ଭୁୁବନେଶ୍ୱର: କରୋନା ଲକ୍ ଡାଉନ୍ ରେ ଜୀବିକା ହରାଇଥିବା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କର ବଡ଼ ରିଲିଫ୍ । ଗ୍ରାମାଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଜୀବିକା ସୃଷ୍ଟି ପାଇଁ ୧୭ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ଜୁନ୍ ମାସରୁ ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆଜି ଏହାର ଖସଡ଼ା ପ୍ରସ୍ତୁତ ହୋଇଛି । ପ୍ରବାସୀ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦେବାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ଖାଦ୍ୟ ନିରାପତ୍ତା ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ।
୧୭ ହଜାର କୋଟିରେ କୃଷି, କୃଷି ଭିତ୍ତିକ ଶିଳ୍ପ, ମତ୍ସ୍ୟ ଓ ପଶୁପାଳନ, ହସ୍ତଶିଳ୍ପ ଆଦି କ୍ଷେତ୍ରରେ ଲୋକଙ୍କୁ କାମ ଯୋଗାଇ ଦିଆଯିବ । କୃଷି ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ସେଥିରେ ୨୪ ଲକ୍ଷ ୫୦ ହଜାର ଚାଷୀ ଉପକୃତ ହେବେ । ୫ ଲକ୍ଷ ପରିବା ଚାଷୀଙ୍କୁ ହାଇବ୍ରିଡ୍ ମଂଜି ଯୋଗାଇ ଦିଆଯିବ । ୧୦ ହଜାର ଚାଷୀ ଓ ୫ ହଜାର ଏସଏଚଜିଙ୍କୁ ଛତୁଚାଷ ପାଇଁ ସହାୟତା ଦିଆଯିବ । ମତ୍ସ୍ୟଚାଷ ପାଇଁ ୧୧୧.୪୭ କୋଟି ଟଙ୍କା ଦିଆଯିବ । ଦକ୍ଷତା ବିକାଶ ପାଇଁ ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ନରେଗାରେ ଅଧିକ ଶ୍ରମଦିବସ ସୃଷ୍ଟି କରାଯାଇ ପ୍ରବାସୀଙ୍କୁ କାମ ଦିଆଯିବ ।
ଗ୍ରାମାଞ୍ଚଳ ବିଶେଷକରି ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଉନ୍ନତିକୁ ଆଖିରେ ରଖି ଜୀବିକା ଯୋଗାଇ ଦେବାକୁ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ।
୨୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର
ରାଜ୍ୟ କ୍ୟାବିନେଟ୍ ରେ ଆଜି ୨୨ଟି ପ୍ରସ୍ତାବକୁ ମଂଜୁର ମିଳିଛି । ପ୍ରମୁଖ ପ୍ରସ୍ତାବ ମଧ୍ୟରେ ରହିଛି
– ଧାମରାରେ ଏକ ଟେକ୍ସଟାଇଲ ପାର୍କ ଓ ଢ଼େଙ୍କାନାଳରେ ଏକ ମେଡ଼ିକାଲ୍ ପାର୍କ ପ୍ରତିଷ୍ଠା ହେବ । ୧୦୦୦ ଏକର ଲେଖାଏଁ ଜାଗାରେ ନିର୍ମିତ ହେବାକୁ ଥିବା ପାର୍କ ପାଇଁ ଖର୍ଚ୍ଚ ହେବ ୬ ରୁ ୭ ହଜାର କୋଟି । ଧାମରାରେ ୨୦ ହଜାର ଏବଂ ଢ଼େଙ୍କାନାଳରେ ୧୫ ହଜାର ଲୋକ କର୍ମନିଯୁକ୍ତି ପାଇବେ ।
– ପର୍ଯ୍ୟଟନ ପ୍ରକଳ୍ପ, ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ଇଡକୋ ଜମି ଯୋଗାଇ ଦେବ ।
– ଶକ୍ତି ବିଭାଗ ଅଧୀନକୁ ଆସିବ ‘ଓରେଡା’ । ଏଥିପାଇଁ ସୋସାଇଟ୍ ଆକ୍ଟରେ ପରିବର୍ତ୍ତନ କରାଯିବ ।
– ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରିବେ ।
– ଇ- ମାର୍କେଟ୍ ଜରିଆରେ ଚାଷୀମାନେ ନିଜ ଉତ୍ପାଦକୁ ବିକ୍ରି କରିପାରିବେ ।
– ଆସ୍କା ଚିନିକଳକୁ ୧୫ କୋଟିର ସହାୟତା ଦିଆଯିବ ।
– କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଜମି ଯୋଗାଇ ଦିଆଯିବ ।
– ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ୍ କୋର୍ସର ମାନ୍ୟତା ମିଳିବ ।
– ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ଦିଆଯିବ । ଅଙ୍ଗନବାଡ଼ି ପିଲାଙ୍କୁ ମାଗଣାରେ ଜୋତା, ମୋଜା ଏବଂ ସ୍ୱେଟର ଦିଆଯିବ ।
– ୧୯୨ ନୂଆ ଓଏଏସ୍ ପଦବୀ ସୃଷ୍ଟି କରାଯିବ ।
– ବାଲେଶ୍ୱରରେ ଏନଡିଆରଏଫ୍ ଷ୍ଟେସନ୍ ପାଇଁ ସରକାର ଦେବେ ସାଢ଼େ ୩ ଏକର ଜମି ।
– ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