ଭୁବନେଶ୍ୱର: ନିକଟରେ ବିଜେଡ଼ିରୁ ଇସ୍ତଫା ଦେଇଥିବା ବାବୁ ସିଂ ଆଜି ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେ. ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ସେ ଧରିଛନ୍ତି ପଦ୍ମ । ବାବୁଙ୍କ ସହ ତାଙ୍କର ଅଧିକାଂଶ ସମର୍ଥକ ବି ବିଜେପିରେ ସାମିଲ ହୋଇଛନ୍ତି ।
ବାବୁ ସିଂ ଭୁବନେଶ୍ୱର ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଥିଲେ । ଦଳ ପାଇଁ ତାଙ୍କର ବହୁତ ତ୍ୟାଗ ଥିଲେ ମଧ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କୁ ସଫା କରିବାକୁ ଜାଲ ବିଛାଇଥିଲେ । ଜିଲ୍ଲା ସଭାପତି ହୋଇଥିବାରୁ ବାବୁଙ୍କୁ ଜାଣିଶୁଣି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖୁଥିଲେ ବୋଲି ବାବୁ ଅଭିଯୋଗ କରିଥିଲେ । ଏଥର ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀରୁ ବାବୁ ଆଶାୟୀ ଥିବାରୁ ଶ୍ରୀ ପଣ୍ଡାଙ୍କୁ ଏହା ହଜମ ହୋଇନଥିଲା । ବାବୁ ଏ ସମ୍ପର୍କରେ ଦଳର କିଛି ମୁଣ୍ଡିଆଳମାନଙ୍କୁ ଜଣାଇଥିଲେ । ମାତ୍ର ସେମାନେ ବୁଝାସୁଝା କରାଇ ମାମଲା ସମାଧାନ କରିବା ବଦଳରେ ଓଲଟି ତାଙ୍କୁ ଅପମାନିତ କରିଥିଲେ । ତମକୁ ଟିକେଟ ମିଳିବନି ବୋଲି ରୋକଠୋକ ଜଣାଇ ଦେଇଥିଲେ । ଏହାପରେ ବାବୁ ଦଳରୁ ଇସ୍ତଫା ଦେଇଥିଲେ ।
ବିଜେପିରେ ବାବୁ ଏକାମ୍ରରୁ ଛିଡ଼ା ହେବେ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । କାରଣ ସେଠାରେ ବିଜେପିର ଅମୀୟ ଦାଶ ଗତଥର ନିର୍ବାଚନ ଲଢ଼ିଥିଲେ ଏବଂ ୫ ବର୍ଷ ଧରି ସେ ଅଞ୍ଚଳରେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବିଜେପି ପ୍ରାର୍ଥୀ ଭାବେ ସ୍ଥାନୀୟ ଜନସାଧାରଣ ତାଙ୍କୁ ଗ୍ରହଣ କରିସାରିଛନ୍ତି । ତାଙ୍କୁ ହଟାଇ ସେଠାରୁ ବାବୁଙ୍କୁ ଦଳ ଟିକେଟ ଦେବ ଏହା ବିଶ୍ୱାସ କରିହେଉନି । ଆଗକୁ କ’ଣ ହେବ ତାହା ଜଣାପଡୁ ନ ଥିଲେ ମଧ୍ୟ ବିଜେଡ଼ି ପାଇଁ ଏହି ନିଶ୍ଚିତ କ୍ଷତି ଆଣିବ ।