ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ରାସ୍ତାର ପଥିକ । ଉଭୟଙ୍କ ଶାସନ ମଡ଼େଲ ଏକା । ଦୁହିଁଙ୍କର ଏକଛତ୍ରବାଦ ଓ ବ୍ୟୁରୋକ୍ରାଟିକ ଶାସନ । ତେବେ ଉଭୟଙ୍କ ସ୍ୱଭାବ ସମାନ ନୁହେଁ । ମୋଦିଙ୍କଠାରେ ରାଗ, ବିଦ୍ୱେଷ ଭରି ରହିଥିଲା ବେଳେ ନବୀନ ସେୟା ନୁହଁନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କାଳରେ ଏଭଳି କଥା କହିଛନ୍ତି । ଆରମ୍ଭରୁ ରାହୁଲ ବିଜେପି ଓ ଆରଏସଏସ ଉପରେ ପ୍ରବଳ ବର୍ଷିଥିଲେ । କିଛି ବ୍ୟବସାୟୀ ଓ ମାଫିଆଙ୍କ ହାତରେ ମୋଦି ଦେଶକୁ ବିକ୍ରି କରିଦେଲେଣି ବୋଲି ଆରୋପ ଲଗାଇଥିଲେ । ଓଡ଼ିଶା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନରେ ସେ ମୋଦିଙ୍କ ଶାସନ ବ୍ୟବସ୍ଥା ସହ ନବୀନ ପଟ୍ଟନାୟକଙ୍କ ଶାସନ ବ୍ୟବସ୍ଥାକୁ ତୁଳନା କରିଥିଲେ । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ମଡ଼େଲ୍ ଆରମ୍ଭ କରିଥିଲେ ବୋଲି ରାହୁଲ କହିଥିଲେ । ସବୁଠାରୁ ବଡ଼କଥା ହେଉଛି, ରାହୁଲଙ୍କ ଟାର୍ଗେଟ୍ ରେ ମୋଦି ହିଁ ମୁଖ୍ୟ ଥିଲେ ।
ହୋଟେଲ ମେ ଫେୟାରରେ ଅନୁଷ୍ଠିତ ଟାଉନ୍ ହଲ ସମ୍ମିଳନୀରେ ଯୋଗଦେଇଥିବା ରାହୁଲ ବୁଦ୍ଧିଜୀବୀମାନଙ୍କ ବିଭିନ୍ନ ପ୍ରଶ୍ନର ମନଖୋଲା ଉତ୍ତର ଦେଇଥିଲେ । ଆରମ୍ଭରୁ ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଅଫିସ ନାଗପୁରରୁ ପରିଚାଳିତ ହେଉଛି । ଦିଲ୍ଲୀରେ କିଛି ବ୍ୟୁରୋକ୍ରାଟଙ୍କୁ ଧରି ମୋଦି ଶାସନ ଚଳୋଉଛନ୍ତି । ଅନୀଲ ଅମ୍ବାନୀ, ନିରବ ମୋଦି, ବିଜୟ ମାଲ୍ୟାଙ୍କ ଭଳି ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ଦେଶ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବରବାଦ କରିଛନ୍ତି । ମୋଦି ଆଜି ଦେଶକୁ ବିପଦମୁଖକୁ ଟାଣି ନେଇଛନ୍ତି । ଦେଶରେ ବେକାରୀ ବଢ଼ୁଛି, ଭ୍ରଷ୍ଟାଚାର ଓ ଦୁର୍ନୀତି ବଢ଼ିଚାଲିଛି । ବିମୁଦ୍ରକରଣ ଓ ଜିଏସଟି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇକ୍ତି । ମୋଦି ଯାହା ପ୍ରତିଶ୍ରୁତି ଦେଇଥିଲେ ସବୁଥିରେ ବିଫଳ ହୋଇଛନ୍ତି ।
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ ସମ୍ପର୍କରେ ରାହୁଲଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଶାସନ ଢ଼ାଞ୍ଚାରେ ମୋଦିଙ୍କଠାରୁ ନବୀନ ଅଲଗା ନୁହଁନ୍ତି । ଉଭୟ ମୋଦି ଓ ନବୀନ ଗୋଟିଏ ରାସ୍ତାରେ ଯାଉଛନ୍ତି । ନବୀନଙ୍କ କାଳିଆ ଯୋଜନା ସମ୍ପର୍କରେ ରାହୁଲ କହିଥିଲେ, କ୍ଷମତାକୁ ଆସିବାର ଦୀର୍ଘ ବର୍ଷ ପରେ ଚାଷୀଙ୍କ କଥା ମନେପଡ଼ିଲା । ଆମେ ଛତିଶଗଡ଼ରେ ଚାଷୀଙ୍କ ଉପରୁ ଋଣଛାଡ଼ ଏବଂ ଧାନ ଏମଏସପି ବଢ଼ିବାରୁ ତାଙ୍କ ନିଦ ଭାଙ୍ଗିଲା । ନା ନବୀନ ନା ମୋଦି, କେହି ଚାଷୀଙ୍କ ପ୍ରତି ସମ୍ବେଦନ ନୁହଁନ୍ତି ବୋଲି ରାହୁଲ କହିଥିଲେ ।
ଓଡ଼ିଶାରେ କଂଗ୍ରେସ ସ୍ଥିତି ସମ୍ପର୍କରେ ରାହୁଲ କହିଥିଲେ, ଦଳର ପୂର୍ବସ୍ଥିତି ଆଉ ନାହିଁ । ବିଶୃଙ୍ଖଳା ଓ କନ୍ଦଳ ଯୋଗୁଁ ଦଳ ଦୁର୍ବଳ ହୋଇଯାଇଥିଲା । ମାତ୍ର ପିସିସିର ନୂଆ ନେତୃତ୍ୱ ଏବଂ ଏଆଇସିସିର ନୂଆ ଟିମ୍ ଏବେ ଓଡ଼ିଶାରେ ଦଳକୁ ମଜବୁତ କରିଛନ୍ତି । କଂଗ୍ରେସର ଭବିଷ୍ୟତ ନେଇ ସେ ଆଶାବାଦୀ ବୋଲି କହିଥିଲେ । ଦଳରୁ ବହିଷ୍କୃତ ହୋଇଥିବା ନେତା ଶ୍ରୀକାନ୍ତ ଜେନାଙ୍କ ସମାଲୋଚନା ଉପରେ ରାହୁଲ କହିଥିଲେ, କିଏ କ’ଣ କହିଲେ ତାଙ୍କର ଯାଏ ଆସ ନାହିଁ । ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।
ଏହି ଅବସରରେ ରାହୁଲ ବହୁତ ପ୍ରସଙ୍ଗରେ ମନ ଖୋଲି କଥା ହୋଇଥିଲେ । ତାଙ୍କ ବିରୋଧରେ ବିଭିନ୍ନ ପ୍ରଚାରକୁ ସେ ସ୍ୱାଗତ କରିଥିଲେ । ଯିଏ ମତେ ସମାଲୋଚନା କରେ ମୁଁ ତାକୁ ଭଲ ପାଏ ବୋଲି ରାହୁଲ କହିଥିଲେ । ସମୟ ଅଭାବରୁ ସମସ୍ତ ବୁଦ୍ଧିଜୀବୀଙ୍କ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ନ ଥିଲେ ମଧ୍ୟ ସେ କାହାରିକୁ ନିରାଶ କରି ନ ଥିଲେ । ଦିଲ୍ଲୀରେ ତାଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି । ଓଡ଼ିଶା ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଲେ ଦିଲ୍ଲୀରେ ସେ ସମୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ବୁଦ୍ଧିଜୀବୀ ସମ୍ମିଳନୀରେ ରାହୁଲ ଖୁବ୍ ଆଶ୍ୱବିଶ୍ୱାସୀ ଥିଲେ । ଜଣେ ପୋଖତ ରାଜନେତାର ହାବଭାବ ତାଙ୍କଠାରେ ଦେଖିବାକୁ ମିଳିଥିଲା । ପୂର୍ବ ଗସ୍ତଠାରୁ ଏଥରର ଗସ୍ତ ଭିନ୍ନ ଲାଗୁଥିଲା । ଦୀର୍ଘ ସାଢ଼େ ତିନି ବର୍ଷ ପରେ ଓଡ଼ିଶାକୁ ଆସିଥିବା ରାହୁଲ ଆଜି ସକାଳ ୧୦.୪୫ ମିନିଟ୍ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।