ଭୁବନେଶ୍ୱର: ଘରୋଇ ସ୍ୱାସ୍ଥ୍ୟସେବାର ବ୍ରାଣ୍ଡ ଆମ୍ବାସଡ଼ର ହୋଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଘରୋଇ କ୍ଲିନିକ୍ ର ବେପାର ନବ ବାବୁଙ୍କ ମାର୍ଗଦର୍ଶନରେ ପରିପୃଷ୍ଟ ହେବ । କଥାଟି ବିଶ୍ୱାସ ହେଉ ନ ଥିଲେ ମଧ୍ୟ ନିରାଟ ସତ । କିଛି ପ୍ରମୁଖ ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ ଆଜି ବାହାରିଥିବା ବିଜ୍ଞାପନ ଏହାକୁ ପୃଷ୍ଟ କରୁଛି । ବିଜ୍ଞାପନରେ ଜଣେ ଜଣାଶୁଣା ଘରୋଇ ଡାକ୍ତରଙ୍କ କାନ୍ଧରେ କାନ୍ଧ ମିଳେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଗ୍ୟାଷ୍ଟ୍ରିକ୍ ରୋଗ ନିରୂପଣ ପାଇଁ ସଂପୃକ୍ତ ଡାକ୍ତରଙ୍କ ଉଦ୍ୟମରେ ଘରୋଇ କ୍ଲିନିକ୍ କୁ ଆସୁଥିବା ଅତ୍ୟାଧୁନିକ ଏଣ୍ଡୋସାଇଟୋସ୍କୋପ୍ ମେସିନ୍ ର ପ୍ରଚାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜକୁ ବ୍ରାଣ୍ଡିଂ କରେଇଛନ୍ତି । ଓଡ଼ିଶାର ରୋଗୀମାନେ ଏହାଦ୍ୱାରା ନିଶ୍ଚିତ ଉପକୃତ ହୋଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସେଥିରେ ଜଣାଇ ବି ଦେଇଛନ୍ତି ।
ଏହି ବିଜ୍ଞାପନଟି ଦେଖିଲା ପରେ ଆମ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରୋଇ ସ୍ୱାସ୍ଥ୍ୟସେବା ମୋହ ଓ ଘରୋଇ ଡାକ୍ତରଙ୍କ ପ୍ରତି ପୃଷ୍ଠପୋଷକତା ଧରାପଡ଼ିଛି । ଘରୋଇ ଡାକ୍ତରଙ୍କୁ ପ୍ରୋତ୍ସାହନ ଦେଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଖୁଲମଖୋଲା ଭାବେ ବିଜ୍ଞାପନରେ ଆସିଛନ୍ତି । ଡାକ୍ତରଙ୍କ ଉଦ୍ୟମକୁ ବାହାବା ଦେଇ ତାଙ୍କ ସହ ଫଟୋ ଉଠାଇଛନ୍ତି । ତାଙ୍କ ଫଟୋଟି ବିଜ୍ଞାପନରେ ବ୍ୟବହାର କରିବାକୁ ବି ଅନୁମତି ଦେଇଛନ୍ତି । ଏହା ଦେଖିଲା ପରେ ଦେଖଣାହାରୀଙ୍କ ମୁଣ୍ଡ ଗୋଲ୍ ହୋଇଯାଇଛି ।
ଉକ୍ତ ବିଜ୍ଞାପନ ଜରିଆରେ ଲୋକଙ୍କୁ ଜଣାଇ ଦିଆଯାଇଛି ଯେ ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ବ୍ୟକ୍ତିଗତ ଉଦ୍ୟମରେ ଆସନ୍ତା ନଭେମ୍ବର ମାସରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ ରେ ଉପଲବ୍ଧ ହେବ ପୃଥିବୀର ସବୁଠୁ ଅତ୍ୟାଧୁନିକ ଓ ବିରଳ ଏଣ୍ଡୋସାଇଟୋସ୍କୋପ୍ ମେସିନ୍ । ଏହି ମେସିନ୍ ରେ ଏଣ୍ଡୋସ୍କୋପି କରିବା ସମୟରେ ହିଁ ବିନା ବାୟୋସ୍ପିରେ ଗ୍ୟାଷ୍ଟ୍ରିକ୍ କ୍ୟାନସର୍ ରୋଗର ନିରୂପଣ କରିବ । ତେଣୁ ରୋଗୀମାନେ ସେହି ଘରୋଇ ହସ୍ପିଟାଲ୍ ଯାଆନ୍ତୁ ଏବଂ ତାହାର ସୁବିଧା ନିଅନ୍ତୁ ।
ଏହି ମେସିନ୍ ର ଗୁଣବତ୍ତାରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୋହର ବାଜିଥିବାରୁ ଘରୋଇ ହସ୍ପିଟାଲ୍ କୁ ଆଉ ବେପାର ଖୋଜାପଡ଼ିବ ନାହିଁ । ସରକାରୀ ହସ୍ପିଟାଲ୍ କୁ ଲୋକେ ନାକ ଟେକିବେ । ବିକ୍ରୀ ହୋଇଯିବେ ପଛେ, ଚିକିତ୍ସା ପାଇଁ ନୂଆ ମେସିନ୍ ଆଣିଥିବା ଘରୋଇ ହସ୍ପିଟାଲ୍ ଛାଡ଼ିବେନି । ହସ୍ପିଟାଲ୍ ର ବଢ଼ିଆ ରୋଜଗାର ହେବ । ୬ ମାସ କି ବର୍ଷକରେ ମେସିନ୍ ପଇସା ଉଠିଯିବ ।
ଅତୀତରେ ସି ସୋର୍ ଟିଭି ଉଦଘାଟନ ଉତ୍ସବକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରବର୍ତ୍ତୀ ସମୟରେ ସେହି ସି ସୋର ସଂସ୍ଥା ଚିଟଫଣ୍ଡ ଘୋଟାଲାରେ ପଡ଼ିବା ପରେ ବଦନାମ ପାଇଥିଲେ ମୁଖ୍ୟମନ୍ତ୍ରୀ । କୁହାଯାଇଥିଲା, ମୁଖ୍ୟମନ୍ତ୍ରୀଙ୍କୁ ବ୍ରାଣ୍ଡ କରି ସଂପୃକ୍ତ ସଂସ୍ଥାର ମାଲିକ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଷ୍ଟାମ୍ପ ବାଜିଥିବାରୁ ଲୋକେ ପେଟରୁ ଦାନା କାଟି ଚିଟଫଣ୍ଡ ବେପାରରେ ଲଗାଇଥିଲେ । ଯାହା ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଲା ।
ଗତ କିଛି ବର୍ଷ ଧରି ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନକୁ ଆଚ୍ଛାଦିତ କରିଥିବା ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବେଶୀ ପାଟି କରୁଥିଲେ ତତ୍କାଳୀନ କଂଗ୍ରେସ ବିଧାୟକ ତଥା ଏବେକାର ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏବେ ସେହି ନବ ଦାସ ନିଜ ବିଭାଗ କଥା ଭୁଲି ଘରୋଇ ଡାକ୍ତର ଓ କ୍ଲିନିକ୍ ର ପ୍ରଚାରରେ ମାତିଲେଣି । ମୁଖ୍ୟମନ୍ତ୍ରୀ ଏହା ଜାଣୁଛନ୍ତି ତ ?