ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶନରେ ବ୍ୟାପକ ତ୍ରୁଟି ବିଚ୍ୟୁତିକୁ ନେଇ ଆମ ମୁଖ୍ୟମନ୍ତ୍ରୀ ଭାଙ୍ଗିପଡ଼ିଛନ୍ତି । ଛାତ୍ରଛାତ୍ରୀଙ୍କ କ୍ୟାରିୟର ଚିନ୍ତା ତାଙ୍କୁ ଭୀଷଣ ବ୍ୟଥିତ କରିଛି । ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଚିଠି ଲେଖି ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ଆମ ପାଇଁ ଗର୍ବର ବିଷୟ । ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଏହା ବଞ୍ଚାଇଦେବ ବୋଲି ଆଶା କରାଯାଉଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁରୂପ ଆଚରଣ ଆଇଟିଇଆର୍ କଲେଜ ନିଯୁକ୍ତି ଜାଲିଆତି ଘଟଣାରେ ଗଲା କୁଆଡେ ? ବର୍ଷ ବର୍ଷ ଧରି ହଜାର ହଜାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରିଥିବା ଆଇଟିଇଆର୍ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଶ୍ନରେ ଖୋଦ୍ ମୁଖ୍ୟମନ୍ତ୍ରୀ ରାଜନୀତି କରୁନାହାନ୍ତି କି ? ସିବିଏସଇ ପରୀକ୍ଷା କେନ୍ଦ୍ରୀୟ ପ୍ରସଙ୍ଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଟାପଟ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଅଥଚ ଆଇଟିଇଆର୍ ଠକେଇ ନିଜସ୍ୱ ପ୍ରସଙ୍ଗ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି । ପୁଲିସ ହାତକୁ ତଦନ୍ତ ଛାଡ଼ିଦେଇ ରାଜ୍ୟ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିରେ ସାରା ରାଜ୍ୟରେ ଆନ୍ଦୋଳନ ମୁଣ୍ଡ ଟେକୁଥିବା ବେଳେ ନବୀନଙ୍କର ପରବାଏ ନାହିଁ । ଠକେଇର ଶିକାର ହୋଇ କ୍ୟାରିୟର୍ ନଷ୍ଟ କରିଥିବା ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପ୍ରତି ଦରଦ ନାହିଁ । ଏଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କଠାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଚିନ୍ତା ଯାହାକି ସିବିଆଇ କ୍ଷେତ୍ରରେ ଦେଖାଦେଇଛି ତାହା ରାଜନୀତିକ ଡ୍ରାମାବାଜି ଛଡ଼ା କିଛି ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ସେମାନଙ୍କ ମତରେ ଠକାମିର ଶିକାର ହୋଇଥିବା ଆଇଟିଇଆର୍ କଲେଜ ଛାତ୍ରଛାତ୍ରୀମାନେ ନ୍ୟାୟ ଭିକ୍ଷା କରି ଆନ୍ଦୋଳନ କଲେ । ସାରା ରାଜ୍ୟରେ ଏହା ଚହଳ ପକାଇଲା । ମୁଖ୍ୟମନ୍ତ୍ରୀଙ୍କର ସାମାନ୍ୟତମ ଇଚ୍ଛା ଓ ଦରଦ ଥିଲେ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ଦେବା ପାଇଁ ଆଗଭର ହୋଇଥାଆନ୍ତେ । ନିଜେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କ ସହ ଆଲୋଚନା ନ କରିପାରିଥିଲେ ମଧ୍ୟ ଟ୍ୱିଟ୍ କରି ସମବେଦନା ଜଣାଇ ପାରିଥାଆନ୍ତେ ଏବଂ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ଦେଇ ପାରିଥାଆନ୍ତେ । ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପ ତାଙ୍କୁ ଜନମାନସରେ ଆହୁରି ହୀରୋ କରିଥାଆନ୍ତା । ଯୁବବର୍ଗର ହୃଦୟକୁ ସେ ଆହୁରି ଜିତି ପାରିଥାଆନ୍ତେ । କିନ୍ତୁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଏହା ତାଙ୍କୁ ବ୍ୟାକ୍ ଫୁଟ୍ ନେଇଯାଇଛି ବୋଲି ସେମାନଙ୍କର ମତ ।
ଉଲ୍ଲେଖଯୋଗ୍ୟ, ଆଜିକାଲି ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱଭାବରେ ପରିବର୍ତ୍ତନ କରିଛନ୍ତି । ଖାସ୍ କରି ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି । ରମାଦେବୀ କଲେଜ ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିଥିଲେ । ବୁକ୍ ଷ୍ଟଲ୍ ଯାଇ ଯୁବକଙ୍କ ସହ ସେଲଫି ଉଠାଇଥିଲେ । ଓୟୁଏଟି ଫାର୍ମ ଯାଇ ଛାତ୍ରଛାତ୍ରୀଙ୍କ ସହ ସେଲଫି ଉଠାଇଥିଲେ । ଖାଲି ସେତିକି ନୁହେଁ, ଲୋକଙ୍କ ମନ କିଣିବା ପାଇଁ ଭଦ୍ରକ ଦଙ୍ଗାଗ୍ରସ୍ତ ଇଲାକାକୁ ଖରାରେ ଯାଇ ବୁଲିଥିଲେ । ନବରଙ୍ଗପୁରରେ ରୋଗୀଙ୍କୁ ରକ୍ତ ଦେଇଥିବା ଡାକ୍ତରଙ୍କୁ ଟ୍ୱିଟ୍ କରି ବଧାଇ ଜଣାଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କର ଖାଲି ସମ୍ମାନ ବଢ଼ାଇନି ବରଂ ଭୋଟବ୍ୟାଙ୍କ ମଜବୁତ କରିବାରେ ସହାୟ ହେଉଛି । ଆଜିକାଲି କଥା କଥାକେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ନିଜକୁ ଜାଗତିଆର୍ ଦେଖାଉଥିବା ବେଳେ ଆଇଟିଇଆର୍ ଠକେଇ କ୍ଷେତ୍ରରେ ତାଙ୍କର ନିରବତା ସମସ୍ତଙ୍କୁ କେବଳ ଚକିତ କରିନାହିଁ ବରଂ କ୍ୟାରିୟର୍ ନଷ୍ଟ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଅଧିକ ଆଘାତ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କର ଅସଲ ଚେହେରାକୁ ଏହା ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି ।