ଭୁୁବନେଶ୍ୱର: ଆଇଟିଇଆର୍ କଲେଜର ପ୍ଲେସମେଣ୍ଟ ମୁଖ୍ୟ ତଥା ସୋଆ ବିଶ୍ୱବିଦ୍ୟାଳୟର ଡିନ୍ ରାଜକୁମାର ହୋତାଙ୍କ ସମ୍ପର୍କରେ ସାଂଘାତିକ ଅଭିଯୋଗ ଆସିବାରେ ଲାଗିଛି । ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ସେ କିଭଳି ଖେଳ ଖେଳୁଥିଲେ ତାହାର ଗୁମର ଫିଟାଇଛନ୍ତି ବହୁ ଅଭିଭାବକ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ଲେସମେଣ୍ଟ ନାଁରେ ବର୍ଷ ବର୍ଷ ଧରି ହୋତା କଲେଜ ଛାତ୍ରଛାତ୍ରୀଙ୍କୁ ଶୋଷୁଥିଲେ । ନିଜ ପିଲାର ଭବିଷ୍ୟତ ପାଇଁ ପଇସାବାଲା ଲୋକ ହୋତାଙ୍କୁ ସନ୍ତୁଷ୍ଟ କରି ପାର୍ ହେଉଥିବା ବେଳେ ଗରିବ ଅଭିଭାବକ ହାତ ଟେକି ଦେଉଥିଲେ । ଭାଗ୍ୟ ଉପରେ ଛାଡ଼ିଦେଉଥିଲେ ପିଲାର ଭବିଷ୍ୟତ । ଅନେକ ଅଭିଭାବକ କରଜବାରଜ କରି ହୋତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରି ବି ବିଫଳ ହେଉଥିଲେ । ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଏଇ ହୋତା ରୀତିମତ ଖେଳ ଖେଳୁଥିଲେ । ଏଥିରୁ ପ୍ରବଳ ପଇସା ରୋଜଗାର କରିବାର ବାଟ ପାଇଯାଇଥିଲେ ।
ଆଇଟିଇଆର୍ କଲେଜରେ ପଢ଼ୁଥିବା ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ହୋତା ଥିଲେ ଭଗବାନ ସଦୃଶ । କ୍ୟାମ୍ପସ୍ ଚୟନ ବେଳେ ସେ ହିଁ ଥିଲେ ପିଲାଙ୍କ ଭାଗ୍ୟବିଧାତା । କିଏ କେଉଁ କମ୍ପାନୀରେ ଚାକିରି କରିବେ ତାହାର ଚାବିକାଠି ଥିଲା ହୋତାଙ୍କ ପାଖରେ । କଲେଜକୁ କ୍ୟାମ୍ପସ୍ ସିଲେକ୍ସନ୍ ଆସିବା ପୂର୍ବରୁ ହୋତାଙ୍କ ଗୋଡ଼ ଆଗ ଧରିବାକୁ ପଡୁଥିଲା । ଅଭିଭାବକଙ୍କ ସହ ତାଙ୍କର ମୂଲଚାଲ ହେଉଥିଲା । ଅଭିଭାବକଙ୍କ ସହ ସେ ମୋଟା ଅଙ୍କର ମୂଲଚାଲ୍ କରୁଥିଲେ । ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ । ଗୋଟେ ହାତରେ ପଇସା ଧରୁଥିଲା ବେଳେ ଅନ୍ୟ ହାତରେ ପିଲାଙ୍କୁ କ୍ୟାମ୍ପସ ଚୟନରେ ବସାଉଥିଲେ । ସେହି ହିସାବନିକାଶ ଧରି କେଉଁ ପିଲା କେଉଁ କ୍ୟାମ୍ପସ୍ ପରୀକ୍ଷାରେ ବସିବେ ତାହା ନିର୍ଦ୍ଧାରଣ କରୁଥିଲେ ହୋତା । କମ୍ପାନୀ ମନୋନୟନ କରିବାର ଦାୟିତ୍ୱ ମଧ୍ୟ ନେଉଥିଲେ । ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ମେଧା ବଦଳରେ ଆଭିଜାତ୍ୟ ମାପକାଠି ପାଲଟିଥିଲା । କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ସିଷ୍ଟମ୍ ର ଟେର୍ ନ ପାଇ କାନମୁଣ୍ଡା ଆଉଁଷୁଥିଲା ବେଳେ ଟେର୍ ପାଉଥିବା ପଇସାବାଲା ଲୋକ ପାର୍ ପାଇବାରେ ସକ୍ଷମ ହେଉଥିଲେ । ଏକଥା କଲେଜର ପ୍ରାୟ ଛାତ୍ରଛାତ୍ରୀ ଓ ଅଭିଭାବକ ଜାଣୁଥିଲେ ମଧ୍ୟ କ୍ୟାରିୟର୍ ଭୟରେ ପାଟି ଫିଟାଉ ନ ଥିଲେ । ହୋତା ସାର୍ ଚାହିଁଲେ ଜୀବନ ବରବାଦ୍ କରିଦେବେ ବୋଲି ସେମାନେ ଭାବିନେଇଥିଲେ ।
