ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟର ମଧୁ ଜୟନ୍ତୀ ପାଳନ ଉତ୍ସବରେ ଜଷ୍ଟିସ୍ ମଦନ ମୋହନ ଦାସ । ହାଇକୋର୍ଟ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ୍ ଦାସ ବହୁ ଚର୍ଚ୍ଚିତ ଚିଟ୍ଫଣ୍ଡ ତଦନ୍ତ କମିଶନ ପ୍ୟାନେଲର ମୁଖ୍ୟ । ଚିଟ୍ଫଣ୍ଡ କେଳେଙ୍କାରୀରେ ବିଜେଡ଼ିର ଛୋଟବଡ଼ ମାଛ ରହିଥିଲା ବେଳେ ଖୋଦ୍ ତଦନ୍ତ କମିଶନ ସେହି ଦଳର ଏକ ଛାମୁଆ ସଂଗଠନ କାର୍ଯ୍ୟକ୍ରମରେ ଯୋଗଦେବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ସ୍ୱାଭାବିକ ଭାବେ ତଦନ୍ତ କମିଶନଙ୍କ ନିରପେକ୍ଷତା କାଠଗଡ଼ାକୁ ଚାଲିଯାଇଛି ।
ଆଜି କଟକରେ ଆୟୋଜିତ ହୋଇଥିଲା ଉତ୍ସବ । ବିଜେଡ଼ି ଲୟାର୍ସ ଫୋରମ୍ ବ୍ୟାନର ତଳେ ଉତ୍ସବର ମୁଖ୍ୟ ଅତିଥି ଥିଲେ ଜଷ୍ଟିସ୍ ଦାସ । ସମ୍ମାନିତ ଅତିଥି ଥିଲେ ଆଇନମନ୍ତ୍ରୀ ଅରୁଣ ସାହୁ । କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ଆଉ କିଛି ବିଜେଡ଼ି ନେତା ମଞ୍ଚରେ ଉପସ୍ଥିତ ଥିଲେ । ବିଜେଡ଼ି ମୋହରଦିଆ ୩୦୦ରୁ ୪୦୦ ଓକିଲ ସେଥିରେ ଯୋଗଦେଇ ଅତିଥିମାନଙ୍କ ଭାଷଣ ଶୁଣିଥିଲେ । ବିଜେଡ଼ି ଆୟୋଜିତ ସଭାରେ ଯୋଗଦାନ ନେଇ ଜଷ୍ଟିସ୍ ଦାସଙ୍କ ଦୁର୍ବଳ ସଫେଇ ତାଙ୍କୁ ଲୋକହସା କରିଛି । ଚିଟ୍ଫଣ୍ଡ ତଦନ୍ତ କମିଶନ ହିସାବରେ ନୁହେଁ, ବରଂ ପୂର୍ବତନ ବିଚାରପତି ଭାବେ ସେ ସଭାରେ ଯୋଗଦେଇଥିଲେ ବୋଲି ଗଣମାଧ୍ୟମରେ ସଫେଇ ଦେଇଛନ୍ତି । ସେପଟେ ଏହି ଛାମୁଆ ସଂଗଠନର ମୁଖ୍ୟ କାର୍ପଟଦାର ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ସଫେଇ ବିଜେଡ଼ିକୁ ଅଧିକ ଲୋକହସା କରିଛି । ସଭା ଆୟୋଜକ ହିସାବରେ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ ନାଁର ବଡ଼ ବ୍ୟାନର୍ ଲାଗିଥିଲେ ବି ଆଇନମନ୍ତ୍ରୀ କହିଛନ୍ତି ବିଜେଡ଼ି ସହ ଏହାର ସମ୍ପର୍କ ନାହିଁ । ବିଜେଡ଼ି ନାଁ ଟିକୁ ଚତୁରତାର ସହ ଆଡେଇ ସେ ଖାଲି ଆଇନଜୀବୀ ସାମ୍ମୁଖ୍ୟ ବୋଲି ଉଚ୍ଚାରଣ କରିଛନ୍ତି ଏବଂ ତାହା ଏକ ସାମାଜିକ ସଂଗଠନ ବୋଲି ଯୁକ୍ତି ବାଢ଼ିଛନ୍ତି । ଏହି ଯୁକ୍ତି ବଳରେ ସେଠାରେ ଜଷ୍ଟିସ୍ ଦାସଙ୍କ ଯୋଗଦାନକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଆଇନମନ୍ତ୍ରୀ ।
ବିଧାନସଭା ସମୟରେ ବିରୋଧୀ ଦଳ ପାଇଁ ଏହି ବଢ଼ିଆ ପ୍ରସଙ୍ଗ ହୋଇଛି ଏବଂ ବିରୋଧୀ ଦଳ ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର ବିଜେଡ଼ି ଆୟୋଜିତ ସଭାରେ ଚିଟ୍ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍ ଦାସଙ୍କ ଯୋଗଦାନକୁ ନାପସନ୍ଦ କରିଛନ୍ତି । ଜଷ୍ଟିସ୍ ଦାସଙ୍କୁ କମିଶନ ପଦରୁ ହଟାଇବାକୁ ବିଜେପି ବି ଦାବି କଲାଣି । ତେବେ ରାଜନୈତିକ ଦୃଷ୍ଟିରୁ ବିରୋଧୀଙ୍କ ଦାବି ଯାହା ହେଉ ନା କାହିଁକି ବାସ୍ତବ ଚିତ୍ର ହେଉଛି କଟକରେ ଆୟୋଜିତ ସଭାଟି ବିଜେଡ଼ିର ଏବଂ ଚିଟ୍ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍ ଦାସ ସେଠାକୁ ଯାଇଥିଲେ । ଜଷ୍ଟିସ୍ ଦାସ ବ୍ୟକ୍ତିଗତ ଭାବବ୍ୟକ୍ତ କରି ବିବାଦରୁ ଦୂରେଇବାକୁ ଚେଷ୍ଟା କଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ତାହା ଗ୍ରହଣୀୟ ହୋଇନି । ଏହି ଘଟଣାଟି ଜଷ୍ଟିସ୍ ଦାସଙ୍କ ଦେହରେ ବିଜେଡ଼ି ଷ୍ଟାମ୍ପ୍ ଲଗାଇ ଦେଇଛି । ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ୨୦ ଲକ୍ଷ ପରିବାର ଯେଉଁ ନ୍ୟାୟମୂର୍ତ୍ତିଙ୍କଠାରୁ ନ୍ୟାୟ ପାଇବା ଆଶାରେ ଆଖିରୁ ଲୁହ ମାରୁଛନ୍ତି ସେହି ନ୍ୟାୟମୂର୍ତ୍ତିଙ୍କ ଦେହରେ ଶାସକ ଦଳ ଟ୍ୟାଗ୍ ଲାଗିବା ସେମାନଙ୍କୁ ବ୍ୟଥିତ କରୁଥିବ ।