ଭୁୁବନେଶ୍ୱର: ସରକାରୀ ଚାକିରିଆଙ୍କ ପଦୋନ୍ନତି କ୍ଷେତ୍ରରେ ଅଯଥା ବିଳମ୍ବ, ହଇରାଣ ହରକତ ଓ ଟାଳଟୁଳ ନୀତି ଦେହସୁହା ହୋଇଯାଇଛି । ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ଏହା ବିଶେଷ ପରିଲକ୍ଷିତ ହେଉଛି । ତେବେ ଏହିଭଳି କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଖପ୍ପା ହୋଇଛନ୍ତି । କଠୋର ଆଭିମୁଖ୍ୟ ପୋଷଣ କରି ସେହି ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
ଜିଲ୍ଲାସ୍ତରଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗରେ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ସୁବିଧା ପାଇଁ ଡେଡଲାଇନ ଧାର୍ଯ୍ୟ କରାଯାଇଛି । ପଦୋନ୍ନତି ଯୋଗ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ସରକାରୀ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରାଯାଇ ଜାନୁଆରୀ ୧ ରୁ ପଦୋନ୍ନତି ଦେବାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।
ଏହି ନିର୍ଦ୍ଦେଶ ଅନୁଯାୟୀ, ଡିସେମ୍ବର ୩୧ ତାରିଖ ସଂଧ୍ୟା ସୁଦ୍ଧା ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନେ ଅନୁପାଳନ କରିବାକୁ ବାଧ୍ୟ । ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ, କର୍ମଚାରୀ ଯେପରି ନିଜ ପଦୋନ୍ନତି ପାଇଁ ଏଠୁ ସେଠିକି ନ ଧାଇଁବେ, ସେଥିପାଇଁ ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳା ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯହି ଏହା ଭଙ୍ଗ ହୋଇ ପଦୋନ୍ନତି ପ୍ରକ୍ରିୟାରେ ପୁର୍ବଭଳି ଅହେତୁକ ବିଳମ୍ବ ଘଟେ ତେବେ ସଂପୃକ୍ତ ମୁଖ୍ୟମାନେ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।
୫ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ଏଚଆରଏମଏସ ସୁବିଧା ଥାଇ ବି ପଦୋନ୍ନତି ଦେବା କ୍ଷେତ୍ରରେ ବିଳମ୍ବ ଘଟୁଥିବା ମୁଖ୍ୟମନ୍ତ୍ରୀ ଅନୁଭବ କରୁଥିବା କହିଛନ୍ତି । ଆବଶ୍ୟକସ୍ଥଳେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ୍ ସମୟରେ ପଦୋନ୍ନତି ଦିଆଗଲେ ଟିମ୍ ୱାର୍କ ପାଇଁ କର୍ମଚାରୀ ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।