ଏକଥା ଯେ କଲେଜ କର୍ତ୍ତୃପକ୍ଷ ଜାଣି ନ ଥିଲେ ତାହା ନୁହେଁ । କିଛି ଅଭିଭାବକ ଏକଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି କହିଛନ୍ତି । ମାତ୍ର କର୍ତ୍ତୃପକ୍ଷ ତାହାକୁ ଅଣଦେଖା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଯଦି ଏହା ସତ ତାହାହେଲେ କଲେଜ କର୍ତ୍ତୃପକ୍ଷଙ୍କ ଜାଣତରେ ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଥିଲା ବୋଲି ଧରିନେବାକୁ ପଡ଼ିବ । ଏମିତିରେ ପ୍ରଶ୍ନ, କର୍ତ୍ତୃପକ୍ଷଙ୍କ ବିନା ଜାଣତରେ ହୋତା ବର୍ଷ ବର୍ଷ ଧରି ଏହି କାରବାର କରିବାକୁ କିଭଳି ସାହସ କରୁଥିଲେ ? କର୍ତ୍ତୃପକ୍ଷ ଯଦି ଏହା ଉପରେ ଅଭିଯୋଗ ପାଇଥିଲେ ଚୁପ୍ ବସିଥିଲେ କାହିଁକି ? ହୋତାଙ୍କ ଶୋଷଣର ଶିକାର ହୋଇ ଭବିଷ୍ୟତ ଅନ୍ଧାର କରିଥିବା ଛାତ୍ରଛାତ୍ରୀଙ୍କୁ ଏବେ ନ୍ୟାୟ ଦେବ କିଏ ? ଆଜି ଘଟଣା ଅସମ୍ଭାଳ ହୋଇ ପଦାରେ ପଡ଼ିବାରୁ କର୍ତ୍ତୃପକ୍ଷ ନିଜକୁ ସତୀ ଦେଖାଇଛନ୍ତି । ଗୁଡ଼ଗାଁର ସଂପୃକ୍ତ ଜାଲ୍ ପ୍ଲେସମେଣ୍ଟ ସଂସ୍ଥା ସମ୍ପର୍କରେ ଅଜ୍ଞତା ଦେଖାଇଛନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ସେହି ଜାଲ୍ ସଂସ୍ଥା ନିଜର କାୟା ବିସ୍ତାର କରିଥିବା କହି ନିଜ ମୁହଁ ଲୁଚାଇଛନ୍ତି ।
ସୂଚନାଯୋଗ୍ୟ, ଗୁଡ଼ଗାଁର ସଂପୃକ୍ତ ପ୍ଲେସମେଣ୍ଟ ସଂସ୍ଥା ସହ ଆଇଟିଇଆର୍ କଲେଜ ପକ୍ଷରୁ ରାଜିନାମା ସ୍ୱାକ୍ଷର କରିଥିଲେ ଶ୍ରୀମାନ୍ ହୋତା । ସଂପୃକ୍ତ ସଂସ୍ଥା ପକ୍ଷରୁ ଗତ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୯ଟି କମ୍ପାନୀକୁ ଡାକି କ୍ୟାମ୍ପସ୍ ଚୟନ କରାଯାଇଥିଲା । ୪୧୪ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ନିଯୁକ୍ତିପତ୍ର ଦିଆଯାଇଥିଲା । ମାତ୍ର ସେହି ନିଯୁକ୍ତିପତ୍ର ଧରି ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ଗଲାବେଳେ ତାହା ଜାଲ୍ ବୋଲି ଜଣାପଡ଼ିଛି । ଜାଲିଆତିର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ଆଇଟିଇଆର୍ କଲେଜ ଆସି ଆନ୍ଦୋଳନ କରିବା ପରେ ପ୍ଲେସମେଣ୍ଟ ଅଧିକାରୀ ହୋତା ଫେରାର ହୋଇଯାଇଥିଲେ । ଆଜି କମିସନରେଟ୍ ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କଠାରୁ ପୁଲିସ ସତ ଓଗାଳିବ ବୋଲି ଆଶା କରାଯାଉଛି ।