ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧତା ଉପରେ ଆଜି ସୁପ୍ରିମ୍ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ବେଞ୍ଚ ସେମାନଙ୍କ ରାୟରେ ଆଧାର ଆକ୍ଟ, ୨୦୧୬ କୁ ବୈଧ ଘୋଷଣା କରିଛନ୍ତି । ତେବେ ଆଧାର ଆଇନର ଧାରା ୫୭ କୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ । ସ୍କୁଲରେ ନାମ ଲେଖାଇବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ । ଅର୍ଥାତ୍ ଆଧାର ନ ଥିଲେ ବି ଜଣେ ପିଲାର ନାମ ଲେଖାଯାଇପାରିବ । ୟୁଜିସି,ଏନଇଇଟି, ସିବିଏସଇ ପରୀକ୍ଷା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ।
ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ । ସେହିଭଳି ମୋବାଇଲ୍ ସିମ୍ କାର୍ଡ ପାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ । କୌଣସି ମୋବାଇଲ୍ କମ୍ପାନୀ ଆଧାର ଦାବି କରିପାରିବେ ନାହିଁ । ମୋବାଇଲ୍ ନମ୍ବର ସହ ଆଧାର ଲିଙ୍କ୍ ଜରୁରୀ ନୁହେଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି । ତେବେ ପାନ୍ ଲିଙ୍କ୍ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।
କୋର୍ଟଙ୍କ ବିନା ଅନୁମତିରେ ବାୟୋମେଟ୍ରିକ୍ ଡାଟାଗୁଡ଼ିକୁ କୌଣସି ଏଜେନ୍ସୀକୁ ଦିଆଯାଇପାରିବ ନାହିଁ । ଆଧାର ତଥ୍ୟ ସୁରକ୍ଷା ପାଇଁ କଡ଼ା ଆଇନ ଆଣିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଆଧାର ପାଇଁ ସର୍ବନିମ୍ନ ତଥ୍ୟ ସଂଗ୍ରହ ପାଇଁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଆଧାର ଅନ୍ୟ ସମସ୍ତ ପରିଚୟପତ୍ରଠାରୁ ଭିନ୍ନ । ଏହା ଦ୍ୱାରା ସମାଜର ଏକ ବୃହତ୍ତର ବର୍ଗ ସୁବିଧା ପାଉଛନ୍ତି । ଆଧାର କାର୍ଡ ସୁରକ୍ଷିତ । କେହି ଏହାର ଡୁପ୍ଲିକେଟ୍ କରିପାରିବେ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ।
ଆଧାରର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ୩୧ ଟି ପିଟିସନ୍ ପଡ଼ିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏ.କେ.ସିକ୍ରି, ଜଷ୍ଟିସ୍ ଏ.ଏମ.ଖାନୱିଲକର୍, ଜଷ୍ଟିସ୍ ଡି.ଆଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।