ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ହେବାର ଅଳ୍ପ କେଇ ମିନିଟ୍ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ପ୍ରତିକ୍ରିୟା ରଖିଥିଲେ । ଘଟଣାକୁ ସେ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଏଭଳି ହୋଇଛି ବୋଲି କହିଥିଲେ । ମାହାଙ୍ଗା ଘଟଣାରେ ଧର୍ମେନ୍ଦ୍ର ପ୍ରବଳ ଉତ୍ସାହିତ ହୋଇଥିବା ତାଙ୍କ ବୟାନ କହିଥିଲା । ନିଜେ ବୈଜୟନ୍ତ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ ବିଜେଡ଼ିରେ ଗୁଣ୍ଡାରାଜ ବଢ଼ିଥିବା କହିଥିଲେ । ଏସି ରୁମ୍ ରେ ବସି ଦଳକୁ ପରିଚାଳନା କରୁଥିବା ବ୍ୟୁରୋକ୍ରାଟ୍ ଙ୍କ ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ପାଣ୍ଡିଆନ୍ ଙ୍କୁ ଲକ୍ଷ୍ୟ କରି କହିଥିଲେ । ଦୁଇଦିନ ଆଗରୁ ସେ ସମାନ କଥା ଟ୍ୱିଟ୍ କରି ଜଣାଇଥିଲେ । ବିଜେଡ଼ିରେ ଗୁଣ୍ଡାରାଜ ନେଇ ମୋଟାମୋଟି ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ କଥା ଥିଲା ସମାନ ।
ମାହାଙ୍ଗାରେ ତାଙ୍କୁ ବିରୋଧ କରି ଗଣ୍ଡଗୋଳ ହେବ ବୋଲି ବୈଜୟନ୍ତ ଭଲ ଭାବେ ଜାଣିଥିଲେ । ପୂର୍ବଦିନ ରାତିରେ ଜାତିପୋରିଲୋ ଗାଁରେ ପାଣିଟାଙ୍କି ପ୍ରକଳ୍ପ ଉଦଘାଟନ ଫଳକ ଭଙ୍ଗାଯିବା ପରେ ସେ ତାହାକୁ ଚାଲେଂଜ କରିଥିଲେ । ଅଲବତ୍ ପ୍ରକଳ୍ପ ଉଦଘାଟନ କରିବାକୁ ଯିବେ ବୋଲି ଟ୍ୱିଟ୍ କରିଥିଲେ । ସେହି ଅନୁଯାୟୀ ନିଜ ସମର୍ଥକଙ୍କୁ ପ୍ରସ୍ତୁତ କରି ସେଠାକୁ ଗଲେ । ସୁତରାଂ ଯାହା ବି ଘଟିଲା ସବୁଥିଲା ଦୁଇ ପକ୍ଷର ପୂର୍ବ ପ୍ରାୟୋଜିତ । ମନ୍ତ୍ରୀ ପଦ ପାଇଥିବା ପ୍ରତାପ ଜେନାଙ୍କ ସମର୍ଥକ ଗୋଷ୍ଠୀ ମତୁଆଲା ହୋଇ ବୈଜୟନ୍ତଙ୍କୁ ପାନେ ଚଖାଇବାକୁ ପ୍ରସ୍ତୁତ ହୋଇଥିଲେ । ଦଳର ଭାବମୂର୍ତ୍ତି କୁ ଏହା କିଭଳି କ୍ଷତି ପହଞ୍ଚାଇବ ତାହା ନ ଭାବି ଠେଙ୍ଗା, ଚପଲ, ଟେକା ଓ ଅଣ୍ଡା ଉଠାଇଲେ । ବୈଜୟନ୍ତଙ୍କ ସମର୍ଥକ ବି ତାହାର ମୁକାବିଲା କଲେ । ତେବେ ବୈଜୟନ୍ତ ଖରାରେ ସିଝି ଅଣ୍ଡାମାଡ଼ ଖାଇଲେ ବି ତାଙ୍କ ମିସନ୍ କୁ ସଫଳ କରାଇଛନ୍ତି ।
ଘଟଣାବେଳେ ସିରିଡ଼ି ଦର୍ଶନରେ ଥିବା ପ୍ରତାପ ଜେନା ଆଜି ଭୁବନେଶ୍ୱର ଫେରିବା ପରେ ଯେଉଁ ବିବୃତି ଦେଇଛନ୍ତି ତାହା ବୈଜୟନ୍ତଙ୍କ ପ୍ରତି ଥିବା ତାଙ୍କର ରାଗ ସୂଚେଇଛି । ବୈଜୟନ୍ତଙ୍କ ବିରୋଧରେ ଦଳୀୟ ନେତାଙ୍କ ଅସନ୍ତୋଷର ଏହା ପ୍ରତିଫଳନ ବୋଲି ସେ କହିବାକୁ ପଛାଇ ନାହାନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି କହିଛନ୍ତି । ତେବେ ସେଠାରେ କିଏ ବିଶୃଙ୍ଖଳା ସୃଷ୍ଟି କରିଛି ତାହା ମୁଖ୍ୟମନ୍ତ୍ରୀ କହିନାହାନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ଘଟଣାର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ବୈଜୟନ୍ତ ନିଜକୁ ଦଳର ବରିଷ୍ଠ ନେତା ବୋଲି ଦାବି କରୁଥିଲେ ମଧ୍ୟ ବିଜେଡ଼ିରେ ତାଙ୍କ କାର୍ଯ୍ୟକଳାପ କହୁନି । ତାଙ୍କ ନିଜ ଟିଭି ଚାନେଲ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରବନ୍ଧ ଓ ଟ୍ୱିଟ୍ ପଢ଼ିଲେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ଜଣାପଡୁଛି । ଏସବୁ ଦୃଷ୍ଟିରୁ ନବୀନ ତାଙ୍କୁ କେବେଠୁଁ ପର କରି ସାରିଲେଣି । ଆଗରୁ ବୈଜୟନ୍ତଙ୍କ କାର୍ଯ୍ୟକଳାପ ନେଇ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ସ୍ତାବକ ପାଲଟିବା ପରେ ଅତ୍ୟନ୍ତ ବିଗିଡ଼ି ଯାଇଛନ୍ତି । ଆଉ ବୈଜୟନ୍ତଙ୍କୁ ଦଳରେ ଏକଘରିକିଆ କରିଛନ୍ତି । ପ୍ରତିଶୋଧପରାୟଣ ବୈଜୟନ୍ତ ବିଜେଡ଼ିରେ ଅସ୍ଥିରତା ସୃଷ୍ଟିକୁ ପ୍ରାଥମିକତା ଦେଇଛନ୍ତି । କିଛି ମାସ ତଳେ ମହାକାଳପଡ଼ାରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମର୍ଥକ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । କଥା ଠେଲାପେଲାରେ ସୀମିତ ଥିଲା । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ । ଏବେ ମାହାଙ୍ଗାରେ ବାଡ଼ିଆପିଟା ଅବସ୍ଥା ।
ଏହା ସତ ଯେ ବୈଜୟନ୍ତଙ୍କ ଉପରକୁ ଅଣ୍ଡା ଓ ଚପଲ ମାଡ ଘଟଣା ବିଜେଡ଼ି ରାଜନୀତିକୁ ରୋଚକ ମୋଡ଼ ଦେଇଛି । ଜଣେ ସାଂସଦଙ୍କ ଉପରେ ଏଭଳି ଆକ୍ରମଣକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଛି । ତେବେ ଦଳକୁ ବଦନାମ କରିବା ପାଇଁ ବୈଜୟନ୍ତ ଜାଣିଶୁଣି ଏମିତିକା ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ତାଙ୍କ ବିରୋଧୀମାନେ ଅଭିଯୋଗ କରିଛନ୍ତି । ଏହା ଜରିଆରେ ବିଜୁ ଜନତା ଦଳର ଭୀଷଣ ଆଭ୍ୟନ୍ତରୀଣ କନ୍ଦଳ ରହିଥିବା ବୈଜୟନ୍ତ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିବା ସେମାନେ କହିଛନ୍ତି । ତେବେ ସେ ଯାହା ହେଉ, ମାହାଙ୍ଗା ଘଟଣାରେ ଅଣ୍ଡାମାଡ଼ ଖାଇଥିଲେ ବି ନବୀନଙ୍କ ପତିଆରାକୁ ଚାଲେଞ୍ଜ ଦେବାରେ ସକ୍ଷମ ହୋଇଛନ୍ତି ବୈଜୟନ୍ତ ।
ଆମେ କଥାରେ ନୁହଁ କାର୍ଯ୍ୟରେ ବିଶ୍ବାସ କରୁ ବି.ଜେ.ଡି ଦଳର ସ୍ଳୋଗାନ ଏବେ ସତ୍ୟ ପ୍ରମାଣିତ ହେଲା । ଏମିତି ହେଲେ ନିଜ ସ୍ବାର୍ଥ ପାଇଁ ଦଳ ତ୍ୟାଗ କରୁଥିବା ବା ଚିନ୍ତା କରୁଥିବା ଯେକୌଣସି ଦଳର ଆଗ ଧାଡିର ନେତାକଂ ପ୍ରତି ମହଙ୍ଗା ଘଟଣା ଏକ ଶକ୍ତ ଚେତାବନୀର ଉଦାହରଣ ସୃଷ୍ଟି କରିଛି….