– ଫର୍ମ ପୂରଣ କରି ଶ୍ରୀମନ୍ଦିର ଯିବେ ଭକ୍ତ
– ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଛୁଇଁବେନି
– ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ ମନା
– ମାସ୍କ ପିନ୍ଧିବେ ସେବାୟତ,ପୂଜାପଣ୍ଡା
ପୁରୀ: ‘କରୋନା’ ସତର୍କତା ଭାବେ ଶ୍ରୀମନ୍ଦିରରେ ବ୍ୟାପକ କଟକଣା ଜାରି ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସେମାନଙ୍କର ସବିଶେଷ ତଥ୍ୟ ଲିଖିତ ଭାବେ ଜଣାଇବାକୁ ପଡ଼ିବ । ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଛୁଇଁପାରିବେ ନାହିଁ । ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ନାହିଁ । ସେବାୟତ ଓ ପୂଜାପଣ୍ଡା ମାନେ ମାସ୍କ ପିନ୍ଧିବେ ।
‘କରୋନା’ ମୁକାବିଲା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶ ନିଯୋଗ ବୈଠକର ଏକ ଜରୁରୀ ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ସମ୍ଭାବ୍ୟ ବିପଦକୁ ଟାଳିବା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି । ଶ୍ରୀମନ୍ଦିର ପୁଲିସ, କର୍ମଚାରୀଙ୍କଠାରୁ ଆରମ୍ଭ କରି ସେବାୟତ ଓ ପୂଜା ପଣ୍ଡାମାନେ ବିନା ମାସ୍କରେ ଶ୍ରୀମନ୍ଦିର ପଶିବାକୁ ବାରଣ କରାଯାଇଛି । ସେବାୟତ ଓ ପୂଜାପଣ୍ଡାମାନେ ପୂଜାର୍ଚ୍ଚନା ବେଳେ ମଧ୍ୟ ମୁହଁରୁ ମାସ୍କ କାଢ଼ିବେ ନାହିଁ ।
ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ରୋକିବା ପାଇଁ ମହାପ୍ରଭୁଙ୍କ କିଛି ନୀତିକାନ୍ତି କାଟଛାଣ୍ଟ କରାଯାଇଛି । କୌଣସି ଜାଗାରେ ଗହଳି ହେବାକୁ ଦିଆଯିବ ନାହିଁ । ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶକୁ ନାଁ କରାଯାଇ ନ ଥିଲେ ମଧ୍ୟ ‘କରୋନା’ ଭାଇରସ୍ ର କୌଣସି ଲକ୍ଷଣ ସେମାନଙ୍କ ପାଖରେ ନାହିଁ ବୋଲି ସୁନିଶ୍ଚିତ କଲା ପରେ ଯାଇ ପ୍ରବେଶ ଅନୁମତି ଦିଆଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ ପଡ଼ିବ । ଏହି ଫର୍ମ ଶ୍ରୀମନ୍ଦିର ବାହାରେ ଥିବା ହେଲପ୍ ଡେସ୍କରୁ ମିିଳିବ ।
ଭକ୍ତମାନେ ଶ୍ରୀମନ୍ଦିର ଭିତରେ ମଧ୍ୟ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ଧାଡ଼ିରେ ଫେରିବେ । ଭିତରେ ଜନଗହଳିକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଭକ୍ତଙ୍କ ପାଇଁ ଅରୁଣ ସ୍ତମ୍ଭ ଏବଂ ଗରୁଡ଼ ସ୍ତମ୍ଭକୁ ଛୁଇଁବା ଉପରେ କଟକଣା ଜାରି ହୋଇଛି । ଯେଭଳି ଭକ୍ତମାନେ ପାଖକୁ ଯାଇ ନ ପାରିବେ ସେଥିପାଇଁ ଅରୁଣ ସମ୍ଭ ଓ ଗରୁଡ଼ ସ୍ତମ୍ଭ ଚାରିପଟକୁ ଦଉଡ଼ି ଦ୍ୱାରା ଘେରାଯାଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମହାପ୍ରସାଦ ସେବନରେ କଟକଣା ଲଗାଯାଇଛି । ଭକ୍ତମାନେ ମହାପ୍ରସାଦକୁ ଆନନ୍ଦବଜାରରେ ବସି ଖାଇପାରିବେ ନାହିଁ । ତେବେ ମହାପ୍ରସାଦ ଘରକୁ ଆଣିବାରେ ଅସୁବିଧା ନାହିଁ ।
ଏହି କଟକଣା ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପୁରୀ ସମୁଦ୍ରକୂଳରେ ଲୋକଙ୍କ ଭିଡ଼ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବନ୍ଦ ହେଲା କୋଣାର୍କ ସୂର୍ଯ୍ୟମନ୍ଦିର, ଧଉଳି
‘କରୋନା’ ସତର୍କତାମୂଳକ ପଦକ୍ଷେପସ୍ୱରୂପ କୋଣାର୍କ ସୂର୍ଯ୍ୟମନ୍ଦିରକୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଛି । ସେହିଭଳି ଶାନ୍ତିସ୍ତୁପ ଧଉଳିକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଛି ।