ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ଛନକା ପଶିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ବିଜେପି ସମେତ ଆରଏସଏସର ଏକ ବଡ଼ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କ ବିରୋଧରେ ମୋଦି ଓ ଅମିତ୍ ଶାହାଙ୍କ ଉପରେ ଚାପ ପକାଇଛନ୍ତି । ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ର ଗ୍ରହଣୀୟ ନେତା ନୁହଁନ୍ତି । ତାଙ୍କ ପାଖରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଯାଦୁ ନାହିଁ । ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କଲେ ଓଲଟି ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ସେମାନେ ସଫା ସଫା ଶୁଣାଇ ଦେଇଛନ୍ତି । ସୌଦାନ ସିଂ, ରାମମାଧବଙ୍କ ଭଳି ଜାତୀୟସ୍ତରର ଅତ୍ୟନ୍ତ ପ୍ରଭାବଶାଳୀ ନେତା ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଆଦୌ ଗ୍ରହଣ କରୁନାହାନ୍ତି । ସାଙ୍ଗକୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅକଳନୀୟ ବ୍ୟକ୍ତିତ୍ୱ ଧର୍ମେନ୍ଦ୍ରଙ୍କୁ ଭୀଷଣ ଭୟଭୀତ କରିଛି । ଆରଏସଏସ ଓ କେନ୍ଦ୍ରୀୟ ନେତୃତ୍ୱ ସମସ୍ତଙ୍କ ମନ କିଣିବା ପାଇଁ ଧର୍ମେନ୍ଦ୍ର ଏବେଠୁଁ ଦିନରାତି ଏକ କରିଦେଇଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଓଡ଼ିଶାରେ ବିଜେପିର ପଞ୍ଚାୟତ ନିର୍ବାଚନ ସଫଳତା ପଛରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ନଗନ୍ୟ ଦେଖାଇଛନ୍ତି ଦୁଇ ପଡ଼ୋଶୀ ରାଜ୍ୟର ବିଜେପି ନେତୃବୃନ୍ଦ । ଏ ନେଇ କେନ୍ଦ୍ରୀୟ ନେତୃତ୍ୱକୁ ସେମାନେ ଏକ ରିପୋର୍ଟ ଦେଇଛନ୍ତି । ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ସାଧାରଣ ନିର୍ବାଚନ ଲଢ଼ିଲେ ବିଜେପିକୁ ମହଙ୍ଗା ପଡ଼ିବ ବୋଲି ସେଥିରେ କୁହାଯାଇଛି । ଧର୍ମେନ୍ଦ୍ର ଏଠି ଫମ୍ପା ଆୱାଜ୍ କରୁଛନ୍ତି । ମିଡ଼ିଆରେ ବୋଲିବାଣି କରିବା ଛଡ଼ା ତଳସ୍ତରରେ ସଂଗଠନ ଗଢ଼ିବା ଓ ମଜବୁତ୍ କରିବାରେ ତାଙ୍କର କୌଣସି ଉଦ୍ୟମ ନାହିଁ । ରାଜ୍ୟ ନେତାମାନଙ୍କୁ ଏକାଠି ନେଇ ଚାଲିବା ପରିବର୍ତ୍ତେ ମନମାନି କରୁଛନ୍ତି । ଶୃଙ୍ଖଳିତ ନ ହୋଇ ଅର୍ଥ ଓ ନାଲିଆଖି ହୋଇଛି ତାଙ୍କ ନେତୃତ୍ୱର ମାପକାଠି । ଏଭଳି ନେତାଙ୍କୁ କୌଣସି ହାଲତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ ନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଓ ମୟୁରଭଞ୍ଜରେ ଦଳର ସଫଳତାର ଶ୍ରେୟ ରହିଛି ଜାତୀୟ ସଂଗଠନ ସମ୍ପାଦକ ସୌଦାନ ସିଂହଙ୍କ ପାଖରେ । ବର୍ଷେ ଆଗରୁ ସୌଦାନ ଏହି ଦୁଇଟି ଜିଲ୍ଲାକୁ ଟାର୍ଗେଟ୍ କରିଥିଲେ । ଛତିଶଗଡ଼ରୁ ଲୋକେଶ କାଉଡିଆଙ୍କ ନେତୃତ୍ୱରେ ୧୦ ଜଣ ଦକ୍ଷ ସଂଗଠକଙ୍କୁ କଳାହାଣ୍ଡିରେ ଡେରା ପକାଇଥିଲେ । ସେହିଭଳି ଝାଡ଼ଖଣ୍ଡରୁ ୧୦ ଜଣ ସଂଗଠକଙ୍କୁ ଆଣି ମୟୁରଭଞ୍ଜ ଜିଲ୍ଲାରେ ଖେଦି ଦେଇଥିଲେ । ସୌଦାନ ସିଂଙ୍କର ବିଚକ୍ଷଣ ପରିଚାଳନା ଏହି ଦୁଇ ଜିଲ୍ଲାରେ ବିଜେପି ବିଜେଡ଼ିକୁ ମାଟି କାମୁଡ଼େଇ ଦେଲା । ଧର୍ମେନ୍ଦ୍ର ଯେତେ ଆୱାଜ୍ କଲେ ମଧ୍ୟ କେନ୍ଦ୍ରୀୟ ନେତୃବୃନ୍ଦ ଏହା ଜାଣିସାରିଲେଣି ।
ଆରଏସଏସ ଓ ବିଜେପିରୁ ଏଭଳି ବିରୋଧୀ ସ୍ୱର ଧର୍ମେନ୍ଦ୍ରଙ୍କୁ ବିଚଳିତ କରିଛି । କେବଳ ଅମିତ୍ ଶାହାଙ୍କୁ ଧରି ନିଜ ସ୍ୱପ୍ନ ପୂରଣ କରିପାରିବେ ବୋଲି ତାଙ୍କର ବିଶ୍ୱାସ ପାଉନାହିଁ । ସେପଟେ ନରେନ୍ଦ୍ର ମୋଦିଙ୍କୁ ବି ତାଙ୍କର ଆଦୌ ଭରସା ନାହିଁ । ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ୍ ହୁଅନ୍ତୁ କି ଝାଡ଼ଖଣ୍ଡରେ ରଘୁବର ଦାସ, ହରିଆନାରେ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡରେ ତ୍ରିଭେନ୍ଦ୍ର ରାୱତ କି ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ । ସବୁ ରାଜନୈତିକ ସମୀକରଣ ଓ ସମ୍ଭାବନାକୁ ପଛରେ ପକାଇ ମୋଦି ଏମାନଙ୍କୁ ଯେଭଳି ଗାଦି ଚଢ଼ାଇଛନ୍ତି ତାହା ଧର୍ମେନ୍ଦ୍ରଙ୍କ ଆହୁରି ଡରେଇ ଦେଇଛି । ନିଜର ସ୍ୱପ୍ନ ପୂରଣ ପାଇଁ ସେ ଚଢ଼ାମଢ଼ା କସରତ୍ ଆରମ୍ଭ କରିଛନ୍ତି । ଆରଏସଏସ ସଂଗଠନରେ ପ୍ରବଳ ଦବଦବା ସହ ପଶ୍ଚିମ ପ୍ରାନ୍ତର ମୁଖ୍ୟ ବିପିନ ନନ୍ଦଙ୍କୁ ଏବେ ସେ ଭରସା କରିଛନ୍ତି ।
Sabu bithiria
Bhitiria khela