ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଚିଟ୍ଫଣ୍ଡ ଟଙ୍କାରେ ନେତାଙ୍କ ମସ୍ତି ପାର୍ଟ ଟୁରେ ଦେଉଛୁ ମଧୁ ମହାନ୍ତିଙ୍କ ସହ ନବୀନ ପଟ୍ଟନାୟକ କ୍ୟାବିନେଟ୍ର ତତ୍କାଳୀନ ନମ୍ବର ଟୁ ସୂର୍ଯ୍ୟନାରାୟଣ ପାତ୍ର ଓ ଜେଲ୍ ଫେରନ୍ତା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ । ଓଡ଼ିଶା ଭାସ୍କର ୟୁଥ୍ ଆଇକନ୍ ଆୱାର୍ଡ ଉତ୍ସବରେ ପାୱାରଫୁଲ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତି ମଧୁ ମହାନ୍ତିଙ୍କୁ ଉଲ୍ଲସିତ କରିଥିଲା । ଖାଲି ମଧୁ ନୁହଁନ୍ତି ଉତ୍ସବରେ ପୁଞ୍ଜି ଖଟାଇଥିବା ପ୍ରଦୀପ ସେଠୀ, ପ୍ରଶାନ୍ତ ଦାଶ ଓ ଏସଏଲବି ଚିଟ୍ଫଣ୍ଡ ମାଲିକ ବୈରୀଗଞ୍ଜନ ଦାସ ଏହି ନେତାଙ୍କ ଉପସ୍ଥିତିରୁ ପଇସା ଉଠାଇ ଦେଇଥିଲେ । ୨୦୧୧ ଜୁନ୍ ୨୦ ତାରିଖରେ ହୋଟେଲ ସ୍ୱସ୍ତି ପ୍ରିମିୟମ୍ରେ ଧୂମ୍ ଓ ରଙ୍ଗାରଙ୍ଗ ଆସରର ମଜ୍ଜା ଚଖାଇ ମନ୍ତ୍ରୀ ଓ ବିଧାୟକଙ୍କ ମନ ମୋହିବାରେ ସମର୍ଥ ହୋଇଥିଲେ ମଧୁ, ପ୍ରଦୀପ, ପ୍ରଶାନ୍ତ ଓ ବୈରୀଗଞ୍ଜନଙ୍କ ଭଳି ଚିଟ୍ଫଣ୍ଡ ଡାକୁ ।
ଚିଟ୍ଫଣ୍ଡ କେଳେଙ୍କାରୀ ଏପିସୋଡରେ ପ୍ରଭାବଶାଳୀ ପ୍ରଭାତ ତ୍ରିପାଠୀଙ୍କ ନାଁ ପ୍ରଥମରୁ ଦର୍ଜ ହୋଇସାରିଛି । ଅର୍ଥତତ୍ତ୍ୱ ମାଲିକ ପ୍ରଦୀପ ସେଠୀଙ୍କଠାରୁ ବଟି ନେବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ଜେଲ୍ରେ ପ୍ରାୟ ୩ ମାସ କଏଦୀ ଜୀବନ କାଟି ଫେରିଛନ୍ତି ପ୍ରଭାତ । ମାତ୍ର ଭଦ୍ରମୁଖା ପିନ୍ଧିଥିବା ଆନ୍ନା ଓରଫ୍ ସୂର୍ଯ୍ୟ ପାତ୍ର ବି ଏହି ପଥର ପଥିକ ତାହା ତାଙ୍କର ଅତୀତ ପୃଷ୍ଠାରୁ ଫୁଟି ବାହାରୁଛି । ମଧୁ ମହାନ୍ତିଙ୍କ ସହ ତାଙ୍କର ସମ୍ପର୍କର ଅନେକ ରୋଚକ ଫଟୋ ପଡ଼ିଛି ମିଡ-ଡେ ଓଡ଼ିଶା ହାତରେ । ସେହି ଫଟୋ କହୁଛି ଚିଟ୍ଫଣ୍ଡ ସଂସ୍ଥା ସହ ଆନ୍ନାଙ୍କ ସମ୍ପର୍କ । ଗଞ୍ଜାମ ଜିଲ୍ଲାରୁ ଖାଲି ସେ ଏକା ନୁହଁନ୍ତି, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁ ବି ତାଲିକାରେ ଯୋଡି ହୋଇଛି । ଓଡ଼ିଶା ଭାସ୍କର ୟୁଥ୍ ଆଇକନ୍ ଆୱାର୍ଡ ଉତ୍ସବରେ ମଧୁ ମହାନ୍ତି-ଆନ୍ନା-ରମେଶଙ୍କ ଡାରେ ନାରେ ସେମାନଙ୍କ ମଧୁର ସମ୍ପର୍କକୁ ବୟାନ କରୁଛି ।
୨୦୧୧ ମସିହା ବେଳକୁ ଚିଟ୍ଫଣ୍ଡ କେଳେଙ୍କାରୀ ସାମ୍ରାଜ୍ୟର ଚେର ଲମ୍ବୁଥିଲା । ଠିକ୍ ସେହି ସମୟରେ ଏଭଳି ପାୱାରଫୁଲ୍ ନେତାଙ୍କ ଆର୍ଶିବାଦ ଚିଟ୍ଫଣ୍ଡ ଚେରକୁ ଆହୁରି ସୁଦୃଢ଼ କରିଥିଲା । ଯାହାକି ଶେଷରେ ୨୦ ଲକ୍ଷ ପରିବାର ଉଜୁଡ଼େଇ ଦେଲା । ଜମାକାରୀଙ୍କ ସର୍ବସ୍ୱ ଚାଲିଗଲା, ଠକମାନେ ବନ୍ଧା ହୋଇ ଜେଲ୍ ଗଲେ ହେଲେ ଭଦ୍ର ହୋଇ ରହିଗଲେ ନେତା । ଏବେ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା ଏହି ନେତାମାନଙ୍କ ହାତରେ ନିୟନ୍ତ୍ରଣ ହେଉଛି ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭାଗ୍ୟ । ଏହା ଆମ ପାଇଁ ଦୁର୍ଭାଗ୍ୟ ନୁହେଁ ତ ଆଉ କ’ଣ??