ଭୁବନେଶ୍ୱର: ନୂଆ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ ପାର୍ଟି’ । ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏହି ନୂଆ ଆଞ୍ଚଳିକ ଦଳର ଆଜି ଲୋକାର୍ପଣ ହୋଇଛି । ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋକିମଙ୍କ ଝିଅ ତଥା କଂଗ୍ରେସର ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦୋସ୍ ଙ୍କୁ ଦେଖିବାକୁ ମିଳିଥିଲା । ଓଡ଼ିଶାର ଯୁବପୀଢ଼ିଙ୍କୁ ନେଇ ଏହି ଦଳ ବିଜେପି ବିରୋଧରେ ବିକଳ୍ପ ହେବ ବୋଲି ମୋକିମ୍ ବିଶ୍ୱାସ ଦେଇଛନ୍ତି । ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଭାଗ ନେବ ବୋଲି ସେ ଘୋଷଣା କରିଛନ୍ତି ।
ଲୋକାର୍ପଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରତିଷ୍ଠାତା ସଭାପତି ଶ୍ରୀ ମୋକିମ୍ ପୂର୍ବ ସରକାର ଏବଂ ବର୍ତ୍ତମାନର ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ, ବିକାଶ କ୍ଷେତ୍ରରେ ଓଡ଼ିଶା ବହୁତ ପଛରେ ପଡ଼ିଛି । ପୂର୍ବ ସରକାରଠାରୁ ବର୍ତ୍ତମାନର ସରକାର ଭିନ୍ନ ନୁହଁନ୍ତି । ସରକାର ବଦଳିଲା କିନ୍ତୁ ଢ଼ାଞ୍ଚା ବଦଳି ନାହିଁ । ସେମାନେ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି । ଏହି ଦୃଷ୍ଟିରୁ ଓଡ଼ିଶାର ବିକାଶ ପାଇଁ ଏକ ଜନଜାଗରଣର ଆବଶ୍ୟତା ଅଛି । କଂଗ୍ରେସରେ ରହି ଏହି କାର୍ଯ୍ୟ ଆଗକୁ ନେବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ତେଣୁ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଗଠନର ଆବଶ୍ୟକତା ପଡ଼ିଲା ।
ଯୁବଶକ୍ତିଙ୍କୁ ନେଇ ଏହି ପାର୍ଟି ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବ । ଏକ ନୂଆ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ । ନୂଆ ଓଡ଼ିଶା ଏକ ଯୁବ କେନ୍ଦ୍ରିକ ଓଡ଼ିଶା ହେବ । ଚାଷୀ, ମହିଳା, ଯୁବକମାନଙ୍କ ସାମଗ୍ରିକ ଉନ୍ନତି ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଓଡ଼ିଆଙ୍କ ହକ୍ ପାଇଁ ଓଡ଼ିଶା ଜନତା କଂଗ୍ରେସ ଲଢ଼ିବ ବୋଲି ମୋକିମ୍ କହିଥିଲେ ।
ମୋକିମ୍ ଙ୍କ ନୂଆ ଦଳରେ ତାଙ୍କର ବିଧାୟିକା ଝିଅ ସୋଫିଆଙ୍କର କ’ଣ ଭୂମିକା ରହିବ ତାହା ଉପରେ ସମସ୍ତଙ୍କର ନଜର ଥିଲା ବେଳେ ଲୋକାର୍ପଣ ମଞ୍ଚରେ ବାପାଙ୍କ ସହ ତାଙ୍କୁ ଆଜି ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସକୁ ସେ ନେତୃତ୍ୱ ଦେବେ ବୋଲି ସ୍ପଷ୍ଟ ଜଣାପଡୁଥିଲା । ତେବେ କଂଗ୍ରେସ ଟିକେଟରେ ବିଧାୟିକା ହୋଇଥିବାରୁ ବର୍ତ୍ତମାନ ତାଙ୍କର ସଭ୍ୟପଦ ଉପରେ ଏହା ବିପଦ ଆଣିପାରେ ବୋଲି କୁହାଯାଉଛି । ସୋଫିଆ କିନ୍ତୁ ଏହି ଚର୍ଚ୍ଚାକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ, ମୁଁ କଂଗ୍ରେସରୁ ଏବେ ନିଲମ୍ବିତ ଅଛି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା କଟକର ପରମ୍ପରା । ତେଣୁ ଶୁଭେଚ୍ଛା ବାର୍ତ୍ତା ଦେବାକୁ ଆସିବାରେ କିଛି ଭୁଲ୍ ନାହିଁ । ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସର ମଙ୍ଗ ଧରିବେ କି ବୋଲି ପଚରାଯିବାରୁ ସମୟ ଆସିଲେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ ।