ଭୁବନେଶ୍ୱର: ଚିଲିକା ନିର୍ବାଚନମଣ୍ଡଳୀରେ କିଏ ହେବେ ବିଜେଡ଼ି ପ୍ରାର୍ଥୀ? ରଘୁନାଥ ସାହୁ ନା ମାନସ ମଙ୍ଗରାଜ? ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କ ମଧ୍ୟରେ ଏଥିନେଇ ଉତ୍ସୁକତା ଲାଗି ରହିଥିବା ବେଳେ ସ୍ଥାନୀୟ ବିଜେଡ଼ିର ଏକ ଶକ୍ତିଶାଳୀ ଗୋଷ୍ଠୀ ମାନସଙ୍କ ସମର୍ଥନରେ ବାହାରିଛନ୍ତି । ଆଜି ସେମାନେ ନବୀନ ନିବାସ ଆସି ମାନସଙ୍କୁ ପ୍ରାର୍ଥୀ କରିବାକୁ ସୁପ୍ରିମୋଙ୍କ ନିକଟରେ ଗୁହାରି କରିଛନ୍ତି । ଟିକେଟ ଆଶାୟୀ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ବିରୋଧରେ ସୁପ୍ରିମୋଙ୍କୁ ଲମ୍ବା ଅଭିଯୋଗଫର୍ଦ୍ଦ ଦେବାକୁ ସେମାନେ ଭୁଲି ନାହାନ୍ତି ।
ଚିଲିକା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ ସେନ୍, ମାନସ ରଂଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣା ଆଦିଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଆଜି ନବୀନ ନିବାସ ଆସି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ରଘୁନାଥ ସାହୁଙ୍କୁ ପୁନର୍ବାର ପ୍ରାର୍ଥୀ କରାଗଲେ ଦଳର ବିଜୟ ସମ୍ଭାବନା ନାହିଁ ବୋଲି ସେମାନେ ରୋକଠୋକ ଜଣାଇ ଦେଇଥିଲେ । ସେମାନଙ୍କର ଅଭିଯୋଗ ଥିଲା, ବିଧାୟକ ଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ରଘୁ କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି । ବରଂ ଅନେକ ଅପବାଦରେ ଛନ୍ଦି ହୋଇଛନ୍ତି । ଦଳୀୟ କର୍ମୀମାନଙ୍କ ସହ ତାଙ୍କର ସମ୍ପର୍କ ନାହିଁ । ସାଧାରଣ କର୍ମୀ ଓ ଅଞ୍ଚଳବାସୀଙ୍କ ବିଶ୍ୱାସଭାଜନ ବହୁ ପୂର୍ବରୁ ହରାଇ ସାରିଛନ୍ତି ।
ଅପରପକ୍ଷରେ, ମାନସ ମଙ୍ଗରାଜଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ସେମାନେ ଦୃଢ଼ ମତ ରଖିଥିଲେ । ସେମାନଙ୍କର ଯୁକ୍ତି ଥିଲା, ମାନସ ଜଣେ ଉଚ୍ଚଶିକ୍ଷିତ ଯୁବକ ଏବଂ ଦୀର୍ଘ ବର୍ଷ ଧରି ଚିଲିକାବାସୀଙ୍କ ସମସ୍ୟା ସହ ବିଶେଷ ଭାବେ ଜଡ଼ିତ । ଚିଲିକାବାସୀଙ୍କ ସୁଖଦୁଃଖରେ ତାଙ୍କୁ ସଦାସର୍ବଦା ଦେଖିବାକୁ ମିଳିଥାଏ । ବିଜେଡ଼ିକୁ ଆସିବା ପରେ ସେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିଛନ୍ତି । ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ସବୁବର୍ଗର ଭୋଟରଙ୍କ ମଧ୍ୟରେ ଆଦୃତ ହେଉଛନ୍ତି । ତାଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ, ସୁସଂଗଠକ ଓ ଅମାୟିକ ଯୁବ ନେତୃତ୍ୱଙ୍କୁ ଟିକେଟ ଦେଲେ ଦଳର ପତିଆରା ବଢ଼ିବା ସହ ବିଜୟ ସୁନିଶ୍ଚିତ ବୋଲି ଜଣାଇ ଦେଇଥିଲେ ।
ମାନସଙ୍କ ପ୍ରାର୍ଥୀତ୍ୱ ସମର୍ଥନରେ ଚିଲିକାର ବିଜେଡ଼ି ନେତା ଓ କର୍ମୀମାନେ ମେଳି ହୋଇ ନବୀନ ନିବାସ ଆସିବା ପରେ ସ୍ଥାନୀୟ ବିଜେଡ଼ି ରାଜନୀତି ସରଗରମ ହୋଇଛି । ଏ ସମ୍ପର୍କରେ ରଘୁ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳର ସଭାପତି ଯାହାକୁ ଠିକ୍ ମନେ କରିବେ ପ୍ରାର୍ଥୀ କରିବେ । ମୋର ସେଥିରେ କିଛି କହିବାର ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଆଜି ସାକ୍ଷାତ କରିଥିବା ଅନ୍ୟ ନେତା ଓ କର୍ମୀଙ୍କ ମଧ୍ୟରେ ଥିଲେ କୁଳମଣି ଦାସ, ଅଜୟ ରାଉଳ, ଦିବାକର ସାସମଲ, ପ୍ରକାଶ ପ୍ରଧାନ ଓ ନିରଞ୍ଜନ ପ୍ରଧାନ ।