ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଚିଟ୍ଫଣ୍ଡ ଟଙ୍କାରେ ଗମାତ୍ କରିଛନ୍ତି ନେତା । ଖାଲି ପ୍ରଦୀପ ସେଠୀ କି ପ୍ରଶାନ୍ତ ଦାଶ ନୁହଁନ୍ତି ଝାରପଡ଼ା ଜେଲ୍ରେ ଥିବା ମଧୁ ମହାନ୍ତି ବି ନେତାଙ୍କୁ ହାତେଇ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ସବୁ ଡକାୟତଙ୍କୁ ଏକାଠି କରି ନେତାଙ୍କ ସାନ୍ନିଧ୍ୟ ତୋଳିବାରେ ସଫଳତା ବି ପାଇଥିଲେ । ନିଜ କଳା କାରନାମାକୁ ପ୍ରମୋଟ୍ କରିବା ପାଇଁ ଖବରକାଗଜକୁ ଢ଼ାଲ କରିଥିଲେ ସେ । ଏହି ଢ଼ାଲରେ ମଧୁଙ୍କ ପ୍ରଥମ ପ୍ରୟାସ ଥିଲା ଓଡ଼ିଶା ଭାସ୍କର ୟୁଥ୍ ଆଇକନ୍ ଆୱାର୍ଡ । ପ୍ରଭାବଶାଳୀ ନେତାଙ୍କ ମନ କିଣିବାକୁ ଏହା ଥିଲା ବେଷ୍ଟ ପ୍ଲାଟଫର୍ମ । ଖାଲି ମଧୁ ନୁହଁନ୍ତି ପ୍ରଦୀପ ସେଠୀ, ପ୍ରଶାନ୍ତ ଦାଶ ଓ ବୈରୀଗଞ୍ଜନ ଦାସଙ୍କ ଭଳି ଚିଟ୍ଫଣ୍ଡ ଠକମାନେ ମିଳିମିଶି ସେଥିପାଇଁ ଅଜସ୍ର ଟଙ୍କା ଖଟାଇଥିଲେ ।
୨୦୧୦ ମସିହାରେ ମଧୁ ମହାନ୍ତି ଆରମ୍ଭ କରିଥିଲେ ଓଡ଼ିଶା ଭାସ୍କର ୟୁଥ୍ ଆଇକନ୍ ଆୱାର୍ଡ । ପ୍ରତିଯୋଗିତା ନାଁରେ ଫାଇନାଲ୍ ରାଉଣ୍ଡକୁ ନେଇଥିଲେ ଅରୁଣ ସାହୁ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଫାଇନାଲ୍ରେ ତତ୍କାଳୀନ ସରକାରୀ ଉପମୁଖ୍ୟ ସଚେତକ ତଥା ଏବେକାର ମନ୍ତ୍ରୀ ଅରୁଣ ସାହୁ ହୋଇଥିଲେ ୟୁଥ୍ ଆଇକନ୍ । ଆୱାର୍ଡ ପ୍ରଦାନ ପାଇଁ ୨୦୧୧ ଜୁନ୍ ୨୦ ତାରିଖରେ ହୋଟେଲ ସ୍ୱସ୍ତି ପ୍ରିମିୟର୍ରେ ଜବରଦସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସାନବଡ଼ ନେତାଙ୍କ ଭିଡ଼ ଭିତରେ ମନଲୋଭା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା । ଅତିଥିଙ୍କୁ ଆପ୍ୟାୟିତ କରିବା ପାଇଁ ମୋଟା ଟଙ୍କା ଉଡିଥିଲା ସେଠି ।
ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, ମଧୁ ମହାନ୍ତିଙ୍କ ସମୁଦାୟ କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଅର୍ଥତତ୍ତ୍ୱ, ସିସୋର ଓ ଏସଏଲବି ଚିଟ୍ଫଣ୍ଡ ସଂସ୍ଥା । ଉତ୍ସବର ଆୟୋଜନ ପାଇଁ ଭଣ୍ଡାର ଖୋଲିଦେଇଥିଲେ ସେମାନେ । ଲୁଚାଛପା ନୁହେଁ, ପ୍ରାୟୋଜକମାନଙ୍କ ନାଁ ସେଦିନ ଉତ୍ସବ ତୋରଣରେ ଶୋଭା ପାଉଥିଲା ଏବଂ କମ୍ପାନୀଗୁଡ଼ିକର ଜବରଦସ୍ତ ପ୍ରଚାର ବି ହୋଇଥିଲା । ଉପସ୍ଥିତ ନେତାମାନଙ୍କ ଭରପୂର ଆର୍ଶିବାଦ ଉତ୍ସବକୁ ସଫଳ କରିବା ସହ ମଧୁ ମହାନ୍ତିଙ୍କ ଛାତି ଚଉଡ଼ା କରିଥିଲା । ଆମେ ଏଠି ଦେଇଥିବା ଫଟୋ ହିଁ ତାହା ବୟାନ କରୁଛି ।
ବିପୁଳ ଟଙ୍କା ଖର୍ଚ୍ଚ ବିନିମୟରେ ନେତାଙ୍କୁ ପାଖକୁ ଆଣି ନିଜ ସଂସ୍ଥା ଓ କାରବାରର ପ୍ରଚାର କରିବାରେ ମୋଟାମୋଟି ଏହି ଠକ ଗୋଷ୍ଠୀ ସଫଳ ହୋଇଥିଲେ । ଫଳରେ ଆଗକୁ ବି ଏହି ଧାରା ସେମାନେ ବଜାୟ ରଖିଥିଲେ । ତେବେ ସମୟ ସାଥ୍ ଦେଲାନି ଏହି ଚିଟ୍ଫଣ୍ଡ ବେପାରୀଙ୍କୁ । ନେତାଙ୍କ ଆର୍ଶିବାଦକୁ ବଳି ପଡ଼ିଲା ଲୋକଙ୍କ ଅଭିଶାପ । ଚିଟ୍ଫଣ୍ଡ କେଳେଙ୍କାରୀର ମହାନାୟକ ଭାବେ ଏବେ ସେହିମାନେ ଜେଲ୍ରେ । ମଧୁ ମହାନ୍ତି,ପ୍ରଦୀପ ସେଠୀ,ପ୍ରଶାନ୍ତ ଦାଶ ଓ ବୈରୀଗଞ୍ଜନ ଦାସ ଜେଲ୍ ରେ ଘଣା ପେଲୁଛନ୍ତି । ଆଉ ଛତ୍ରଛାୟା ଦେଖାଇଥିବା ନେତାମାନେ ନିଜକୁ ଭଦ୍ରଲୋକ ସଜେଇ କ୍ଷମତାର ଶୀର୍ଷକୁ ଛୁଇଁଛନ୍ତି । ନିଜ ଦେହରୁ ନିଜେ କଳଙ୍କ ଝାଡ଼ି ପୂରା ଧୋବ ଫର ଫର ସେମାନେ ।