ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେସନ । ଶାସକ ଓ ବିରୋଧୀ ଦଳ ସମସ୍ତଙ୍କ ପାଇଁ ଗୃହରେ ମୁଖ୍ୟ ପ୍ରସଙ୍ଗ ରହିବ ଚାଷୀ ସମସ୍ୟା । ତେବେ ଏହା ପୂର୍ବରୁ ବିଜେଡ଼ି, ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ରୂପରେ ଆଜି ନିଜର ଟ୍ରେଲର ସୋ ଦେଖାଇଛନ୍ତି । ଧାନର ସର୍ବନିମ୍ନ ସହାୟକ ସହାୟକ ମୂଲ୍ୟ ବୃଦ୍ଧି ଦାବି ନେଇ ବିଜେଡ଼ି ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲା ବେଳେ ଫସଲହାନୀଜନିତ କ୍ଷୟକ୍ଷତି ଓ ଚାଷୀଙ୍କୁ ଋଣଛାଡ଼ ଦାବିରେ ବିଜେପି ସଚିବାଳୟ ବାହାରେ ନାରାବାଜି କରିଥିଲା । ବିଜେଡ଼ି ଓ ବିଜେପିର କାନ୍ଦ ଦେଖି କଂଗ୍ରେସ ଆଖିରୁ ବି ଲୁହ ଗଡ଼ିଯାଇଛି । ଦଳର କିଷାନ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।
ଫସଲହାନୀ ଓ ଋଣବୋଝ ଯୋଗୁଁ ରାଜ୍ୟରେ ପ୍ରତିଦିନ ଚାଷୀ ଆତ୍ମହତ୍ୟାର ଅଭିଯୋଗ ଆସୁଛି । ପ୍ରଶାସନିକ କଳର ଅପାରଗତା ଯୋଗୁଁ ଧାର୍ଯ୍ୟ ସମୟରେ ଫସଲ କ୍ଷୟକ୍ଷତି ରିପୋର୍ଟ ଆସିପାରୁନି । ଆଉ ତାକୁ ଘଣ୍ଟ ଘୋଡାଇବା ପାଇଁ ବିଜେଡ଼ି ପାଇଁ ଭଲ ଅସ୍ତ୍ର ହୋଇଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି । ଏ ପ୍ରସଙ୍ଗ ନୂଆ ନୁହେଁ, କେନ୍ଦ୍ର ସରକାରଙ୍କ ପାଖରେ ବିଜେଡ଼ି ବାରମ୍ବାର ଦାବି କରିଆସୁଛି । ଚଳିତ ଦିଲ୍ଲୀଗସ୍ତ କାଳରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ପୁନର୍ବାର ଦାବି ରଖିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି । କେନ୍ଦ୍ର ଶୁଣୁନି ବୋଲି ଗତକାଲି ଦିଲ୍ଲୀରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରସଙ୍ଗ ଧରି ବିଜେଡ଼ି ରାଜଭବନ ସାମ୍ନାରେ ଆଜି ଦମଦାର ଧାରଣା ଦେଇଥିଲା । ଦଳର ଛାମୁଆ ସଂଗଠନ ସମେତ ସବୁ ନେତୃବୃନ୍ଦ ଏକଜୁଟ୍ ହୋଇ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ସ୍ୱର ଉଠାଇଥିଲେ । ପରେ ଏକ ପ୍ରତିନିଧିଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।
