ଭୁବନେଶ୍ୱର: ଓଟିଭିର ଲୋକପ୍ରିୟ ‘ନ୍ୟୁଜ୍ ଫ୍ୟୁଜ୍’ କାର୍ଯ୍ୟକ୍ରମରେ କୁନା ତ୍ରିପାଠୀ ଆଉ ଦେଖିବାକୁ ମିଳିବେନି । ଆଉ ଗୋଟେ ଦୁଇଟି ଏପିସୋଡ଼ ପରେ ସେ କାର୍ଯ୍ୟକ୍ରମରୁ ବିଦାୟ ନେବେ । ଅପରପକ୍ଷେ ‘ନ୍ୟୁଜ୍ ୱାର୍ଲଡ୍ ଓଡ଼ିଶା’ ରେ ଆର୍ବିଭାବ ହେବେ କୁନା ତ୍ରିପାଠୀ । ଆସନ୍ତା ରଥଯାତ୍ରାଠାରୁ ସେ ତାଙ୍କର ନୂଆ ଇଂନିସ୍ ଆରମ୍ଭ କରିବେ । ତାଙ୍କୁ ନେଇ ଭିନ୍ନ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ସେଠି ଯୋଜନା ହୋଇଛି । କୁନା ତ୍ରିପାଠୀଙ୍କ ଏଭଳି ନିଷ୍ପତ୍ତି ଓଟିଭି ପାଇଁ ବଡ଼ ଝଟକା ହୋଇଥିଲା ବେଳେ ନ୍ୟୁଜ୍ ୱାର୍ଲଡ୍ ଓଡ଼ିଶା ପାଇଁ ଆଣିଛି ଅନେକ ଆଶାର ସଂଚାର ।
‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବା କୁନା ତ୍ରିପାଠୀଙ୍କ ଅଚାନକ ନିଷ୍ପତ୍ତି ନୁହେଁ । ଓଡ଼ିଶା ଚଳଚିତ୍ର ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତି ହେବା ପରେ ସେ ଓଟିଭି ଛାଡ଼ିବା ଏକରକମ ନିଶ୍ଚିତ ହୋଇଯାଇଥିଲା । ଏହା ପଛରେ ରାଜନୀତିର ସମ୍ପର୍କ ବି ବେଶ୍ ସ୍ପଷ୍ଟ । କାରଣ କୁନାଙ୍କ ଦଳୀୟ ସ୍ୱାର୍ଥର ଏହା ପରିପନ୍ଥୀ । ଏକଥା ସମସ୍ତଙ୍କୁ ଜଣା ଯେ ବୈଜୟନ୍ତ ପଣ୍ଡା ବିଜେଡ଼ିର ଶତ୍ରୁ ହେବା ଦିନଠାରୁ ତାଙ୍କ ଟିଭି ବି ବିଜେଡ଼ି ଶତ୍ରୁ ପାଲଟିଯାଇଛି । ବୈଜୟନ୍ତଙ୍କ ଓଟିଭି ପୂରାପୂରି ଭାବେ ବିଜେପିର ମୁଖପାତ୍ର ହୋଇଯାଇଛି । ବିଜେଡ଼ି ଓ ସରକାରଙ୍କ ଛିଦ୍ର ଖୋଜି ପ୍ରତିଦିନ ମାଡ଼ କରିବା ଓ ବିଜେପିର ପ୍ରଚାର କରିବା ଓଟିଭିର ଏକମାତ୍ର ଏଜେଣ୍ଡା ହୋଇଥିବା ଦର୍ଶକ ଅନୁଭବ କରୁଛନ୍ତି ।
କଳାକାର ପରିଚୟ ବାଦ୍ କୁନା ତ୍ରିପାଠୀ ହେଉଛନ୍ତି ବିଜେଡ଼ି ଲୋକ । ‘ନ୍ୟୁଜ୍ ଫ୍ୟୁଜ୍’ ର ସର୍ବାଧିକ ଟିଆରପି ଦୃଷ୍ଟିରୁ ତାଙ୍କୁ ସେଥିରୁ ଖସାଇବା ପାଇଁ ବିଜେଡ଼ି ଚାଲ୍ ଖେଳିଥିବା କୁହାଯାଉଛି । ଓଡ଼ିଶା ଚଳଚିତ୍ର ନିଗମର ଅଧ୍ୟକ୍ଷ ପଦ ତାଙ୍କ ପାଇଁ ଥୋପ ବୋଲି ବି କୁହାଯାଉଛି । ଆଉ ବିଜେଡ଼ିର ଏହି ତଥାକଥିତ ଥୋପ କୁନାଙ୍କୁ ତାଙ୍କ ଟିଭି କ୍ୟାରିଅର୍ ର ପୁର୍ନବିଚାର କରିବାକୁ ବାଧ୍ୟ କରିଛି । କହିବା ବାହୁଲ୍ୟ, ଲୋକପ୍ରିୟତା ଦୃଷ୍ଟିରୁ ‘ନ୍ୟୁଜ୍ ଫ୍ୟୁଜ୍’ ଓ କୁନା