ଭୁବନେଶ୍ୱର: ଲୋକସଭା ଆସନ ଏବଂ ସମସ୍ତ ରାଜ୍ୟ ବିଧାନସଭା ଆସନ ସଂଖ୍ୟା ୫୦% ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ ବିଲ୍,୨୦୨୬ ଆସିବାକୁ ଯାଉଛି । ଏହି ହିସାବରେ ଲୋକସଭା ଆସନ ୫୪୩ରୁ ୮୫୦ ବଢ଼ିବାକୁ ଥିଲା ବେଳେ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧ରୁ ବଢ଼ି ୨୯ ହୋଇପାରେ ।
ତେବେ ଲୋକସଭା ଆସନ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ସେ ଏହାର ଗଣିତ ଅବତାରଣା କରିଛନ୍ତି । ଏବେ ୨୧ ଆସନ ହିସାବରେ ଓଡ଼ିଶାର ଲୋକସଭାରେ ଅଂଶଗ୍ରହଣ ୩.୯% ରହିଛି । ଆସନ ବଢ଼ିଲେ ଓଡ଼ିଶାର ସିଟ୍ ୨୧ରୁ ୨୯ ହେବ । କିନ୍ତୁ ପ୍ରତିଶତ ହିସାବରେ ଅଂଶଗ୍ରହଣ ୩.୪% କୁ ଖସିଯିବ । ଜନସଂଖ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଓଡ଼ିଶାର ଜାତୀୟସ୍ତରରେ ରାଜନୈତିକ ପ୍ରଭାବ ୧୫% କମିଯିବ । ନୂଆ ବ୍ୟବସ୍ଥାରେ ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ ।
ଲୋକସଭାରେ ଓଡ଼ିଶାର ପ୍ରଭାବ କମିବା ନେଇ ନବୀନ ଉଦବେଗ ପ୍ରକାଶ କରି ଓଡ଼ିଶାର ରାଜନୈତିକ ସ୍ୱାର୍ଥରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ୪୮ ଘଣ୍ଟା ମଧ୍ୟରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକି ସଂକଳ୍ପ ପାରିତ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସ୍ୱାର୍ଥ ପାଇଁ ସରକାରଙ୍କୁ ବିଜେଡି ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।