ଭୁବନେଶ୍ୱରଃ ଆଇଟିଇଆର୍ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ । କ୍ୟାମ୍ପସ୍ ଚୟନର ଲୋଭ ଦେଇ ଡକାଏତି କରୁଥିଲେ । ଡିନ୍ ରାଜକୁମାର ହୋତାଙ୍କୁ ଛତ୍ରଛାୟାରେ ରଖି ଦିନ ଦ୍ୱିପହରେ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଚିତା କାଟୁଥିଲେ । ବର୍ଷ ବର୍ଷ ଧରି ଏହି ଜାଲ୍ ରାକେଟ ପିଲାଙ୍କୁ ଶୋଷି ସେମାନଙ୍କ ଜୀବନ ବରବାଦ୍ କରୁଥିଲା । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଥିବା ସୋଆ କର୍ତ୍ତୃପକ୍ଷଙ୍କ ବିରୋଧରେ ଏହା ଆଉ ଅଭିଯୋଗ ହୋଇ ରହିନାହିଁ । ଅଭିଯୋଗର ସତ୍ୟାସତ୍ୟ ଏବେ ପଦାରେ ଗଡୁଛି ।
ଆଶ୍ଚର୍ଯ୍ୟର କଥା, ଏତେବଡ଼ ସଙ୍ଗୀନ ମାମଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ନାହିଁ । ଆଜିକାଲି କଥାକଥାକେ ଟ୍ୱିଟ୍ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ସେୟାଡକୁ ଯାଉନାହିଁ । କିଛି ଦିନ ତଳେ ରମାଦେବୀ କଲେଜ ଛାତ୍ରୀମାନଙ୍କୁ ବ୍ଲାକ୍ମେଲିଂ ଘଟଣାରେ ମୁଖ୍ୟମନ୍ତ୍ରୀ ଖାଲି ତତ୍ପରତା ଦେଖାଇଥିଲେ ତାହା ନୁହେଁ, ବରଂ ଘଟଣାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇ ଖୋଦ୍ ଡିଜିଙ୍କୁ ଉତ୍ତରଦାୟିତ୍ୱ ଦେଇଥିଲେ । ମିଡ଼ିଆରେ ବାହାବା ନେବା ପାଇଁ ନିଜେ ଚିନ୍ତାପ୍ରକଟ କରିଥିଲେ ଓ ଦଳର ଯୁବ ଓ ଛାତ୍ରବାହିନୀକୁ ଚିନ୍ତାପ୍ରକଟ କରାଇଥିଲେ । ହେଲେ ଆଇଟିଇଆର୍ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ସବୁମହଲକୁ ବିସ୍ମିତ କରିଛି । ସ୍ୱାଭାବିକ ଭାବେ କଲେଜ ମାଲିକ ମନୋଜ ନାୟକଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଧରାପଡ଼ିଯାଉଛି ।
ଗତବର୍ଷ ଅକ୍ଟୋବର ମାସରେ ମନୋଜ ନାୟକଙ୍କ ସଂସ୍ଥା ସମ୍ ହସ୍ପିଟାଲ୍ ରେ ନିଆଁ ଲାଗି ୩୧ ଜଣ ରୋଗୀଙ୍କର ପ୍ରାଣ ଯାଇଥିଲା । ସାରା ଦେଶରେ ଏହା ଚାଞ୍ଚଲ୍ୟ ଖେଳାଇବା ପରେ ମୁଖ୍ୟମନ୍ତ୍ରୀ ନିଜ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବଳି ପକାଇଦେଇଥିଲେ ମଧ୍ୟ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇ ପ୍ରଥମରୁ ମାମଲାକୁ ଥଣ୍ଡା କରିବାକୁ ଉଦ୍ୟମ କରିଥିଲେ । ଆରଡିସି ତଦନ୍ତ ରିପୋର୍ଟ ମାସେ ଭିତରେ ଆସିବାର ଥିଲେ ମଧ୍ୟ ପାଖାପାଖି ବର୍ଷେ ହେଲାନି ଆସିଲା ନାହିଁ । ଦାୟିତ୍ୱରେ ଖିଲାପ କରିଥିବା ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ କି ଅଗ୍ନିଶମ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି । ହସ୍ପିଟାଲ୍ ଏବେ ଯଥା ପୂର୍ବଂ ତଥା ପରଂ । ହସ୍ପିଟାଲ୍ ନିଆଁକୁ ଲୋକ ଭୁଲିଗଲା ପରେ ସରକାର ବି ଭୁଲିଗଲେ । ମନୋଜ ନାୟକଙ୍କ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ହାତଗଲାନି । ବରଂ ଅଗ୍ନିକାଣ୍ଡ ଘଟଣା ପାଇଁ ଯେଉଁ ସରକାରୀ ଅଧିକାରୀମାନେ ଦାୟୀ ସରକାର ସେମାନଙ୍କୁ କୋଳେଇ କାଖେଇ ଏବେ ପର୍ଯ୍ୟନ୍ତ ଗେଲୋଉଛନ୍ତି ।
ଏବେ ଆଇଟିଇଆର୍ ଠକେଇ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅସମ୍ଭବ ନିରବତା ମନୋଜ ନାୟକଙ୍କ ସହ ସରକାରଙ୍କ ସବୁ ପୀରତି ଖୋଲି ଦେଇଛି । ନିଜର ପୀରତି ଦେଖାଇବାକୁ ଯାଇ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରସଙ୍ଗକୁ ରାଜ୍ୟ ସରକାର ତୁଚ୍ଛ କରିଦେଇଛନ୍ତି । ପୁଲିସ ତଦନ୍ତର ଢ଼ାଲ ଦେଖାଇ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳୀୟ ମୁଖପାତ୍ରମାନେ ନିଜ ଦାୟିତ୍ୱରୁ ହଟିଯାଇଛନ୍ତି । ଏହା ଖାଲି ଲଜ୍ଜା ନୁହେଁ, ସଙ୍ଗୀନ ମଧ୍ୟ ।
ସେପଟେ ଠକେଇ ସାମନାକୁ ଆସିଲା ପରେ ସୋଆ କର୍ତ୍ତୃପକ୍ଷ ବାରକଥା ବୁଲାଉଛନ୍ତି । ନିଜକୁ ସତୀ ଦେଖାଇବାକୁ ପ୍ରୟାସ କରୁଛନ୍ତି । ଗୁଡ଼ୁଗାଁର ନକଲି ପ୍ଲେସମେଣ୍ଟ ସଂସ୍ଥା ବିଷୟରେ ନିଜର ଅଜ୍ଞତା ଦେଖାଇ ମୁହଁଫୁଟାଣି ଦେଖାଉଛନ୍ତି । ଏହା ଖାଲି ମାରାତ୍ମକ ନୁହେଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚଟକଣା ମାରିଲା ସଦୃଶ ହୋଇଛି । କମିସନରେଟ୍ ପୁଲିସ ରାଜକୁମାର ହୋତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିବା ପରେ ବହୁ ସାଂଘାତିକ ତଥ୍ୟ ପାଇଛି । ଜାଲ୍ ୱେବସାଇଟ୍ କରି ଗୁଡ଼ଗାଁର ସଂପୃକ୍ତ ସଂସ୍ଥା ଠକିଛି ବୋଲି ଅଭିଜ୍ଞ ହୋତା କହିଛନ୍ତି । ତେବେ ଏହି ରାକେଟ୍ ର ମୁଖ୍ୟ ଯେ ସ୍ୱଂୟ ହୋତା ତାହା ପୁଲିସକୁ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ସୋମବାର ସୁଦ୍ଧା ପୁଲିସ ସବୁ ଗୁମର ଫିଟାଇବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।