ତ୍ରିପାଠୀ ପରଷ୍ପରର ପରିପୂରକ । ଅର୍ଥାତ୍ ‘ନ୍ୟୁଜ୍ ଫ୍ୟୁଜ୍’ ପ୍ରୋଗ୍ରାମ କୁନା ତ୍ରିପାଠୀଙ୍କୁ ଘରେ ଘରେ ପରିଚିତ କରାଇଥିଲା ବେଳେ କୁନାଙ୍କ ସୁନ୍ଦର ଉପସ୍ଥାପନା ଶୈଳୀ ହିଁ ‘ନ୍ୟୁଜ୍ ଫ୍ୟୁଜ୍’ କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟତା କରିପାରିଛି ।
କୁନା ନ୍ୟୁଜ୍ ୱାର୍ଲଡ୍ ଓଡ଼ିଶା ଆସିବା ପଛର କାରଣ ବି ସମସ୍ତଙ୍କୁ ଊଣା ଅଧିକେ ଜଣା । ଏହି ଚାନେଲ୍ ର ମାଲିକ ହେଉଛନ୍ତି ବିଜେଡ଼ି ସାଂସଦ ରବିନ୍ଦ୍ର ଜେନା । କୁନାଙ୍କୁ ଆଣି କାର୍ଯ୍ୟକ୍ରମ କଲେ ନ୍ୟୁଜ୍ ୱାର୍ଲଡ୍ ଓଡ଼ିଶାର ଦର୍ଶକ ବଢ଼ିବା ସାଙ୍ଗକୁ ଦର୍ଶକ ସଂଖ୍ୟା ଦୃଷ୍ଟିରୁ ଓଟିଭି ନିଶ୍ଚିତ ମାଡ଼ ଖାଇବ ବୋଲି ହୁଏତ ଅନୁମାନ ଲଗାଯାଇଛି । ସେଥିପାଇଁ କୁନାଙ୍କୁ ଆଖିରେ ରଖି ନୁ୍ୟଜ୍ ୱାର୍ଲଡ୍ ଅନେକ ଗୁଡ଼ାଏ ଲୋଭନୀୟ କାର୍ଯ୍ୟକ୍ରମର ପରିକଳ୍ପନା କରିଛି । ତେବେ ଏ ସମ୍ପର୍କରେ ଏବେଠାରୁ ଖୋଲି କହିବାକୁ ମନା କରିଛନ୍ତି ଚାନେଲ୍ ର ମୁଖ୍ୟ ସମ୍ପାଦକ ଭକ୍ତ ତ୍ରିପାଠୀ । ଆସନ୍ତା ରଥଯାତ୍ରାଠରୁ କୁନା ତ୍ରିପାଠୀଙ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ସେ ସୂଚନା କହିଛନ୍ତି ।
ରାଜନୈତିକ ଲଢ଼େଇରେ ଟିଭି ଚାନେଲ୍ ଅସ୍ତ୍ରକୁ ନେଇ ଏବେ ଜଣାଶୁଣା ମହଲରେ ପ୍ରବଳ ଚର୍ଚ୍ଚା । ଏହି ସମୀକରଣରେ ବିଭିନ୍ନ ଚାନେଲ୍ ରୂପରେଖରେ ଆଗକୁ ବିରାଟ ପରିବର୍ତ୍ତନର ଆଭାସ ମିଳିଛି । ବୈଜୟନ୍ତ ପଣ୍ଡା ନିଜର ରାଜନୈତିକ/ବ୍ୟକ୍ତିଗତ ଲଢ଼େଇରେ ନିଜ ଚାନେଲ୍ କୁ ଖୋଲା ଅସ୍ତ୍ର କରିବା ପରେ ଓଡ଼ିଶା ଟିଭି ଜଗତରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି । ମାଲିକଙ୍କ ମର୍ଜିରେ ବାଟ ହୁଡ଼ିଯାଇଛି ଗଣମାଧ୍ୟମର ଧର୍ମ । ଯାହା ମାଲିକଙ୍କୁ ସୁହାଇବ ତାହା ହିଁ ହେଉଛି ଖବର । ଏଭଳି ଖବରରେ କିଏ କେତେ ଟିଆରପି ଯୋଗାଡ଼ କରିପାରିବ ସେଥିପାଇଁ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦିତା । ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ସେଥିରୁ ବାଦ୍ ପଡ଼ିନି ।
କୁନାଙ୍କୁ ସେଥିରେ ନିଜର ପୁରୁଣା ଲୋକପ୍ରିୟତା ବଜାଇରଖିବାକୁ ବହୁ କଷ୍ଟକରିବା କୁ ପଡିବ