ଭୁବନେଶ୍ୱର: ଚିକେନ୍ ଏବଂ ଅଣ୍ଡା ଖାଇଲେ ‘କରୋନା’ ହେବ ବୋଲି ଯାହା ପ୍ରଚାର ହୋଇଛି ସେଥିରେ ତିଳେ ମାତ୍ର ସତ୍ୟତା ନାହିଁ । ଏହା ସମ୍ପୂର୍ଣ୍ଣ ଗୁଜବ । କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଗତକାଲି ଏହା ସ୍ପଷ୍ଟ କରିଥିଲେ । ଜନସାଧାରଣ ନିର୍ଭୟରେ ଚିକେନ୍ ଏବଂ ଅଣ୍ଡା ଖାଆନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଆଜି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଆଡଭାଇଜୋରି ଜାରି ହୋଇଛି । ଚିକେନ୍ ଓ ଅଣ୍ଡା ଦ୍ୱାରା ମନୁଷ୍ୟ ଶରୀରକୁ କରୋନା ଭୂତାଣୁ ବ୍ୟାପିବାର କୌଣସି ତଥ୍ୟ ସାରା ବିଶ୍ୱରେ ମଧ୍ୟ ନଜରକୁ ଆସିନାହିଁ । ତେଣୁ ଚିକେନ୍ ଏବଂ ଅଣ୍ଡା ଖାଇବା ନିରାପଦ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଏଥିରେ କୁହାଯାଇଛି, ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା ମଣିଷକୁ କରୋନା ଭୂତାଣୁ(ଏନକଭ୍-୨୦୧୯) ବ୍ୟାପୁଥିବାର ଯେଉଁ ଖବର ପ୍ରସାରିତ ହେଉଛି ତାହା ସମ୍ପୂର୍ଣ୍ଣ ଗୁଜବ । ପ୍ରାଣୀମାନେ କରୋନା ଭୂତାଣୁର ଉତ୍ସ ଭାବେ କାର୍ଯ୍ୟ କରୁଥାଇପାରନ୍ତି । ହେଲେ କରୋନା ଭୂତାଣୁ ମନୁଷ୍ୟରୁ ମନୁଷ୍ୟ ଶରୀରକୁ ବ୍ୟାପିଥାଏ ବୋଲି ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛନ୍ତି । ଚିକେନ୍ , ଅଣ୍ଡା ତଥା ଅନ୍ୟାନ୍ୟ କୁକ୍କୁଟ ଜାତୀୟ ପଦାର୍ଥ ଖାଦ୍ୟରେ ଗ୍ରହଣ କରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣର ଏଯାବତ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ସାରା ବିଶ୍ୱରେ ମଧ୍ୟ ଏହାର ଉଦାହରଣ ନାହିଁ । ସୁତରାଂ କରୋନା ଭୂତାଣୁ ସଂକ୍ରମଣର ଉପବଲବ୍ଧ ତଥ୍ୟକୁ ଭିତ୍ତି କରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ ବୋଲି କୁହାଯାଇପାରିବ ।
ତେବେ ଚିକେନ୍, ଅଣ୍ଡା କିଣିଲା ବେଳେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଜରୁରୀ ବୋଲି କୁହାଯାଇଛି । ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା, ଆଲକୋହଲଯୁକ୍ତ ଦ୍ରବଣ ହାତରେ ଘଷିବା, ଚିକେନ୍ ଓ ଅଣ୍ଡା ରହିବା ସ୍ଥାନକୁ ସଫାସୁତୁରା ରଖିବା, କଞ୍ଚା ମାଂସକୁ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟଠାରୁ ଅଲଗା ରଖିବା ଏବଂ ଚିକେନ୍ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବା ଉଚିତ୍ ବୋଲି ବୋଲି ପରାମର୍ଶ ଦିଆଯାଇଛି ।