ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଦ୍ୱିତୀୟ ସଂସ୍କରଣର ସଫଳତା ଲକ୍ଷ୍ୟରେ ଆଜି ଚେନ୍ନାଇରେ ରୋଡ୍ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକି ସହଯୋଗିତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇନଭେଷ୍ଟର୍ସ ମିଟ୍ ରେ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର ପ୍ରତିନିଧିଙ୍କ ସହ ୩୫୦ ତାମିଲନାଡୁ କମ୍ପାନୀ ପ୍ରତିନିଧି ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ପ୍ରମୁଖ ଶିଲ୍ପସଂସ୍ଥା ମୁଖ୍ୟଙ୍କ ମଧ୍ୟରେ ଥିଲେ ମୁରୁଗପ୍ପା ଗ୍ରୁପ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏମଏମ ମୁରୁଗପ୍ପନ୍, ଟାଫେ ଅଧ୍ୟକ୍ଷ ଶ୍ରୀମତୀ ମଲ୍ଲିକା ଶ୍ରୀନିବାସନ୍ ଓ ସେଟେକ୍ସ ପେଟ୍ରୋକେମିକାଲ୍ସ ପରିଚାଳନା ନିର୍ଦ୍ଦେଶକ ଏସ.ଇଲ୍ଲାନାହେ । ସେହିଭଳି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ ଚେତିନାଦ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଏମ.ମୁଥେୟା, ରାମକୋ ଗ୍ରୁପ୍ ଅଧ୍ୟକ୍ଷ ପି.ଆର.ଭେଙ୍କେଟେରାମା ରାଜା ଏବଂ ଶ୍ରୀରାମ ଗ୍ରୁପ୍ ଅଧ୍ୟକ୍ଷ ଆର.ତ୍ୟାଗରାଜନ୍ ।

ଓଡ଼ିଶାରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ସହଯୋଗର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପ୍ରଥମ ସଂସ୍କରଣକୁ ବହୁମାତ୍ରାରେ ସମର୍ଥନ ମିଳିଥିଲା । ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୫ ପ୍ରତିଶତ ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟକାରିତା ଅବସ୍ଥାକୁ ଆସିଛି । ଏହି ଅବସରରେ ଗୋ-ସ୍ୱିଫ୍ଟ ଦ୍ୱାରା ୪୦୦ତମ ପୁଞ୍ଜିନିବେଶ ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କଳିଙ୍ଗନଗରଠାରେ ୯୨ କୋଟି ଖର୍ଚ୍ଚରେ ୧ ଲକ୍ଷ ୮୦ ହଜାର ୟୁନିଟ୍ ବାର୍ଷିକ କ୍ଷମତା ସମ୍ପନ୍ନ ଏକ ଷ୍ଟିଲ୍ ଡୋର୍ ଆଣ୍ଡ ଉଇଣ୍ଡୋ ମାନୁଫ୍ୟାକଚରିଂ ୟୁନିଟ୍ ସ୍ଥାପନ ପାଇଁ ଟାଟା ଷ୍ଟିଲ୍ ପ୍ରସେସିଂ ଆଣ୍ଡ ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ଼ ଏହି ପ୍ରସ୍ତାବ ଦେଇଥିଲା । ଉକ୍ତ ପ୍ରକଳ୍ପ ଦ୍ୱାରା ୨୫୦ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ।
ଚେନ୍ନାଇ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ୍ ଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ । ଚେନ୍ନାଇରୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଫେରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମଲ ହାସନ, ଉଚ୍ଚ ପ୍ରଶଂସା କଲେ