ସେପଟେ ସମାନ୍ତରାଳ ଆନ୍ଦୋଳନର ଆୟୋଜନ କରିଥିଲା ବିଜେପି । ସେମାନଙ୍କର ମୁଖ୍ୟ ଦାବି ଥିଲା ଫସଲହାନୀଜନିତ କ୍ଷୟକ୍ଷତି ଓ ଚାଷୀଙ୍କୁ ଋଣଛାଡ଼ । ବିଜେଡ଼ିକୁ ଟକ୍କର ଦେବାକୁ ଯୋଇ ବିଜେପି ନେତାମାନେ ପୂର୍ବରୁ ସଚିବାଳୟ ପଶିବାର ଧମକ ଦେଇଥିଲେ । ସେମାନେ ଠିକ୍ ଜାଣିଥିଲେ, ପୁଲିସ ତାଙ୍କୁ ଅଟକାଇବ । ଆଉ ପୁଲିସ ଅଟକାଇଲେ ଠେଲାଠେଲି ହୋଇ ଚାଷୀଙ୍କ ପାଇଁ ବୀରତ୍ୱର ଗାଥା ପ୍ରଚାର କରିବେ । ସେମାନେ ସେୟା ହିଁ କଲେ । ବିଜେପି କୃଷକ ମୋର୍ଚ୍ଚା ବ୍ୟାନରରେ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ବିଜେପି ଅଫିସରୁ ରାଲିରେ ଆସିଥିଲେ । ରବୀନ୍ଦ୍ର ମଣ୍ଡପ ପଟୁ ପୁଲିସର ଦୁଇଟି କର୍ଡନ ଭାଙ୍ଗି ସେମାନେ ଆଗକୁ ବଢ଼ିବାରୁ ପୁଲିସ ସହ ଧସ୍ତାଧସ୍ତି ହେଲା । ଟିଭି କ୍ୟାମେରାରେ ନିଜକୁ ଦେଖାଇବା ପାଇଁ ଛୋଟକାଟିଆ ନେତା ଓ ନେତ୍ରୀଙ୍କ ମଧ୍ୟରେ ଠେଲାପେଲା ପ୍ରତିଯୋଗିତା ଆହୁରି ବଳିପଡ଼ିଲା । ବିନା ଲୁହରେ ଚାଷୀଙ୍କ ପାଇଁ ସେମାନେ ଗଳା ଫଟାଇ କାନ୍ଦିଥିଲେ ।
ବିଜେଡ଼ି ଓ ବିଜେପିକୁ ଦେଖାଦେଖି କଂଗ୍ରେସ କିଷାନ ମୋର୍ଚ୍ଚା ବି ଚାଷୀଙ୍କ ପାଇଁ ମାତିଗଲା । ମୁରବୀ ଥାଇ ବି ମୁରବୀଶୂନ୍ୟ ହୋଇପଡ଼ିଥିବା କଂଗ୍ରେସର ଇଜ୍ଜତ ରଖିବାକୁ ଚେଷ୍ଟା କରିଥିଲା ମୋର୍ଚ୍ଚା । ସଭାପତିଙ୍କ ନେତୃତ୍ୱରେ ଏକ ଛୋଟକାଟିଆ ପ୍ରତିନିଧିଦଳ ରାଜଭବନ ଯାଇ ଚାଷୀଙ୍କ ସ୍ୱାର୍ଥରକ୍ଷା ସମ୍ବଳିତ ସ୍ମାରକପତ୍ର ଦେଲେ । ଟିଭିରେ ମୁହଁ ଦେଖାଇ କାମ ସାରିଦେଲେ ।
ଦେଖିବାକୁ ଗଲେ, ଚାଷୀଙ୍କ ପାଇଁ ସମସ୍ତେ କାନ୍ଦୁଛନ୍ତି ହେଲେ କାହା ଆଖିରୁ ଲୁହ ବୋହୁନି । ବରଂ ଭୋଟ ସମୟ ଆସିଯାଇଥିବାରୁ ଚାଷୀଙ୍କୁ ମୋହରା କରି ରାଜନୈତିକ ଦଳଗୁଡ଼ିକ ଭୋଟ ଗୋଟେଇବାକୁ ଅଧିକ ବ୍ୟାକୁଳ ହୋଇ ପଡ଼ିଛନ୍ତି । ଚାଷୀଙ୍କର ସ୍ୱାର୍ଥରକ୍ଷା ପାଇଁ ଏବେ ଅଧିକ ଚିତ୍କାର କରୁଥିବା ବିଜେପି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ଦାବିକୁ ଆଶ୍ଚର୍ଯ୍ୟଜନକ ଭାବେ ଆଖି ବୁଜିଦେଇଛି । ଦଳର ନେତାମାନେ ଚାଷୀଙ୍କ ପାଇଁ ପ୍ରବଳ କାନ୍ଦୁଛନ୍ତି । ଚାଷୀ ସ୍ୱାର୍ଥ କଥା କହି ରାଜ୍ୟ ସରକାରଙ୍କୁ ପ୍ରତିଦିନ ଟାର୍ଗେଟ୍ କରୁଛନ୍ତି । ହେଲେ ଚାଷୀଙ୍କ ମୂଳସ୍ୱାର୍ଥ ଏମଏସପି ଦିଲ୍ଲୀ ଆଡକୁ ସ୍ୱର ନେବାକୁ ସେମାନଙ୍କୁ ଡର ଲାଗୁଛି । ଚାଷୀ ମରନ୍ତୁ ପଛେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ଉଠାଇ ନିଜକୁ କ୍ଷତାକ୍ତ କରିବାକୁ ଚାହୁଁନାହାନ୍ତି । ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୨୯୩୦ ଟଙ୍କା କରିବା ଲାଗି ସବୁ ଦଳର ସହମତିରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ ବିଜେପି ଭୁଲିଯାଇଛି ।