ଭୁୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହେଉଛି ଡାକ୍ତର ସମସ୍ୟା । ଏହି ନିଚ୍ଛକ ସତ୍ୟକୁ ସରକାର ବିଧାନସଭାରେ ବାରମ୍ବାର ସ୍ୱୀକାର କରିଛନ୍ତି । ହେଲେ ସମସ୍ୟା ସମାଧାନ ଦିଗରେ ଯେଭଳି ଆନ୍ତରିକତା ରହିବା କଥା ତାହା ଦେଖାଯାଉ ନ ଥିଲା । ସରକାରଙ୍କ ଆଭିମୁଖ୍ୟ ବଦଳିଥିବା ଏବେ ଅନୁଭବ ହୋଇଛି । ଆଜି ଗୋଟିଏ ଦିନରେ ୧୦୩୮ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଏହା ଏକ ନୂଆ ମାଇଲଖୁଣ୍ଟ ବୋଲି କୁହାଯାଇଛି ।

ରାଜ୍ୟରେ ମଞ୍ଜୁରିପ୍ରାପ୍ତ ୮୭୧୯ ଡାକ୍ତର ପଦବୀ ମଧ୍ୟରୁ ବର୍ତ୍ତମାନ ୫୪୧୪ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି । ସରକାରଙ୍କ ଉଦ୍ୟମ ଯୋଗୁଁ ନିକଟରେ ଓପିଏସସି ଦ୍ୱାରା ୧୪୦୩ ଡାକ୍ତରଙ୍କୁ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦୩୮ ଜଣ ଆଜି ନିଯୁକ୍ତିପତ୍ର ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଲୋକସେବା କନଭେନସନ୍ ସେଣ୍ଟରରେ ନବ ନିଯୁକ୍ତ ଡାକ୍ତରମାନଙ୍କ ପାଇଁ ଇଣ୍ଡକ୍ସନ୍ ଟ୍ରେନିଂ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିନକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଥିଲେ । ଗୋଟିଏ ଦିନରେ ୧୦୩୮ ଜଣ ନିଯୁକ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବା ସହ ଲୋକଙ୍କ ସେବାକୁ ନିଜର ଧର୍ମ ଭାବରେ ବିଚାର କରି କାର୍ଯ୍ୟ କରିବାକୁ ନବନିଯୁକ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତରମାନଙ୍କୁ ‘ମୋ ସରକାର’ ସଂକଳ୍ପ ପାଠ କରାଇଥିଲେ ।







