ଭୁବନେଶ୍ୱର: ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ମୁଖ୍ୟ ପଦ ଛାଡ଼ିଛନ୍ତି ବିଜୟ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଭାବେ ସରକାରୀ ପଦରୁ ଅବସର ନେବା ପରେ ୨୦୧୫ ଏପ୍ରିଲ୍ ୨୯ ତାରିଖରେ ତାଙ୍କୁ ଏହି ଘରୋଇ ପ୍ରକଳ୍ପରେ ନିଯୁକ୍ତି ମିଳିଥିଲା । ଅନୀଲ ଅଗ୍ରୱାଲ୍ ଫାଉଣ୍ଡେସନ୍ ଅଫର୍ କୁ ସେ ଖୁସିରେ ଗ୍ରହଣ କରିଥିଲେ । ପୁରୀ-କୋଣାର୍କ ବେଳାଭୂମି ଅଞ୍ଚଳରେ ପ୍ରସ୍ତାବିତ ବିଶ୍ୱସ୍ତରୀୟ ବେଦାନ୍ତ ବିଶ୍ୱବିଦ୍ୟାଳୟ କାମ ତ୍ୱରାନ୍ୱିତ କରିବା ଥିଲା ତାଙ୍କର ମୁଖ୍ୟ ଦାୟିତ୍ୱ । ପ୍ରକଳ୍ପରେ ବାଧକ ଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଆଗେଇ ନେବାକୁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେଥିପାଇଁ ବି ବେଶ୍ ଆଗ୍ରହୀ ଓ ଆଶାବାଦୀ ଥିଲେ ପଟ୍ଟନାୟକ । ମାତ୍ର ଅଢ଼େଇ ବର୍ଷ ପରେ ସଂସ୍ଥାରୁ ତାଙ୍କ ମନ ଛାଡ଼ିଯାଇଛି । ବେଦାନ୍ତ କର୍ତ୍ତୃପକ୍ଷଙ୍କ ହାବଭାବ ତାଙ୍କୁ ଭଲ ଲାଗିନାହିଁ । ପ୍ରକଳ୍ପର ଭବିଷ୍ୟତ ଅନ୍ଧାର ବୋଲି ତାଙ୍କର ହୃଦବୋଧ ହୋଇଛି । ଏଠାରେ ଅଧିକ ଦିନ ରହି ସମୟ ନଷ୍ଟ କରିବାକୁ ଶ୍ରୀ ପଟ୍ଟନାୟକ ଚାହିଁନାହାନ୍ତି ।
ବେଦାନ୍ତ ଏପିସୋଡ଼ ପରେ ବିଜୟଙ୍କ ଆଗାମୀ ଇଂନିସ୍ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଚାକିରି ଛାଡ଼ିବାର ନୋଟିସ୍ ପିରିୟର୍ଡ଼ ଦୁଇ ମାସ ପରେ ତାଙ୍କର ସମ୍ଭାବ୍ୟ ନୂଆ ଅବତାରକୁ ନେଇ ବିଜେଡ଼ି ମହଲରେ ଉତ୍କଣ୍ଠା ଜାଗିଛି । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବେଶ୍ ଘନିଷ୍ଠ ଥିଲେ ବିଜୟ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦୀର୍ଘ ବର୍ଷ କାମ କରିଥିଲେ । ମୁଖ୍ୟ ଶାସନ ସଚିବ ପଦକୁ ଆସିବା ପରେ ତୃତୀୟ ମହଲା ସହ ତାଙ୍କର ନିବିଡ଼ତା ବଜାୟ ରହିଥିଲା । ସରକାରରେ ବେଶ୍ ପାୱାରଫୁଲ ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ଅବସର ପରେ ବେଦାନ୍ତ ଚାକିରି ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ନିବିଡ଼ତା ଅତୁଟ ରହିଥିବା କୁହାଯାଉଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ଏବେ ବି ତାଙ୍କଠାରୁ ପରାମର୍ଶ ନେଉଥିବା ଚର୍ଚ୍ଚା ହୁଏ । ନିକଟ ଅତୀତରେ ବିଜୟଙ୍କୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ପଦରୁ ଅପ୍ରତ୍ୟାଶିତ ହଟାଇ ଦେଇଥିବା ବି ମିଡ଼ିଆରେ ଚର୍ଚ୍ଚା ହୋଇଥିଲା ।
ସେ ଯାହା ହେଉ, ରାଜ୍ୟରେ ଏବେ ନିର୍ବାଚନ ସଜବାଜ ଆରମ୍ଭ ବେଳକୁ ବିଜୟଙ୍କ ଘରୋଇ ଚାକିରି ବୈରାଗ୍ୟ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ୍ ଦେଇଛି । ବିଜୟ ବିଜେଡ଼ିରେ ଯୋଗଦେଇପାରନ୍ତି । ବିଜେଡ଼ି ଟିକେଟରେ ଆଗାମୀ ବର୍ଷ ରାଜ୍ୟସଭାକୁ ଯାଇପାରନ୍ତି । ଭୁବନେଶ୍ୱର ଲୋକସଭା କିମ୍ବା କୌଣସି ବିଧାନସଭା ଆସନରୁ ସେ ଲଢ଼ିପାରନ୍ତି । ଏହିଭଳି ବିଭିନ୍ନ ଚର୍ଚ୍ଚା ରାଜନୈତିକ ମଇଦାନକୁ ସରଗରମ କରିଛି ।
ତେବେ ରାଜନୀତିରେ ଯୋଗଦାନ ଖବରକୁ ଶ୍ରୀ ପଟ୍ଟନାୟକ ଅସ୍ୱୀକାର କରିଛନ୍ତି । ରାଜନୀତି ପ୍ରତି ତାଙ୍କର ସ୍ପୃହା ନାହିଁ ବୋଲି କହିଛନ୍ତି । ଚାକିରି ଅବସର ଜୀବନ ବିତାଇବାକୁ ସେ ପସନ୍ଦ କରୁଥିବା କହିଛନ୍ତି । ବିଜୟଙ୍କର ଏଭଳି ମନ୍ତବ୍ୟ ପରେ ମଧ୍ୟ ତାଙ୍କୁ ନେଇ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନାରେ ଅନ୍ତ ଘଟିନି । ରାଜନୀତି ପାଣିପାଗରେ କେଉଁ ମୁହୁର୍ତ୍ତରେ କ’ଣ ଘଟିବ, କେତେବେଳେ କାହାର କେଉଁ ବାଧ୍ୟବାଧକତା ଆସିବ ତାହାର ଅବଗଣନା ପୂର୍ବରୁ ସମ୍ଭବ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।