ୍ଷରେ ୧୮ ହଜାର ଭୋଟ ଟାଣିନେଲେ । ମାତ୍ର ୪୫୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପ୍ରସନ୍ନ ହାରିଥିଲେ ।
ଅଶୋକ ପାଣିଗ୍ରାହୀ ସତ କହୁଛନ୍ତି ନା ମିଛ କହୁଛନ୍ତି ତାହା ଆମେ ଜାଣୁନା । ହେଲେ ତାଙ୍କ ବକ୍ତବ୍ୟରୁ ସାଧାରଣରେ କିଛି ପ୍ରଶ୍ନ ଆସୁଛି । ଅଶୋକ ବିଜେଡ଼ିର ଅସନ୍ତୁଷ୍ଟ ପ୍ରାର୍ଥୀ ଭାବେ ଲଢ଼ିବା ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଖୋଦ୍ ନବୀନ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ଯଦି ନବୀନଙ୍କ ଇଚ୍ଛାରେ ସେ ପ୍ରାର୍ଥୀ ହୋଇଥିଲେ ତେବେ ସେହି ନବୀନଙ୍କ ଦ୍ୱାରା ଦଳରୁ ବହିଷ୍କୃତ ହେଲେ କେମିତି ? ନବୀନ ଚାହିଁଥିଲେ ତାଙ୍କ ଉପରେ ଉପରଠାଉରିଆ ୬ ବର୍ଷିୟା ନିଲମ୍ବନ ଦଣ୍ଡ ଲଗାଇଥାଆନ୍ତେ । ନିର୍ବାଚନ ପରେ ଆଦେଶ ଉଠାଇ ଦେଇଥାଆନ୍ତେ । ହେଲେ ତାହା ନ କରି ଦଳରୁ ବହିଷ୍କାର ଭଳି ଶାସ୍ତିବିଧାନ କାହିଁକି ?
ଦ୍ୱିତୀୟରେ ଅଶୋକ ଆଜି ଯାହା ଖୁଲାସା କରୁଛନ୍ତି, ୩ ବର୍ଷ ତଳେ ଦଳରୁ ବହିଷ୍କାର ହେଲାବେଳେ କଲେନିି କାହିଁକି ? ସାଧାରଣ ଭାବେ ଜଣେ ବ୍ୟକ୍ତି ବିନା ଦୋଷରେ ଚରମ ଦଣ୍ଡ ପାଇଲେ ସ୍ୱତଃସ୍ପୃତ ଭାବେ ମନର କ୍ଷୋଭ ବାହାରି ଯିବା କଥା । ତାଙ୍କ କହିବାନୁସାରେ ଖୋଦ୍ ଦଳର ହାଇକମାଣ୍ଡ ଅର୍ଥାତ୍ ନବୀନଙ୍କ ଇସାରାରେ ସେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇଥିଲେ । ଆଉ ଯଦି ପରମୁହୁର୍ତ୍ତରେ ସେହି ବ୍ୟକ୍ତି ଏହାକୁ ଅପରାଧ ଭାବି ନିଜେ ଦଣ୍ଡ ଦେଉଛନ୍ତି, ସେତେବେଳେ ଆନୁଗତ୍ୟ ଛଳରେ ଗୁମର ଲୁଚାଇବାର ପ୍ରଶ୍ନ ଉଠୁଛି କେଉଁଠୁ ? ସେଦିନ ହିଁ ସେ ନବୀନଙ୍କ ମୁହଁ ବଙ୍କା କରିଥାଆନ୍ତେ । ନିଜର ପ୍ରାର୍ଥୀଙ୍କୁ ହରାଇବା ପାଇଁ ନବୀନଙ୍କ ଷଡ଼ଯନ୍ତ୍ରର ଖୁଲାସା କରିଥାଆନ୍ତେ । କିନ୍ତୁ ତାହା ନ କରି ଏତେ ଦିନ ଚୁପ୍ ରହିଥିଲେ କେମିତି ?
ଯେଉଁ ସମୟରେ ସେ ନବୀନଙ୍କ ଗୁମର ଖୁଲାସା କରୁଛନ୍ତି ତାହା ତାଙ୍କ ପାଇଁ ଅନୁକୂଳ ହେଲେ ମଧ୍ୟ ଲୋକଙ୍କୁ ଅବିଶ୍ୱାସ କରିବାକୁ ବାଧ୍ୟ କରିବ । କାରଣ ବିଜେପୁର ଉପନିର୍ବାଚନ ପାଇଁ ସେ ବି ଜଣେ ଆଶାୟୀ । ବିଜେଡ଼ିରୁ ବହିଷ୍କୃତ ହୋଇଥିବାରୁ ବିଜେପି ନାଆକୁ ଗୋଡ ଟେକିଛନ୍ତି । ବିଜେପିରୁ ପ୍ରାର୍ଥୀ ହେବା ଏକରକମ ଚୂଡ଼ାନ୍ତ ହୋଇଯାଇଛି । ଆଉ ଦିବଗଂତ ବିଧାୟକ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ିରେ ବିଦ୍ରୋହ ଦେଖାଦେଲାବେଳକୁ ତାଙ୍କ ମନର ଆବେଗ, ଚିଠି, ବଚନ ଆର୍ବିଭାବ ହୋଇଛି । ଏହା ତାଙ୍କର ରାଜନୈତିକ ଚାଲବାଜି ବୋଲି ଲୋକଙ୍କୁ କହିବାର ସୁଯୋଗ ଦେଇଛନ୍ତି । ଖୋଦ୍ ନବୀନ ପଟ୍ଟନାୟକ ଏହାକୁ ମିଛ ବୋଲି କହିସାରିଲେଣି । ଏବେ ପ୍ରଶ୍ନ କାହା କଥା ସତ । ଅଶୋକ ପାଣିଗ୍ରାହୀ ନା ନବୀନ ପଟ୍ଟନାୟକ । ନବୀନଙ୍କ କଥାର ସତ୍ୟତା କ’ଣ ତାହା କେହି ନହେଲେ ପ୍ରସନ୍ନ ଆଚାର୍ଯ୍ୟ ଜାଣିଥିବେ । ହେଲେ ଅଶୋକଙ୍କ କଥା ସତ ହୋଇଥିଲେ ତାହା ନିିହାତି ସାଂଘାତିକ ।