ଭୁବନେଶ୍ୱର: ଗୋବରି ନଇ ମଝିରେ ପଡି ଏବେ ବୈଜୟନ୍ତ ଜୟ ପଣ୍ଡା ଛଟପଟ । ନାଁ ବି ଜାଣିଶୁଣି ବୈଜୟନ୍ତ ଜୟ ପଣ୍ଡା(ବିଜେପି) ରଖିଥିଲେ, ଯଦିଓ ପିତୃଦତ୍ତ ନାଁ ଥିଲା ବୈଜୟନ୍ତ ପଣ୍ଡା । ବିଜେଡିରେ ରହି ସମ୍ପୂୂର୍ଣ ଲଟରପଟର ବି ହେଉଥିଲେ । ସ୍ତମ୍ଭ ଲେଖାରେ ବି ମୋଦିଙ୍କ ପ୍ରଶଂସା । ମୋଦି ଆମେରିକା ଯିବା ପରେ ସଂସଦୀୟ ଦଳ ଗସ୍ତରେ ଯାଇ ବୈଜୟନ୍ତ ପ୍ରଶଂସାରେ ମୋଦିଙ୍କୁ ପୋତି ପକାଇଥିଲେ । ବିଜେଡ଼ିରେ ରହି ତନୁ, ମନ, ଆତ୍ମା ସଂପୂର୍ଣ ମୋଦିମୟ ହୋଇ ଯାଇଥିଲା । ବିଜେଡ଼ିର ଝାଳ, ରକ୍ତରେ ସେ ନିର୍ବାଚିତ ହେବା ପରେ ନିଜ ଟୁଇଟର ଖଣ୍ଡାରେ ବିଜେଡ଼ିକୁ ରେଗୁଲାର୍ ହାଣି ସେ ମଜା ନେଉଥିଲେ ।
ବୈଜୟନ୍ତଙ୍କ ପାଇଁ କଥା ଏଯାଏଁ ଠିକ୍ ଥିଲା । ତେବେ ସହିବାର ସୀମା ଅତିକ୍ରମ କରିବା ପରେ ବିଜେଡି ହାଲକା କାର୍ଯାନୁଷ୍ଠାନ ନେଇଛି । ସଂସଦୀୟ ଦଳ ମୁଖପାତ୍ରରୁ ବିଦା ହୋଇଛନ୍ତି ବୈଜୟନ୍ତ । ଏଥର ବୈଜୟନ୍ତ ଛାୟାରୁ କାୟା ବାହାର କରି ପୂରାଦମରେ ମୋଦିମୟ ହେବାକୁ ଆଗଭର ହୋଇଥିଲେ । କିନ୍ତୁ ଏବେ ରାଜ୍ୟ ବିଜେପି ଯେଉଁ ଶକ୍ତ ଚଟକଣା ମାରିଛି ତାହା ବୈଜୟନ୍ତଙ୍କୁ ହତବମ୍ବ କରିଛି । ଇମ୍ଫା ବ୍ଲାଷ୍ଟ୍ ଫ୍ୟୁରାନ୍ସ ଫାଟି ୬ ପୋଡି ହୋଇଥିବା ଘଟଣାରେ ଭାଇ ଶୁଭ୍ରକାନ୍ତ ପଣ୍ଡାଙ୍କ ଗିରଫ ଦାବି କରିଛି ରାଜ୍ୟ ବିଜେପି । ତା’ପୁଣି ବୈଜୟନ୍ତଙ୍କ ଶତ୍ରୁ ଚ୍ୟାନେଲ୍ ନିଉଜ୍ ୭ରେ ।
ଏହା ଏକ ବିରାଟ ଜାବୁଡା କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ବୈଜୟନ୍ତଙ୍କ ଖଦି କୁର୍ତ୍ତା ତଳେ ଇମ୍ଫାର କର୍ପୋରେଟ୍ ଗଞ୍ଜି । ଏକଥା ସମସ୍ତେ ଜାଣନ୍ତି । ଇମ୍ଫା ଖଣିକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବନ୍ଦ କରିବା ନିଷ୍ପତ୍ତିକୁ ସେ ଯଦିଓ ସହଜରେ ଗ୍ରହଣ କରି ନଥିଲେ, ତେବେ ବିଜେଡ଼ିର ପ୍ରତିଶୋଧ ଭାବି ଚୁପ୍ ରହିଥିଲେ ଓ ନିଜ ଅସ୍ତ୍ର ତୟାର କରୁଥିଲେ । ମାତ୍ର ଏବେ ବିଜେପିର ଦାବି ତାଙ୍କର ସବୁ ଗଣିତକୁ ଓଲଟପାଲଟ କରି ଦେଇଛି । ଏଣେ ଖଣି ବନ୍ଦ, ତେଣେ ଯାହା ଉପରେ ଆଶ୍ରା କରିଥିଲେ, ସେମାନେ କହୁଛନ୍ତି ଶୁଭ୍ରାକନ୍ତଙ୍କୁ ଗିରଫ କର । ଏପରି ପରିସ୍ଥିତିରେ ଲୋକ କହୁଛନ୍ତି ବୈଜୟନ୍ତ ନା ଘାଟ୍ କା ନା ଧୋବି କା ।